ନୂଆପଡ଼ା ଉପନିର୍ବାଚନ- କାହାର ରହିବ କାଟତି ?

ନୂଆପଡ଼ା ଉପନିର୍ବାଚନରେ ଆଗ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ। ଜିଲ୍ଲା କଂଗ୍ରେସ ସଭାପତି ତଥା ଘାସିରାମ ମାଝୀଙ୍କ ପ୍ରାର୍ଥୀତ୍ୱ ଉପରେ ମୋହର ମାରିଛି ଦଳ। ୨୪ ନିର୍ବାଚନରେ ରାଜେନ୍ଦ୍ର ଢୋଲକିଆଙ୍କଠୁ ୧୦ହଜାର ଭୋଟ ବ୍ୟବଧାନରେ ହାରିଥିଲେ ଘାସିରାମ। ୨୪ ନିର୍ବାଚନରେ କଂଗ୍ରେସ ଟିକଟରୁ ବଞ୍ଚିତ ଘାସିରାମ ସ୍ୱାଧୀନରେ ଲଢ଼ି ୫୦ହଜାର ୯୪୧ ଖଣ୍ଡ ଭୋଟ ପାଇଥିଲେ। ନୂଆପଡ଼ା ଆସନରେ ୪ଥର ଲଢ଼ି ହାରିଥିବା ଘାସିରାମଙ୍କ ଉପରେ ଦଳ ଆସ୍ଥା ପ୍ରକଟ କରିଛି। ୨୪ରେ ଘାସିରାମ ଟିକଟ ଲାଗି ଦାବିଦାର ଥିବା ସତ୍ତ୍ୱେ ତତ୍କାଳୀନ ପିସିସି ସଭାପତି ଶରତ ପଟ୍ଟନାୟକ ଏହି ଆସନରୁ ଲଢ଼ି ମାତ୍ର ୧୫ହଜାର୫୦୧ ଖଣ୍ଡ ଭୋଟ ପାଇ ଚତୁର୍ଥ ସ୍ଥାନରେ ରହିଥିଲେ। ଘାସିରାମଙ୍କୁ ଜିତାଇବାକୁ ଦଳ ଆରମ୍ଭ କରିଦେଇଛି ଗ୍ରାଉଣ୍ଡରେ କ୍ୟାମ୍ପେନ୍। ପିସିସି ସଭାପତି ନ୍ୟାୟଯାତ୍ରା ନାଁରେ ଘରକୁ ଘର ବୁଲୁଛନ୍ତି। ଘାସିରାମ ବି ନିଜର ସାଂଗଠନିକ ଶକ୍ତି, ଲୋକସମ୍ପର୍କକୁ ପାଥେୟ କରି ଏଥର ନିର୍ବାଚନ ଜିତିବେ ବୋଲି ଆଶାବାଦୀ। ସେପଟେ ବିଜେଡିରୁ ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ ବିଜେଡି ପ୍ରାର୍ଥୀ କରିବ ବୋଲି ସଙ୍କେତ ଦେଇଛି। ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି, ଢୋଲକିଆଙ୍କ ପରିବାର ବର୍ଗରୁ ଜଣକୁ ଟିକଟ ଦେବାକୁ ସ୍ଥାନୀୟ ବିଜେଡି ନେତାଙ୍କ ଆବେଗ ରହିଛି। ୯ ତାରିଖରୁ ନୂଆପଡ଼ାରେ ବିଜେଡିର ପଦଯାତ୍ରା ହେବ। ଲୋକଙ୍କ ପାଖକୁ ଯିବ ଦଳ। ନୂଆପଡ଼ା ଜିଲ୍ଲାକୁ ବିଜୁ ବାବୁ ସୃଷ୍ଟି କରିବା ସହ ଢୋଲକିଆ ନୂଆପଡ଼ାର ଉନ୍ନତି ପାଇଁ ଅନେକ କାମ କରିଛନ୍ତି। ସେଥିଲାଗି ୪ଥର ସେ ଜିତିଥିଲେ। ଜୟ ଢୋଲକିଆ ବି କହିଛନ୍ତି, ତାଙ୍କୁ ପ୍ରାର୍ଥୀ କରିବାକୁ ନବୀନ ସବୁଜସଙ୍କେତ ଦେଇସାରିଛନ୍ତି। ବାପାଙ୍କ ଅଧୁରା ସ୍ୱପ୍ନକୁ ସେ ସାକାର କରିବାକୁ ନିର୍ବାଚନୀ ମୈଦାନକୁ ଓହ୍ଲାଇବେ। ବାପାଙ୍କୁ ଯେଉଁ ସ୍ନେହ, ଆଦର ଓ ଆଶୀର୍ବାଦ ଦେଇଆସୁଥିଲେ ନୂଆପଡ଼ା ଭୋଟର, ସେହି ସମର୍ଥନ ତାଙ୍କୁ ବି ଦେବେ ବୋଲି ଆଶାବାଦୀ ଜୟ। ଜୟ ବି ଲୋକ ସମର୍ଥନ ସାଉଁଟିବାକୁ ଗ୍ରାଉଣ୍ଡରେ ଆରମ୍ଭ କରିସାରିଲେଣି କ୍ୟାମ୍ପେନ୍। ସେପଟେ ବିଜେପିରୁ କିଏ ହେବ ପ୍ରାର୍ଥୀ। ତାକୁ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଗଲା ନିର୍ବାଚନରେ ନୂଆପଡ଼ାର ପୂର୍ବତନ ବିଧାୟକ ତଥା ପୂର୍ବତନ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡାଙ୍କୁ ଦଳ ଟିକଟ ଦେଇଥିଲା। ଅଭିନନ୍ଦନ ପଣ୍ଡା ୪୪ହଜାର୮୧୪ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ। ଗୁରୁବାର ବସିବାକୁ ଥିବା ବିଜେପି କୋର କମିଟି ବୈଠକରେ ସମ୍ଭାବ୍ୟ ପ୍ରାର୍ଥୀ ତାଲିକାକୁ ନେଇ ହେବ ମାନସମନ୍ଥନ। ଏଥର ନୂଆପଡ଼ାରେ ବିଜେପିର ବିଜୟ ନିଶ୍ଚିତ ବୋଲି କହିଛନ୍ତି ପ୍ରଭାରୀ। ସେପଟେ ଅଭିନନ୍ଦନଙ୍କୁ ଦଳ ରିପିଟ୍ କରିବ ନା ଯଦୁମଣିଙ୍କୁ ଦଳ ଟିକଟ ଦେବ, ତାକୁ ନେଇ ଦ୍ୱନ୍ଦ୍ୱରେ। ଗଲା ନିର୍ବାଚନରେ ଦଳୀୟ ଟିକଟ ପାଇବାକୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଦୁମଣି ପାଣିଗ୍ରାହୀ ଆଶାୟୀ ଥିଲେ। କିନ୍ତୁ ନିରାଶ ହୋଇଥିଲେ। ଶାସକ ଦଳରେ ଥିବାରୁ ଏବେ ବିଜେପି ପାଇଁ ଏହି ଉପନିର୍ବାଚନ ଫଳାଫଳ ସମ୍ମାନର ପ୍ରଶ୍ନ ଭାବେ ଛିଡ଼ା ହୋଇଛି। ବିଜେଡି ଏହି ଆସନକୁ ବଜାୟ ରଖିବାରେ ସକ୍ଷମ ହେବ କି। କଂଗ୍ରେସର କରିସ୍ମା କାଟୁ କରିବ କି। ଏ ତମାମ ପ୍ରଶ୍ନର ଉତ୍ତର ନୂଆପଡ଼ା ରେଜଲ୍ଟ ଦେବ। ନଭେମ୍ୱର ୧୧ରେ ଭୋଟ ଓ ୧୪ରେ ଫଳ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *