କୋମନାରେ ପ୍ରଚାର ବେଳେ ବେଇମାନୀଙ୍କୁ ଜବାବ ଦିଅନ୍ତୁ ବୋଲି କଡ଼ା କଥା କହିଥିଲେ ନବୀନ। କିନ୍ତୁ ଏ ବେଇମାନୀ ଶବ୍ଦ କାହାକୁ ଇଙ୍ଗିତ କରି ଥିଲା, କାହାରିକୁ ବୁଝିବାକୁ ବାକି ନଥିଲା। ଏଭଳି ଟିପ୍ପଣୀ ଜୟ ଢୋଲକିଆଙ୍କ ଦେହକୁ ଲାଗିଛି। ନବୀନଙ୍କୁ ପିତୃ ତୁଲ୍ୟ କହି ନବୀନଙ୍କ ମାନବିକତାକୁ ନେଇ ଟାର୍ଗେଟ କରିଛନ୍ତି ଜୟ। ବାପା ରାଜେନ୍ଦ୍ର ଢୋଲକିଆ ହସ୍ପିଟାଲରେ ଜୀବନମୃତ୍ୟୁ ସହ ସଂଘର୍ଷ କରୁଥିଲା ବେଳେ ଥରୁଟିଏ ବି ଦେଖିବାକୁ ଆସିନଥିଲେ ନବୀନ। ଏପରିକି ଶ୍ରଦ୍ଧାଞ୍ଜଳି ସଭାରେ ବି ସାମିଲ୍ ହେଲେନି। ବାପା ସ୍ୱର୍ଗତ ରାଜେନ୍ଦ୍ର ଜୀବନତମାମ ଦଳ ପ୍ରତି ସମର୍ପିତ ଥିଲେ। କିନ୍ତୁ ଦଳ ତାଙ୍କୁ ଶେଷ ସମୟରେ ଚାହିଁଲାନି। ଉପନିର୍ବାଚନ ବେଳେ ଧାଇଁଆସି ଏଭଳି ଆରୋପ ଲଦିବା କେତେଦୂର ଯୁକ୍ତିଯୁକ୍ତ। ତାଙ୍କୁ ଖରାପ ପୁଅର ସାର୍ଟିଫିକେଟ ଦେବାକୁ ବିଜେଡି କିଏ। ଭୋଟର ଜାଣନ୍ତି, ନବୀନ କେବଳ ନାଁକୁ ମାତ୍ର ନେତା ଥିଲେ। କିନ୍ତୁ ତାଙ୍କ ନେତୃତ୍ୱକୁ ଅନୁଭବ କରିପାରୁନଥିଲେ କେହି। ନୂଆପଡ଼ାବାସୀଙ୍କ ସହାନୁଭୂତି ତାଙ୍କ ପ୍ରତି ସବୁବେଳେ ରହିବ ବୋଲି କହିଛନ୍ତି ଜୟ। ଆଉ ଜୟଙ୍କ ମାଆ ତଥା ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ କଳ୍ପନା କହିଛନ୍ତି, ନୂଆପଡ଼ାରେ ନିଷ୍ଠାର ସହ କାମ କରୁଥିଲେ ରାଜେନ୍ଦ୍ର। କିନ୍ତୁ ତାଙ୍କ ଦେହ ଖରାପ ଥିବା ସମୟରେ କୌଣସି ବିଜେଡି ନେତା ପଚାରିନଥିଲେ। ଏବେ ତାଙ୍କ ନାଁ ଓ ଫଟୋ ବ୍ୟବହାର କରୁଛନ୍ତି। ଯାହା ଉଚିତ୍ ନୁହେଁ। ବିଜେଡିର ଅଣଦେଖା ମୃତ୍ୟୁର ଅନ୍ୟତମ କାରଣ ବୋଲି କହିଛନ୍ତି ସ୍ୱର୍ଗତ ରାଜେନ୍ଦ୍ରଙ୍କ ପତ୍ନୀ କଳ୍ପନା। ସେପଟେ ବିଜେପିକୁ ନବୀନ ବିଶ୍ୱାସଘାତକତାର ଟ୍ୟାଗଲାଇନ୍ ଲଗାଇବା ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏକ୍ସ-ରେ କଡ଼ା ସମାଲୋଚନା କରିଛନ୍ତି। ନବୀନଙ୍କ ୨୪ ବର୍ଷର ବିଶ୍ୱାସଘାତକତାର ଜବାବ ଦେବାକୁ ନୂଆପଡ଼ାବାସୀ ପ୍ରସ୍ତୁତ। ଏହାର ଜବାବ ସୁଭଦ୍ରା ଭଉଣୀ ଉପନିର୍ବାଚନରେ ନିଶ୍ଚୟ ଦେବେ। ନୂଆପଡ଼ାବାସୀ ବିଜେପିକୁ ହିଁ ବାଛିବେ। ନବୀନ କୁହନ୍ତୁ ଆଗ ବେଇମାନ କିଏ। କିଏ ପଛରୁ ରାଜନୈତିକ ଛୁରୀ ମାରିଛି ବୋଲି ଫେସବୁକ୍ ପୋଷ୍ଟରେ ପଚାରିଛନ୍ତି ଅନୀଲ ବିଶ୍ୱାଳ। ଦିଲ୍ଲୀପ ରାୟ, ବୈଜୟନ୍ତ ପଣ୍ଡା ଓ ବିଜୟ ମହାପାତ୍ରଙ୍କ କଥାର ଅବତାରଣା କରି ଟାର୍ଗେଟ କରିଛି ବିଜେପି। ସେମାନଙ୍କ ପ୍ରତି ଏହା କଅଣ ଥିଲା। ସେପଟେ ବିଜେଡି ଏହାର ଜବାବ ରଖିଛି। କଂଗ୍ରେସ କହିଛି, ଉଭୟ ବିଜେଡି ଓ ବିଜେପି ନୂଆପଡ଼ାବାସୀଙ୍କୁ ଭୂଆଁ ବୁଲାଉଛନ୍ତି। ନୂଆପଡ଼ା ଉପନିର୍ବାଚନକୁ ପ୍ରଭାବିତ କରିବାକୁ ଉଭୟ ଦଳ ଚକ୍ରାନ୍ତ କରୁଛନ୍ତି। ଘାସିରାମଙ୍କୁ ଜିତାଇ ଏହାର କଡ଼ା ଜବାବ ଦେବେ ନୂଆପଡ଼ା ଭୋଟର। ଉଭୟ ବିଜେଡି ଓ ବିଜେପି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ। ମିଳିମିଶି ବୁଝାମଣାରେ ପ୍ରାର୍ଥୀ ଦେଲେ ଉଭୟ ଦଳ। ନବୀନ ବାବୁ କେବଳ ଉପରେ ବିଜେପି ଉପରେ ବିଷୋଦଗାର କରୁଛନ୍ତି। ଏଭଳି ଲୋକଦେଖାଣିଆ ଓ ଛଳନାକୁ ନୂଆପଡ଼ା ଭୋଟର୍ ଭଲ ଭାବେ ବୁଝିସାରିଲେଣି ବୋଲି ପ୍ରେସମିଟରେ ବର୍ଷିଛନ୍ତି ଦେବାଶୀଷ ପଟ୍ଟନାୟକ ଓ ଅନନ୍ତ ସେଠୀ। ନୂଆପଡ଼ାରେ ୩ ପ୍ରମୁଖ ଦଳ ପ୍ରଚାରକୁ ଅଧିକ ଶାଣିତ କରିଛନ୍ତି। ଆଉ ପ୍ରଚାର ମୈଦାନରେ ବ୍ୟକ୍ତିଗତସ୍ତରକୁ ଓହ୍ଲାଇ କାଦୁଅ ପିଙ୍ଗା ରାଜନୀତି ବି ଆରମ୍ଭ ହେଲାଣି।
Naxatra News is now on Whatsapp
Join and get latest news update delivered to you via whatsapp
Join Now