ରେଜିଷ୍ଟ୍ରେସନକୁ ନେଇ କାହିଁକି ଧନ୍ଦି ହେଉଛନ୍ତି ସବ-ରେଜିଷ୍ଟ୍ରାର ଓ ଲୋକଙ୍କୁ ନାନା ଆଇନର ଆଳରେ ଛନ୍ଦି ହଇରାଣ କରୁଛନ୍ତି। କାହିଁକି ସବ-ରେଜିଷ୍ଟ୍ରାରଙ୍କ ପାଖରେ ନାହିଁ ସ୍ପଷ୍ଟତା। ଦ୍ୱନ୍ଦ୍ୱ କିଏ ବଢ଼ାଉଛି। ପାର୍ଟ ଚାଷଜମିର ପଞ୍ଜୀକରଣ ବେଳେ ଅନେକ ଦ୍ୱନ୍ଦ୍ୱ ଦେଖି ଏହା ପଛର କାରଣକୁ ଅନୁଧ୍ୟାନ କରିଛନ୍ତି ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ ସିଂ। ଆଉ ଶେଷରେ ଆଇଜିଆରଙ୍କ ସମେତ ସମସ୍ତ ଡିଏସଆରଙ୍କୁ ଏ ସନ୍ଦର୍ଭରେ କ୍ଲିଅରକଟ୍ ନିର୍ଦେଶ ଜାରି କରିଛନ୍ତି ରାଜସ୍ୱ ସଚିବ। ରାଜସ୍ୱ ବିଭାଗ ବ୍ୟତୀତ କୌଣସି ବିଭାଗ, ଉନ୍ନୟନ କର୍ତ୍ତୃପକ୍ଷ କି ଏଜେନ୍ସିର କୌଣସି ସର୍କୁଲାର କି ନିର୍ଦେଶକୁ ମାନିବାକୁ ସଫା ସଫା ବାରଣ କରିଦେଇଛନ୍ତି ଦେଓରଞ୍ଜନ ସିଂ। ଯିଏ ଯେତେବେଳେ ପାରିଲା ସେତେବେଳେ ପଞ୍ଜୀକରଣ ଅଧିକାରୀଙ୍କୁ ସର୍କୁଲାର ଓ ନିର୍ଦେଶାନାମା ଜାରି କରୁଛି।ଏଣିକି ଏହା ଚଳିବନି। କାରଣ ଏହାକୁ ନେଇ ସବ-ରେଜିଷ୍ଟ୍ରାର ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି। କାହାକୁ ମାନିବେ କାହାକୁ ମାନିବେନି। ସେଥିଲାଗି ସଚିବ ସ୍ପଷ୍ଟ କରିଦେଇଛନ୍ତି, କୌଣସି ଡକ୍ୟୁମେଣ୍ଟ ରେଜିଷ୍ଟ୍ରେସନ ବେଳେ ରାଜସ୍ୱ ବିଭାଗ ଜାରି କରୁଥିବା ନିର୍ଦେଶାନାମାକୁ କେବଳ ଅନୁପାଳନ କରିବେ ରେଜିଷ୍ଟ୍ରେସନ ଅଧିକାରୀ। ଭବିଷ୍ୟତରେ ରାଜସ୍ୱ ବିଭାଗର ବିନା ସହମତି, ଅନୁମତି ଓ ଆଲୋଚନା ବିନା କୌଣସି ଅଲଗା ବିଭାଗ କି ସଂସ୍ଥା କୌଣସି ସର୍କୁଲାର ଜାରି କରିଥିଲେ ବା ଭବିଷ୍ୟତରେ ଜାରି କଲେ ତାକୁ ସମ୍ପୂର୍ଣ୍ଣ ଏଡ଼ାଇଯିବାକୁ ନିର୍ଦେଶ ଦେଇଛନ୍ତି ସଚିବ। ଏମିତିରେ ସୁପ୍ରିମକୋର୍ଟଙ୍କ ନିର୍ଦେଶାନାମାର ନଜିର ଦେଇ ସବ-ରେଜିଷ୍ଟ୍ରାର ସମ୍ମିଳନୀରେ ବି ସଚିବ ସ୍ପଷ୍ଟ ସଙ୍କେତ ଦେଇଥିଲେ, କୌଣସି ଡକ୍ୟୁମେଣ୍ଟ ରେଜିଷ୍ଟ୍ରେସନ ହେବାକୁ ଆସିଲେ ଏହାର ବୈଧତା ଦେଖି ରେଜିଷ୍ଟ୍ରେସନ କରିବାକୁ ବାଧ୍ୟ ଅଧିକାରୀ। ନାନା ଆଳ ଦେଖାଇ ଏହାକୁ ମନା କରିପାରିବେନି ଅଧିକାରୀ। ଓଡ଼ିଶା ବିକାଶ ଅଭିଯାନ ବି ଏ କ୍ଷେତ୍ରରେ ନିରନ୍ତର ରାଜସ୍ୱ ମନ୍ତ୍ରୀ, ସଚିବ, ଆଇଜିଆର ଓ ଡିଏସଆରଙ୍କ ଦୃଷ୍ଟି ଆକର୍ଷଣ କରିଆସୁଥିଲା। ପାର୍ଟ-ପ୍ଲଟ ହେଉ ବା ଯୁଗ୍ମ ସମ୍ପତ୍ତିର ଅଂଶ ରେଜିଷ୍ଟ୍ରେସନ ବେଳେ କେତେବେଳେ ରେରା ତ କେତେବେଳେ ବିଡିଏ ତ କେତେବେଳେ ନଗର ଉନ୍ନୟନ ବିଭାଗର କ୍ଲାରିଫିକେସନ ଆଳରେ ସମୟ ଗଡ଼ାଉଥିଲେ ସବ-ରେଜିଷ୍ଟ୍ରାର। ପଞ୍ଜୀକରଣ ଅଧିକାରୀ ବାସ୍ତବରେ କେଉଁ ବିଭାଗ ଅଧୀନରେ ବୋଲି ପଚାରିଥିଲେ ଓଡ଼ିଶା ବିକାଶ ଅଭିଯାନର ମ୍ୟାନେଜିଂ ଟ୍ରଷ୍ଟି ପ୍ରଦୀପ କୁମାର ସାହୁ। ଯଦି ରାଜସ୍ୱ ବିଭାଗର, ତାହେଲେ ରାଜସ୍ୱ ବିଭାଗ ନିଜେ କାହିଁକି କୌଣସି କ୍ଲିଅରକଟ୍ ନିର୍ଦେଶ ଜାରି ନ କରି ଅନ୍ୟ ବିଭାଗର ଆକ୍ଟକୁ ନେଇ ସ୍ପଷ୍ଟତାର ସନ୍ଦେହରେ ବୁଲୁଛି। ଆଉ ରାଜସ୍ୱ ସଚିବଙ୍କ ଏଭଳି ସ୍ପଷ୍ଟ ନିର୍ଦେଶ ଏଣିକି ସବ-ରେଜିଷ୍ଟ୍ରାରଙ୍କୁ ଆଉ ଦ୍ୱନ୍ଦ୍ୱରେ ପକାଇବନି। କୌଣସି ଅଲଗା ବିଭାଗର ଅଯଥା ହସ୍ତକ୍ଷେପରେ ଆଉ ସନ୍ତୁଳିତ ହେବେନି ପଞ୍ଜୀକରଣ ଅଧିକାରୀ କି ଲୋକେ ବି ହଇରାଣ ହେବେନି। ରାଜସ୍ୱ ମନ୍ତ୍ରୀ ବି ମାନିଥିଲେ, ରେରା ତ କେତେବେଳେ ଓଡିଏ ଆକ୍ଟରେ ଛନ୍ଦି ଦିଆଯାଉଥିଲା। ଫଳରେ ଜମି ରେଜିଷ୍ଟ୍ରେସନ ହୋଇପାରୁନଥିବାରୁ ବିପୁଳ ରାଜସ୍ୱ ହାନୀ ବି ହେଉଥିଲା। ନିଜ ଚିଠିରେ ସଚିବ ବି ଏଭଳି ନାନା ଦ୍ୱନ୍ଦ୍ୱରୁ ରାଜସ୍ୱ ହାନୀ କଥାର ଅବତାରଣା କରିଛନ୍ତି।ଜମି ପଞ୍ଜୀକରଣରେ ସ୍ପଷ୍ଟତା ରହୁ। ନା ସବ-ରେଜିଷ୍ଟ୍ରାର ଦ୍ୱନ୍ଦ୍ୱରେ ରହିବେ ନା ଲୋକେ ହଇରାଣ ହେବେ। ପଞ୍ଜୀକରଣ ସରଳ ଓ ସହଜ ହେଉ। ଆଇନଗତ ହେଉ। ରାଜସ୍ୱ ବି ଆସୁ ଓ ଲୋକେ ବିନା ବିଭ୍ରାନ୍ତିରେ ଜମି ଖଣ୍ଡେ କିଣାବିକା କରିବାର ସମ୍ପତ୍ତିଗତ ଅଧିକାରରୁ ବଞ୍ଚିତ ନ ହୁଅନ୍ତୁ।
Naxatra News is now on Whatsapp
Join and get latest news update delivered to you via whatsapp
Join Now