ଓଡ଼ିଶାରାଜନୀତି

ମୁଁ ନୁହେଁ ପବ୍ଲିକ ଭାଙ୍ଗଛି

() ଦେବଗଡ଼ରେ ବିଧାୟକ ସୁବାଷ ପାଣିଗ୍ରାହୀଙ୍କୁ ନେଇ ବିବାଦ ଥମୁନି। ଯଦିଓ ପାଚେରୀ ଭଙ୍ଗା ଘଟଣାରେ ବିଧାୟକଙ୍କ ସମର୍ଥକଙ୍କୁ ବାନ୍ଧିଛି ପୁଲିସ। କିନ୍ତୁ ବିଧାୟକ ଭୁବନେଶ୍ୱରରେ କହିଛନ୍ତି, ପବ୍ଲିକ ଭାଙ୍ଗିଛନ୍ତି। ତାଙ୍କର କୌଣସି ସଂପୃକ୍ତି ନାହିଁ। ପାଲଟା ଜିଲ୍ଲାପାଳ ବିଜେଡି ସଭାପତି ସାଜି କାମ କରୁଥିବାର ଆରୋପ ଲଦିଛନ୍ତି। କିନ୍ତୁ ବିଧାୟକଙ୍କୁ ଦେବଗଡ଼ ପୌରପରିଷଦ ଅଧ୍ୟକ୍ଷାଙ୍କ କାଉଣ୍ଟରଠୁ ବଳିଯାଇଛି ନିଜ ଦଳର ସାଂସଦଙ୍କ ପତ୍ନୀ ତାଙ୍କ ଆଚରଣକୁ ନେଇ ବର୍ଷିଛନ୍ତି।

ଟାଉନ ହଲ୍ ମୁଖ୍ୟ ଫାଟକରେ ପାଚେରୀ ଭଙ୍ଗାକୁ କେନ୍ଦ୍ର କରି ଦେବଗଡ଼ ବିଧାୟକ ସୁବାଷ ପାଣିଗ୍ରାହୀ ବିବାଦରେ। ସୁବାଷଙ୍କ ଉପସ୍ଥିତିରେ ତାଙ୍କ ସମର୍ଥକ ଭାଙ୍ଗିଥିବାରୁ ଏହାକୁ  ନେଇ ଦେବଗଡ଼ ରାଜନୀତି ତେଜିଛି। ସୁବାଷଙ୍କ କିଛି ସମର୍ଥକଙ୍କୁ ପୁଲିସ ବାନ୍ଧିବା ପରେ ଆଜି ଭୁବନେଶ୍ୱରରେ ସାମ୍ୱାଦିକ ସମ୍ମିଳନୀ କରି ସଫେଇ ଦେଇଛନ୍ତି ସୁବାଷ। ପୌରପରିଷଦର ବିନା ରିଜୋଲୁସନରେ ଟାଉନ ହଲ୍ ପାଚେରୀ ହେଉଥିଲା। ଜନସାଧାରଣ ଓ କାଉନସିଲରମାନେ ଦାବି କରିବାରୁ ବନ୍ଦ ହୋଇଥିବା ଗେଟ୍ ଖୋଲାଗଲା। ସେଥିଲାଗି ପାଚେରୀ ଭଙ୍ଗା ପଛରେ ପବ୍ଲିକ ଅଛନ୍ତି, ସେ ନୁହେଁ। ଜିଲ୍ଲାପାଳ ବି ବିଜେଡିର ଜିଲ୍ଲା ସଭାପତି ଭାବେ କାମ କରୁଥିବାର ଆରୋପ ଲଦିଛନ୍ତି ବିଧାୟକ। ସେ କେବେ ନିଜ ସ୍ୱାର୍ଥରେ ନୁହେଁ, ବରଂ ଲୋକଙ୍କ ସ୍ୱାର୍ଥରେ କାମ କରୁଛନ୍ତି।

ଆଉ ସୁବାଷଙ୍କୁ ସମର୍ଥନ କରି ଦେବଗଡ଼ର ବିଜେପି କାଉନସିଲରମାନେ ବି ବିଜେଡିର ରାଜନୀତିକ ଅଭିସନ୍ଧିକୁ ନେଇ ବର୍ଷିଛନ୍ତି। କିନ୍ତୁ ଦେବଗଡ଼ର ବିଜେପି ସାଂସଦ ନୀତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ ଦେବୀ ସୁବାଷଙ୍କ ଏଭଳି ଆଚରଣକୁ ନେଇ ଆଜି ବି ଗର୍ଜିଛନ୍ତି। ଯାହା ଦେବଗଡ଼ ବିଜେପି ରାଜନୀତିରେ ରୋଚକ ସ୍ଥିତି ସୃଷ୍ଟି କରିଛି। ଦେବଗଡ଼ ପୌରପରିଷଦ ଅଧ୍ୟକ୍ଷା କହିଛନ୍ତି, ବିଧାୟକଙ୍କ ଗୁଣ୍ଡାଗର୍ଦ୍ଦିର ପ୍ରମାଣ ସର୍ବସମ୍ମୁଖରେ ଅଛି। କିଏ ପବ୍ଲିକଙ୍କୁ ମତାଇଲା ଆଉ କିଏ ଦଳୀୟ କର୍ମୀଙ୍କୁ ପବ୍ଲିକ କହି ଭୁଆଁ ବୁଲାଉଛି, ଜଳଜଳ କରି ଦିଶୁଛି।

ସୁବାଷ ପାଣିଗ୍ରାହୀ ଅଡୁଆରେ। କାରଣ ସିସିଟିଭି ଫୁଟେଜ ଆଧାରରେ ସୁବାଷଙ୍କ ସମର୍ଥକଙ୍କୁ ଗିରଫଦାରି ଜାରି ରଖିଛି ପୁଲିସ। ଆଉ ଏବେ ଖୋଦ୍ ଦଳୀୟ ସାଂସଦଙ୍କ ପତ୍ନୀ ବିଧାୟକଙ୍କ ଉପରେ ବର୍ଷିବା ଘଟଣାକୁ ନେଇ ସବୁଠି ଚର୍ଚ୍ଚା।

Leave a Reply

Your email address will not be published.

Back to top button