ଓଡ଼ିଶା

ରାଜ୍ୟ ଅଗ୍ନିଶମ ବାହିନୀ ହେବ ଆହୁରି ଦକ୍ଷ ଓ କ୍ରିୟାଶୀଳ

ଭୁବନେଶ୍ବର: ବର୍ତ୍ତମାନ ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଗ୍ନିଶମ ବାହିନୀକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରାଯିବା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବାରୋପ କରିଛନ୍ତି ।  ଅଗ୍ନିକାଣ୍ଡଜନିତ ଦୁର୍ଘଟଣା ସମୟରେ ଲୋକଙ୍କ ଉଦ୍ଧାର କାର୍ଯ୍ୟ ଯେପରି ତ୍ବରାନ୍ବିତ ଭାବରେ କରାଯାଇପାରିବ, ତାକୁ ଦୃଷ୍ଟିରେ ରଖି ୧୪୪ ସଦସ୍ୟ ବିଶିଷ୍ଟ ଏକ Striking Fire Force ଗଠନ କରାଯିବ।

ଆଜି ମୁଖ୍ୟମନ୍ତ୍ରୀ ଅଗ୍ନିଶମ ବାହିନୀକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରାଯିବା ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ନିଷ୍ପତ୍ତି ଅନୁଯାୟୀ ରାଜ୍ୟର କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ଥିବା ୩ଟି ଜୋନ୍‌ରେ ଏହି Striking Fire Forceର ୩ଟି Range Headquarter ରହିବ। ପ୍ରତ୍ୟେକ Range Headquarter ପାଇଁ ୪୮ଟି ପଦବୀ ସୃଷ୍ଟି କରାଯାଇ ସମୁଦାୟ ୧୪୪ଟି ପଦବୀ ସୃଷ୍ଟି ହେବ।

ଏଥିରେ ଆସିଷ୍ଟାଣ୍ଟ ଫାୟାର ଅଫିସର, ଷ୍ଟେସନ ଅଫିସର, ଆସିଷ୍ଟାଣ୍ଟ ଷ୍ଟେସନ ଅଫିସର, ହାବିଲଦାର ମେଜର, ଡ୍ରାଇଭର ହାବିଲଦାର, ହାବିଲଦାର ମେକାନିକ୍, ଲିଡିଂ ଫାୟାରମ୍ୟାନ, ଫାୟାରମ୍ୟାନ ଡ୍ରାଇଭର ଓ ଫାୟାରମ୍ୟାନ ଆଦି ପଦବୀ ରହିବ । ସମସ୍ତ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ମନୁଷ୍ୟକୃତ ବିପର୍ଯ୍ୟୟ ବା ଦୁର୍ଘଟଣା ସମୟରେ ଓଡିଶା ଅଗ୍ନିଶମ ସେବା First Responder  ଭାବରେ କାର୍ଯ୍ୟ କରି ଜନସାଧାରଣଙ୍କୁ ଠିକ୍‌ ସମୟରେ ସେବା ଯୋଗାଇ ଦେଉଛି ।

ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ମଧ୍ୟ ଏହାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି।  ଏପରିକି   ରାଜ୍ୟ ବାହାରେ ମଧ୍ୟ ବିଭିନ୍ନ ବିପର୍ଯ୍ୟୟ ସମୟରେ ଅଗ୍ନଶମ ବାହିନୀ ପକ୍ଷରୁ ଉଲ୍ଲେଖନୀୟ ସେବା ଯୋଗାଇ ଦିଆଯାଉଛି । ତେଣୁ ଅଗ୍ନିଶମ ବାହିନୀକୁ ତୁରନ୍ତ କୌଣସି ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ଆବଶ୍ୟକ ଆଧୁନିକ ଦକ୍ଷତା ଥିବା ଏକ ସ୍ବତନ୍ତ୍ର ଫୋର୍ସର ଆବଶ୍ୟକତା ରହିଛି ବୋଲି ଉପସ୍ଥାପନାରେ କୁହାଯାଇଥିଲା ।

Leave a Reply

Your email address will not be published.

Back to top button