ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରଦ୍ଧାଳୁଙ୍କ ଡଙ୍ଗା ଭସା

()ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ପଡିଛି। କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ହେତୁ ସୂର୍ଯ୍ୟୋଦୟଠାରୁ ପାକକର୍ମ, ଅନ୍ନଭୋଜନ, ଦେବନୀତି ନିଷେଧ କରାଯାଇଥିଲା। ଗ୍ରହଣ ସର୍ବମୋକ୍ଷ ହେବା ପରେ ଅର୍ଥାତ୍ ୬ଟା ୧୮ ମିନିଟ ୪୭ ସେକେଣ୍ଡ ପରେ ଲୋକେ ସ୍ନାନ କରି ଦେବନୀତି, ଖାଦ୍ୟ ସେବନ କରିବେ। ସେପଟେ ପୂର୍ଣ୍ଣିମାରେ ଗ୍ରହଣ ପଡ଼ିଥିବାରୁ ବିଳମ୍ୱିତ ରାତିରୁ ହିଁ ଆରମ୍ଭ ହୋଇଯାଇଥିଲା ଡଙ୍ଗା ଭସା। ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ଡଙ୍ଗା ଭସା ହୋଇଯାଇଛି।

ଧର୍ମ ମାସର ଶେଷ ଦିନ। ଚନ୍ଦ୍ରଗ୍ରହଣ ଲାଗି ଶ୍ରୀମନ୍ଦିରରେ ସଅଳ ଦ୍ୱାରଫିଟା ନୀତି ସମ୍ପନ୍ନ ହୋଇଥିଲା। ରାତି ୧୨ଟାରୁ ମଙ୍ଗଳ ଆଳତି ଓ ଅନ୍ୟାନ୍ୟ ନୀତିକାନ୍ତି ଆରମ୍ଭ ସହ ଠାକୁରଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଥିଲା। ଭୋର୍ ୫ଟା ୫୦ ସୁଦ୍ଧା ଭୋଗମଣ୍ଡପ ଉଠିବା ପରେ ସମସ୍ତ ନୀତିକାନ୍ତି ବନ୍ଦ କରାଯାଇଥିଲା। ସକାଳ ୬ଟାରୁ ଦିନ ୨ଟା ଯାଏ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶ୍ରୀଜିଉଙ୍କ ସୁନାବେଶ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଦିନ ୨ଟା ୩୮ରୁ ଗ୍ରହଣ ସ୍ପର୍ଶ କରିବ। ଶୃଙ୍ଖଳିତ ଦର୍ଶନ ଲାଗି ପ୍ରଶାସନ ସବୁ ବ୍ୟବସ୍ଥା କରିଛି। ଧର୍ମମାସର ଶେଷ ଦିନ ହୋଇଥିବାରୁ ହବିଷିଳୀ ବି ମହୋଦଧିରେ ବୁଡ଼ ପକାଇବା ସହ ଡଙ୍ଗା ଭସାଇ ବିଶେଷ ପୂଜାପାଠ କରିଛନ୍ତି। ଉତ୍କଳୀୟ ପରମ୍ପରା ଅନୁସାରେ ଆଜିର ଦିନରେ ସାଧବ ପୁଅ ବାଣିଜ୍ୟ ପାଇଁ ବୋଇତରେ ଦୂର ଦୂରାନ୍ତକୁ ଯାଉଥିବାର କିମ୍ବଦନ୍ତୀ ରହିଛି। ତେଣୁ  ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ। ବିଳମ୍ୱିତ ରାତିରୁ ବୁଡ଼ ପକାଇଛନ୍ତି। ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶକୁ ଦର୍ଶନ କରି ଅଭିଭୂତ ହେଉଛନ୍ତି ଶ୍ରଦ୍ଧାଳୁ।

ସେପଟେ ବିନ୍ଦୁସାଗର, ଦୟା ଓ କୁଆଖାଇରେ ଡଙ୍ଗା ଭସା ଲାଗି ପ୍ରବଳ ଭିଡ଼ ଲାଗିଥିଲା। ଗ୍ରହଣ ଲାଗି ବିଳମ୍ୱିର ରାତିରୁ ଭୋର୍ ସାଢ଼େ ୫ଟା ଯାଏ ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ। ଦୁଇ ବର୍ଷର କୋଭିଡ୍ କଟକଣା ପରେ ଅତି ଆନନ୍ଦ ଉଲ୍ଲାସର ସହ ଏହାକୁ ପାଳିଛନ୍ତି ସଭିଏଁ। ଡଙ୍ଗା ଭସାଇବା ସହ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବେଶ୍ ଉପଭୋଗ କରିଛନ୍ତି। ପ୍ରଶାସନ ପକ୍ଷରୁ ବି ସୁରକ୍ଷା ଓ ଶୃଙ୍ଖଳା ଦୃଷ୍ଟିରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ କଳିଙ୍ଗର ସାଧବ ପୁଅଙ୍କର ବୀରତ୍ୱର ଗାଥା ଗାରିମାକୁ ଉଜ୍ଜିବୀତ କରିବାକୁ ମହା ଆଡ଼ମ୍ୱରରେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଛି। ଏକ ସୁସଜ୍ଜିତ ବୋଇତରେ ପାରମ୍ପରିକ ବେଶଭୂଷାରେ ସାତ ସାଧବ ପୁଅଙ୍କୁ ସାତ ସାଧବାଣୀ ବନ୍ଦାପନା କରି ମେଲାଣୀ ଦେବା ପରେ ପ୍ରତୀକାତ୍ମକ ଯାତ୍ରା ଆରମ୍ଭ ହୋଇଛି। ସେହିଭଳି ଗୋଦାବରୀ ନଦୀପଠାରେ କେନ୍ଦ୍ରାପଡ଼ା ବାଲିଯାତ୍ରା ମହୋତ୍ସବ ଓ ବୋଇତବନ୍ଦାଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ୭ ଦିନ ଧରି ଚାଲିବାକୁ ଥିବା ଏହି ବାଲିଯାତ୍ରା ମହୋତ୍ସବରେ ଦେଢଶହରୁ ଅଧିକ ଷ୍ଟଲ ପଡ଼ିଛି। ସମୃଦ୍ଧ ନୌବାଣିଜ୍ୟ ପରମ୍ପରାକୁ ନେଇ ନଦୀପଠା କମ୍ପୁଛି।

କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତବନ୍ଦାଣ ଉତ୍ସବ ଅବସରରେ ବ୍ରହ୍ମପୁରର ବାଲୁକା ଶିଳ୍ପୀ ସତ୍ୟ ମହାରଣା ଗୋପାଳପୁର ବେଳାଭୂମିରେ ନିଜ କଳାକୁ ପ୍ରଦର୍ଶନ କରିଛନ୍ତି।

ପୁରୀରୁ ପିଣ୍ଟୁ, କେନ୍ଦ୍ରାପଡ଼ାରୁ ଦିଲ୍ଲୀପ, ପାରାଦୀପରୁ ସୁବ୍ରତ,ବ୍ରହ୍ମପୁରରୁ ଇତିଶ୍ରୀ ଓ ଭୁବନେଶ୍ୱରରୁ ସିମ୍ପୁଲ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *