ଅନାସ୍ଥା ଖେଳ- କାହାକୁ ଅଡ଼ୁଆ?

ସରକାରଙ୍କ ବିରୁଦ୍ଧରେ ବିରୋଧୀ ଆଣିବେ କି ଅନାସ୍ଥା ପ୍ରସ୍ତାବ। ମୌସୁମୀ ଅଧିବେଶନରେ ସରକାରଙ୍କ ଉପରୁ ଆସ୍ଥା ତୁଟିସାରିଛି କହି ସରକାରଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଯାଉଛନ୍ତି ବିରୋଧୀ। ବର୍ଷକର ମୋହନ ସରକାର ବିରୁଦ୍ଧରେ ସମ୍ଭାବ୍ୟ ଅନାସ୍ଥା ଖେଳକୁ ନେଇ ରାଜନୀତି ଘମାସାନ ହୋଇଛି। ପିସିସି ସଭାପତି ଭକ୍ତ ଦାସ କହିଛନ୍ତି, ମହିଳା ସୁରକ୍ଷା ନେଇ ସରକାର ଫେଲ୍। ସେଥିଲାଗି ଏ ସରକାରଙ୍କ ବିରୁଦ୍ଧରେ ଅନାସ୍ଥା ଆଣିବାକୁ ଅପିଲ୍ କରିଥିଲେ ଭକ୍ତ। ନାରୀ ନ୍ୟାୟ ଲାଗି ଯଦି ଆନ୍ତରିକତା ସହ ଲଢ଼ୁଥିବ ବିଜେଡି, ତେବେ ଅନାସ୍ଥା ଆଣୁ। ଯଦି ବିଜେଡି ଏ ଅନାସ୍ଥା ଆଣିବନି, ତେବେ କଂଗ୍ରେସ ଆଣିଲେ ସମର୍ଥନ କରୁ। ବିଜେଡିକୁ ଏ ପ୍ରସ୍ତାବ ଦେଇଥିଲେ ଭକ୍ତ। ଭକ୍ତଙ୍କ ବୟାନକୁ ନେଇ ବିଜେଡି ନେତା ଭୁପିନ୍ଦର ସିଂ କହିଛନ୍ତି, ସରକାର ଏବେ ଚାପରେ। ସେଥିଲାଗି ମୌସୁମୀ ଅଧିବେଶନ ଡାକୁନାହାନ୍ତି। ଅନାସ୍ଥା ପ୍ରସ୍ତାବରେ ବିଜେଡିର ଆଭିମୁଖ୍ୟ କଅଣ ରହିବ, ତାହା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ। ବିଜେଡିର ସମଦୂରତ୍ୱ ନୀତି ବଳବତ୍ତର ରହିଛି। ବିଧାନସଭାରେ ବି ବିଜେଡି ବିରୋଧ କରିବ। ଆଗରୁ ବିଜେଡି ବିଭିନ୍ନ ପ୍ରସଙ୍ଗରେ କରୁଥିବା ସମର୍ଥନ କେବଳ ରାଜ୍ୟ ସ୍ୱାର୍ଥରେ ହେଉଥିଲା। ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ଯଦି ବିଜେଡି ଅନାସ୍ଥା ଆଣିବନି କି କଂଗ୍ରେସକୁ ଅନାସ୍ଥାରେ ସମର୍ଥନ କରିବନି। ତାହେଲେ ବୁଝିବାକୁ ପଡ଼ିବ ଯେ, ପୂର୍ବଭଳି ବିଜେଡି-ବିଜେପି ମିଶିକି ଅଛନ୍ତି। ଅନାସ୍ଥା ପ୍ରସ୍ତାବ ଆଣିଲେ ସରକାର ଆହତ ହେବେନି, ବରଂ ବିରୋଧୀ ପାଲଟା କ୍ଷତାକ୍ତ ହେବେ ବୋଲି କାଉଣ୍ଟରରେ କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଅନାସ୍ଥା ବୁମେରାଂ ସାଜିବ। ଅନାସ୍ଥା ଆଣିବା ପୂର୍ବରୁ ହୋମଓ୍ୱାର୍କ କରନ୍ତୁ। ବିଜେଡି ଓ କଂଗ୍ରେସ ୪୦ ବର୍ଷର ହିସାବ ନେଇକି ଆସନ୍ତୁ। ଲମ୍ୱା ସମୟ ବନାମ ବିଜେପିର ବର୍ଷକର ଶାସନର ତୁଳନାତ୍ମକ ହିସାବରେ ହଜିଯିବେ ବିରୋଧୀ। ଅନାସ୍ଥା ପ୍ରସ୍ତାବ ଆସିଲେ ସରକାରଙ୍କୁ ସେମିତି କୌଣସି ଅଡ଼ୁଆ ନାହିଁ। କାରଣ ସଂଖ୍ୟା ଗଣିତରେ ସରକାର ବହୁ ଆଗରେ। ୧୪୭ ସଦସ୍ୟ ବିଶିଷ୍ଟ ବିଧାନସଭାରେ ମ୍ୟାଜିକ ନମ୍ୱର ହେଲା ୭୪। ଆଉ ବିଜେପି ପାଖରେ ଏକାକୀ ଏ ସଂଖ୍ୟା ଅଛି। ବିଜେପି ପାଖରେ ୭୮ ସଦସ୍ୟ ଅଛନ୍ତି। ବିଜେପିକୁ ସମର୍ଥନ କରୁଛନ୍ତି ୩ ସ୍ୱାଧୀନ ବିଧାୟକ। ବିଜେଡିର ୫୧ ଓ କଂଗ୍ରେସର ୧୪ ବିଧାୟକ ଅଛନ୍ତି। ସିପିଆଇଏମର ଜଣେ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଗୃହକୁ ନିର୍ବାଚିତ ହୋଇଛନ୍ତି।


Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *