ଦିଲ୍ଲୀରୁ ନବୀନ ଫେରିଲେ। ଆଉ ଏପଟେ ନୂଆପଡ଼ାରୁ ଦଳୀୟ ଟିକଟ ପାଇବାକୁ ହକଦାର ଥିବା ଜୟ ଢୋଲକିଆ ବାଟ କାଟିଲେ। ଶଙ୍ଖ ଶିବିର ଛାଡ଼ି ପଦ୍ମ ଧରିଲେ ଜୟ। ବିଜେଡିର ପୂର୍ବତନ ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ସୋସିଆଲ ମିଡିଆରେ ଦିଲ୍ଲୀ ଡିଲ୍ ପୋଷ୍ଟକୁ ତାଳ ଦେଇ ଜୟ ଢୋଲକିଆଙ୍କୁ ବିଜେପିର ସ୍ୱାଗତ ବ୍ୟାନରର ଭାଇରାଲ ଫଟୋକୁ ନେଇ ପୁରା ରାଜନୀତିକ ମାହୋଲକୁ ହଲଚଲ କରିଥିଲା। ପାଣ୍ଡିଆନଙ୍କୁ କଟାକ୍ଷ କରି ଶ୍ରୀମୟୀ ପୋଷ୍ଟ କରି କହିଥିଲେ, ଏପଟେ କର୍ମୀ ଅନାଇ ବସିଥିଲା ବେଳେ ଦିଲ୍ଲୀରେ ଡିଲ୍ କରିଦେଲେ କହ୍ନେଇ। ଦଳ ଲାଗି ସନ୍ୟାସୀ ଶୁଭଙ୍କର ନୁହେଁ ବୋଲି ତୀର୍ଯକ ତୀର ମାରିଛନ୍ତି। ଜୟ ଢୋଲକିଆ ବିଜେପିରେ ସାମିଲ ହେଉଥିବା ଚର୍ଚ୍ଚା ଭିତରେ ନାଁ ନ ନେଇ ପାଣ୍ଡିଆନଙ୍କୁ କହ୍ନେଇ ଓ ସନ୍ୟାସୀ କହି କଟାକ୍ଷ କରିଥିଲେ ଶ୍ରୀମୟୀ। ମାସାଧିକ କାଳ ଦିଲ୍ଲୀରେ ରହିଥିଲେ ନବୀନ। କିନ୍ତୁ ଫେରୁ ଫେରୁ ବିଜେଡିରେ ସବୁ ଠିକ୍ ଠାକ୍ ଚାଲିବ ବୋଲି ଅନୁମାନ କରାଯାଉଥିଲା। ଅଧୈର୍ଯ୍ୟ ହୋଇ ରାଜନୀତି କଲେ କିଛି ଲାଭ ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ୱିତ ରାଉତରାୟ। ଜୟ ଢୋଲକିଆ ବିଜେପିରେ ଯୋଗଦେବେ ବୋଲି ଚର୍ଚ୍ଚା ଚାଲିଥିଲା ବେଳେ ନୂଆପଡ଼ାରେ ନବୀନଙ୍କ ନାଁରେ ଭୋଟ। ବିଜେଡି ନୂଆପଡ଼ାରେ ଜିତିବ। ବିଜେଡି ଯାହାକୁ ପ୍ରାର୍ଥୀ କରିବ, ସେ ଜିତିବ ବୋଲି କହିଛନ୍ତି। ଦେବୀ ମିଶ୍ର କହିଥିଲେ, ଗତକାଲି ରାତି ସୁଦ୍ଧା ଜୟ ବିଜେଡି ସହ ଯୋଗାଯୋଗରେ ଥିଲେ। ସକାଳୁ ଫେରିଥିଲେ ଟିକଟ ଘୋଷଣା ହୋଇଥାଆନ୍ତା। ଜୟଙ୍କ ପାର୍ଟି ଡିଆଁ ଚର୍ଚ୍ଚା ଭିତରେ ଖରିଆର ରୋଡର ଏକ ହୋଟେଲରେ ବିଜେଡିର ବସିଥିଲା ଗୁପ୍ତ ବୈଠକ। ଏଥିରେ ନୂଆପଡ଼ା ନିର୍ବାଚନ ପରିଚାଳନା ଲାଗି ନବୀନ ଯେଉଁ ସବୁ ନେତାଙ୍କୁ ଦାୟିତ୍ୱ ଦେଇଥିଲେ, ସେମାନେ ବସି ମାନସମନ୍ଥନ କରିଥିଲେ। ବରିଷ୍ଠ ବିଜେଡି ନେତା ଭୁପିନ୍ଦର ସିଂ କହିଛନ୍ତି, ସାଧାରଣ ନିର୍ବାଚନରେ ଭୁଲ୍ କରିଥିବା ବିଜେଡି ନିଜକୁ ସୁଧାରିବ ନା ଇତିହାସର ପୁନରାବୃତ୍ତି କରିବ, କିଛି କହିହେଉନି। ଢୋଲକିଆ ପାର୍ଟି ବଦଳାଇଦେବା ସମସ୍ତଙ୍କ ଭିତରେ ଦ୍ୱନ୍ଦ୍ୱ ସୃଷ୍ଟି କଲାଣି। ଜୟ ନିଜେ ବିଜେଡିରୁ ଛିଡ଼ା ହେବାକୁ ଘୋଷଣା କରିବା ପରେ ବିଜେପିରେ ମିଶିଲେ। ଏଇଟା ଜୟଙ୍କ ଇଛା ନା ଏହା ପଛରେ ଆଉ କିଏ ଅଛନ୍ତି କହି ଶ୍ରୀମୟୀଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ପରୋକ୍ଷରେ ସମର୍ଥନ କରିଛନ୍ତି ଭୁପିନ୍ଦର। ଜିଲ୍ଲା ବିଜେଡି ସଭାପତି ଅବନୀ ରଞ୍ଜନ ଯୋଶୀ କହିଛନ୍ତି, ଦଳରୁ କିଏ ପ୍ରାର୍ଥୀ ହେବ, ନବୀନ ନିଷ୍ପତ୍ତି ନେବେ। ବିଜେଡି ହାତରେ ଏହି ଆସନ ପୁଣି ରହିବ। ଖରିଆର ରୋଡରେ ଜୟଙ୍କ ସମର୍ଥକ ବିଶାଳ ରାଲି କରିଥିଲେ। ବିନା ଦଳୀୟ ପତାକାରେ ବଡ଼ ରାଲି ସହ ସଭା କରିଥିଲେ। ଢୋଲକିଆଙ୍କ ପରିବାର ସହ ଅଛୁ କହି ସମର୍ଥନ ଅଜାଡ଼ି ଦେଇଛନ୍ତି। ଶେଷରେ ଅପରାହ୍ନରେ ସବୁ ଚର୍ଚ୍ଚାରେ ବିରାମ ଲାଗିଥିଲା। ଜୟ ଢୋଲକିଆ ବିଜେପିରେ ମିଶିଗଲେ। ରାଜ୍ୟ ବିଜେପି କାର୍ଯାଳୟକୁ ଯାଇ ଦଳରେ ବିଧିବଦ୍ଧ ମିଶି ପଦ୍ମ ଧରିଛନ୍ତି ଜୟ। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଶାଳ ମିଶ୍ରଣ ପର୍ବରେ ଜୟ ବିଜେପିରେ ସାମିଲ୍ ହୋଇଥିଲେ। ନୂଆପଡ଼ା ରାଜନୀତିରେ ବଡ଼ ଟ୍ୱିଷ୍ଟ ଆସିସାରିଛି। ବିଜେପି ସାଂସଦ ରବି ବେହେରା କହିଥିଲେ, ନୂଆପଡ଼ାରେ ନବୀନ ବି ଛିଡ଼ାହେଲେ ହାରିବେ। ବିଜେଡିର ଅସ୍ତିତ୍ୱ ଲୋପ ପାଇଯିବ। ଆଉ ଅଭିନନ୍ଦନ ଏଥର ଟିକଟ ପାଇବେନି ସ୍ପଷ୍ଟ ହେବା ପରେ ତାଙ୍କ ବାପା ସାଂସଦ ବସନ୍ତ ପଣ୍ଡାଙ୍କ ମାନଭଞ୍ଜନ ଲାଗି ବେଶ୍ କସରତ କରିଥିଲା ବିଜେପି। ରାଜ୍ୟ ଅତିଥି ଭବନରେ ବସନ୍ତଙ୍କୁ ବୁଝାଇବାକୁ ଯାଇଥିଲେ ସଭାପତି ମନମୋହନ ସାମଲ ଓ ସଂଗଠନ ସମ୍ପାଦକ ମାନସ ମହାନ୍ତି।ଦଳବଦଳ ପଲିଟିକ୍ସ ଦେଖି ପିସିସି ସଭାପତି ଭକ୍ତ ଦାସ କହିଛନ୍ତି, ବିଜେଡି ଓ ବିଜେପି ଭାଇ ଭାଇ ବୋଲି ପୁଣି ପ୍ରମାଣିତ ହୋଇଗଲା। ଏଠି କଳି ଆଉ ଦିଲ୍ଲୀରେ କୋଳାକୋଳି। ରାଜ୍ୟବାସୀଙ୍କୁ ଭୂଆଁ ବୁଲାଉଛନ୍ତି। ବିଜେଡି ପ୍ରାର୍ଥୀଙ୍କୁ ହାଇଜାକ୍ କରିନେଲା ବିଜେପି। ବିଜେପି ପାଖରେ ଆତ୍ମସମର୍ପଣ କରିଛି ବିଜେଡି। କଂଗ୍ରେସ ପ୍ରାର୍ଥୀଙ୍କୁ ହାଇଜାକ୍ କରିବାକୁ ବିଜେପି ଉଦ୍ୟମ କରିଥିଲା। କିନ୍ତୁ ଫେଲ୍ ମାରିଗଲା। ହେଲେ ଏଥର ନୂଆପଡ଼ା ଭୋଟର ଏମାନଙ୍କୁ ଚକମା ଦେବେ। ଘାସିରାମଙ୍କୁ ବିଜୟୀ କରି ଭିତିରିଆ ସଲାସୁତୁରା ପଲିଟିକ୍ସକୁ କଡ଼ା ଜବାବ ଦେବେ ନୂଆପଡ଼ା ଭୋଟର ବୋଲି କହିଛନ୍ତି ଭକ୍ତ। ରାଜେନ୍ଦ୍ର ଢୋଲକିଆଙ୍କ ଅକାଳ ବିୟୋଗ ପରେ ତାଙ୍କ ପୁଅ ଜୟଙ୍କୁ ଟିକଟ ଦେଇ ଏହି ଆସନକୁ ବଜାୟ ରଖିବ ବୋଲି ଭାବିଥିଲା ବିଜେଡି। ନବୀନ ଆସିଲେ ଜୟଙ୍କ ପ୍ରାର୍ଥୀତ୍ୱ ଉପରେ ମୋହର ବାଜିବ ବୋଲି କହି ବୁଲୁଥିଲେ ନେତାଏ। ହେଲେ ପୁରା ଚିତ୍ର ପଲଟିଗଲା। ସେପଟେ ଜୟଙ୍କୁ ବିଜେପି ପ୍ରାର୍ଥୀ କରିବ ବୋଲି ସ୍ପଷ୍ଟ ସଙ୍କେତ ଦେଇଥିଲା ବେଳେ ଆଶାୟୀ ଅଭିନନ୍ଦନ ପଣ୍ଡା ଓ ଯଦୁମଣି ପାଣିଗ୍ରାହୀଙ୍କୁ ଏଥର ନିରାଶ ହେବାକୁ ପଡ଼ିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now