ଭାରତ-ପାକିସ୍ତାନ ଭିତରେ ଉତ୍ତେଜନା ପରିପ୍ରେକ୍ଷୀରେ ସବୁଠି ହାଇଆଲର୍ଟ। ବିଶେଷ କରି ସୀମାସ୍ଥିତିର ସମୀକ୍ଷା କରିଛନ୍ତି ସରକାର ଓ ସେନା। ପ୍ରତିରକ୍ଷା ମନ୍ତ୍ରୀ ଯୁଦ୍ଧ ସ୍ଥିତିର ସମୀକ୍ଷା କରିଥିଲା ବେଳେ ସାମିଲ୍ ହୋଇଥିଲେ ସିଡିଏସ ଓ ତିନି ସେନା ମୁଖ୍ୟ। ଅପରେସନ ସିନ୍ଦୂର ପାର୍ଟ-ଟୁ କୁ ନେଇ ତର୍ଜମା ହୋଇଥିଲା। ଏହା ପରେ ଗୃହ ମନ୍ତ୍ରୀ ଅମିତ ଶାହା ଉଚ୍ଚସ୍ତରୀୟ ବୈଠକ କରିଥିଲେ। ବିଏସଏଫ ଓ ସିଆଇଏସଏଫ ଡିଜିଙ୍କ ସହ ବିମାନବନ୍ଦର ସୁରକ୍ଷା ସହ ସୀମା ସ୍ଥିତି ନେଇ ଆଲୋଚନା କରିଛନ୍ତି ଶାହା। ପ୍ରଧାନମନ୍ତ୍ରୀ ବି ସୀମାନ୍ତବର୍ତ୍ତୀ ୩ ରାଜ୍ୟ ଗୁଜରାଟ, ପଞ୍ଜାବ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି। ସେପଟେ ଗଣମାଧ୍ୟମ, ଡିଜିଟାଲ ପ୍ଲାଟଫର୍ମ ଓ ବ୍ୟକ୍ତିବିଶେଷଙ୍କୁ ଲାଇଭ୍ କଭରେଜରୁ ଦୂରେଇ ରହିବାକୁ ପ୍ରତିରକ୍ଷା ମନ୍ତ୍ରାଳୟ ଆଡଭାଇଜୋରି ଜାରି କରିଛି। ଡିଫେନ୍ସ ଅପରେସନ ଓ ସୁରକ୍ଷା ବଳର ଗତିବିଧିକୁ ନ ଦେଖାଇବାକୁ ପରାମର୍ଶ ଦେଇଛି। ଏଭଳି ସମ୍ୱେଦନଶୀଳ ସମୟରେ କଭରେଜ ବେଳେ ଉତ୍ତରଦାୟିତ୍ୱ ଓ ରାଷ୍ଟ୍ର ପ୍ରତି ସେବା ମନୋଭାବ ଦେଖାଇବାକୁ କହିଛି ପ୍ରତିରକ୍ଷା ମନ୍ତ୍ରାଳୟ।ବିଭିନ୍ନ ବିମାନବନ୍ଦରରେ ବି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର ବିମାନବନ୍ଦରରେ ହାଇଆଲର୍ଟ ଜାରି ହୋଇଥିଲା। ଯାତ୍ରୀଙ୍କ ବ୍ୟାଗ୍ ଓ ଆସବାବପତ୍ରକୁ ତନ୍ନ ତନ୍ନ କରି ଯାଞ୍ଚ କରିଛନ୍ତି ସୁରକ୍ଷାକର୍ମୀ। ଡଗ୍ ସ୍କ୍ୱାର୍ଡ ନେଇ ଯାଞ୍ଚ ହୋଇଛି ପୁରା ପରିସର। ଭୁବନେଶ୍ୱର ବିମାନବନ୍ଦରରେ ଅପରେସନ ସ୍ୱାଭାବିକ ଅଛି। ହିଣ୍ଡେନ ଏୟାରପୋର୍ଟ ବନ୍ଦ ଥିବାରୁ କେବଳ ଘାଜିଆବାଦ ଯାଉନି ବିମାନ। କେନ୍ଦ୍ରରୁ ସେମିତି କିଛି ମାର୍ଗଦର୍ଶିକା ଆସିନଥିଲେ ସୁଦ୍ଧା ଏସଓପି ମାନି କାମ ହେଉଛି। ଯାତ୍ରୀ ଭୟଭୀତ ହୁଅନ୍ତୁନି ବୋଲି କହିଛନ୍ତି ଭୁବନେଶ୍ୱର ବିମାନବନ୍ଦର ନିର୍ଦେଶକ ପ୍ରସନ୍ନ ପ୍ରଧାନ। ଓଡ଼ିଶା ସରକାର କହିଛନ୍ତି, ଯୁଦ୍ଧ ସ୍ଥିତିକୁ ଦେଖି ସରକାର ପ୍ରସ୍ତୁତି ବଢ଼ାଇଛନ୍ତି। ଚାନ୍ଦିପୁର, ହୀରାକୁଦ ଓ ସଇଁତଳା ଗୋଳାବାରୁଦ କାରଖାନା ଭଳି ସ୍ଥାନରେ ସୁରକ୍ଷା ବଢ଼ାଇ ଦିଆଯାଇଛି। ରାଜ୍ୟରେ ଥିବା ପର୍ଯ୍ୟଟନସ୍ଥଳୀରେ ଯାଞ୍ଚ ଓ ସୁରକ୍ଷା କଡ଼ାକଡ଼ି କରାଯାଇଛି ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଏଇଟା ଟ୍ରେଲର, ପାକିସ୍ତାନ ପୁରା ଫିଲ୍ମ ଦେଖିବ ଏବେ। ପାରାଦୀପ ବନ୍ଦର, ହୀରାକୁଦ ବନ୍ଧର ସୁରକ୍ଷାକୁ ବଢ଼ାଇଦିଆଯାଇଛି। ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି। ପର୍ଯ୍ୟଟକଙ୍କୁ ହୀରାକୁଦ ଡ୍ୟାମକୁ ଆଜିଠୁ ନ ଯିବାକୁ କୁହାଯାଇଛି। ଚାନ୍ଦିପୁରରେ ସୁରକ୍ଷା ବୈଠକ ବସିଥିଲା। ପିଏକ୍ସଇ କ୍ୟାମ୍ପସରେ ସୁରକ୍ଷା ବୈଠକ ଡାକିଥିଲେ ପୂର୍ବାଞ୍ଚଳ ରେଞ୍ଜ୍ ଡିଆଇଜି। ଭାରତୀୟ ସେନା ସଫଳତାର ସହ ପାକିସ୍ତାନର ବିଭିନ୍ନ ଆତଙ୍କବାଦୀ ସ୍ଥାନକୁ ନଷ୍ଟ କରିଥିବାରୁ ଶୁଭେଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଭାରତର ବୀର ଜବାନ ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକ୍ରମକୁ ଦମନ କରିଥିବାରୁ ସେନାର ସାହାସ, ପରାକ୍ରମକୁ ସମ୍ମାନ ଜଣାଇ କଂଗ୍ରେସ ତ୍ରିରଙ୍ଗା ଯାତ୍ରା କରିଛି। ରାମମନ୍ଦିରରୁ କଂଗ୍ରେସ ଭବନ ଯାଏ ପିସିସି ସଭାପତିଙ୍କ ନେତୃତ୍ୱରେ ଏହି ରାଲି ହୋଇଥିଲା। ବିଧାୟକ ବାହିନୀପତି କହିଛନ୍ତି, ସେ ଓଡ଼ିଶା ପୁଲିସରେ ଥିଲେ। ୟୁଦ୍ଧ ଲାଗି ଡାକରା ଆସିଲେ ସୀମାକୁ ଯାଇ ଲଢ଼ିବେ। ଭାରତୀୟ ଯୋଦ୍ଧାଙ୍କ ବୀରତାକୁ ଭୁରି ଭୁରି ପ୍ରଶଂସା କରିଛି କଂଗ୍ରେସ। ଯୁଦ୍ଧ ପରିପ୍ରେକ୍ଷୀରେ ସବୁଠି ହାଇଆଲର୍ଟ ସ୍ଥିତି। ଓଡ଼ିଶାରେ ବି ଏହାକୁ ନେଇ ପ୍ରସ୍ତୁତି ହୋଇଛି।


Naxatra News is now on Whatsapp
Join and get latest news update delivered to you via whatsapp
Join Now