ଓଡ଼ିଶା

ନବୀନଙ୍କ ଉପରେ ବିରୋଧୀ ମେଣ୍ଟ ନଜର

() ବିରୋଧୀ ଦଳକୁ ଏକଜୁଟ୍ କରି ମୋଦିଙ୍କ ବିରୁଦ୍ଧରେ ଲଢ଼ିବା ଓ ବିଜେପିକୁ ହଟାଇବାକୁ କେସିଆର, ନୀତିଶ, ମମତାଙ୍କ ଭଳି ଅନେକ ମୁଖ୍ୟମନ୍ତ୍ରୀ ଅଭିଯାନ ଆରମ୍ଭ କରିଛନ୍ତି। କିନ୍ତୁ ଅଣବିଜେପି ସରକାର ଭାବେ ଦୀର୍ଘ ବର୍ଷ ହେଲା ଓଡ଼ିଶାରେ ଶାସନ କରୁଥିବା ବିଜେଡି ଓ ଏହାର ସୁପ୍ରିମୋ ନବୀନଙ୍କ ମତିଗତିକୁ ନେଇ ସ୍ପଷ୍ଟ ଆଭାସ ପାଇପାରୁନାହାନ୍ତି ବିରୋଧୀ ଦଳ।

 ନବୀନ ସମଦୂରତା ଫଣ୍ଡା ଛାଡ଼ନ୍ତୁ। ନୀତିଶଙ୍କ ୨୦୨୪ ଫର୍ମୁଲାକୁ ଆପଣାନ୍ତୁ।  ଅଣବିଜେପି ଓ ଜନତା ପରିବାରକୁ ଏକାଠି କରିବାକୁ ପଣ ନେଇଥିବା ନୀତିଶଙ୍କ ସହ ହାତ ମିଳାନ୍ତୁ ନବୀନ। କାରଣ ଜନତା ଦଳରୁ ରାଜନୀତି ଆରମ୍ଭ କରିଥିଲେ ନବୀନ।  ବିହାର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଓଡ଼ିଶା ଭଳି ଗରିବ ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତାର ଦ୍ୱାହି ଦେଇ ଭୁବନେଶ୍ୱରରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଜେଡିୟୁର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କେ.ସି.ତ୍ୟାଗୀ ନବୀନଙ୍କୁ ଏଭଳି ଅପିଲ୍ କରିଥିଲେ।

ତେବେ ଆରମ୍ଭରୁ ନବୀନ ଉଭୟ ବିଜେପି ଓ କଂଗ୍ରେସ ସହ ସମଦୂରତ୍ୱ ରଖି ରାଜନୀତି କରି ଆସୁଛନ୍ତି। ପଦ୍ମପୁର ଉପନିର୍ବାଚନରେ ଜିତିବା ପରେ ବିଜେପିକୁ ଶାଣିତ ଆକ୍ରମଣ କରିଥିଲେ ନବୀନ। କେନ୍ଦ୍ରରେ ଥିବା ବିଜେପି ସହ ମିଶିକି ଲୋକଙ୍କ  ବିକାଶ କରିବୁ ବୋଲି କହିଥିଲେ ନବୀନ। କିନ୍ତୁ ତା ସହ ବି ଯୋଡ଼ିଥିଲେ, କେନ୍ଦ୍ରୀୟ ଅବହେଳାକୁ ଘଣ୍ଟ ଘୋଡ଼ାଇବାକୁ ଅପପ୍ରୟାସ ଚାଲିଛି। ସେପଟେ ଦଳ ବି କହିଛି, ରାଜ୍ୟର ବିକାଶ ଲାଗି ବିଜେଡି ଓ ନବୀନ ପୁରା ସମର୍ପିତ। ରାଜନୀତିକୁ ସେବା ଭାବେ ବ୍ରତ କରିଛି ଦଳ। ରାଜ୍ୟର ହିତକୁ ଦେଖି ନବୀନ ନିଷ୍ପତ୍ତି ନିଅନ୍ତି।

ସେପଟେ ବିଜେଡି-ବିଜେପି କିଭଳି ଦିଲ୍ଲୀରେ କୋଳାକୋଳି ଓ ଏଠି କଳି କରି ସୁଆଙ୍ଗ ରଚୁଛନ୍ତି, ତାକୁ ନେଇ କଟାକ୍ଷ କରିଛି କଂଗ୍ରେସ। ନବୀନ ସମସ୍ତଙ୍କ ସହ ସମ୍ପର୍କ ଭଲ। ହୁଏତ ବାଧ୍ୟବାଧକତାରେ ଏ ସମ୍ପର୍କ ଥାଇପାରେ। କିନ୍ତୁ ନବୀନ ନୀତିଶଙ୍କ ପଟକୁ ଢଳିବା ସମ୍ଭାବନା କମି। ପ୍ରତିଟି କଥାରେ ମୋଦିଙ୍କ ସହ ଡିଲ୍ ହେଉଥିବାରୁ ବିଜେପିଠୁ ଦୂରେଇ ରହିଲେ ଅସୁବିଧାରେ ପଡ଼ିବେ ନବୀନ। ଆଉ ବିଜେପି କହିଛି, ନବୀନଙ୍କ ଜାତୀୟ ରାଜନୀତିରେ କୌଣସି ଭୂମିକା ନାହିଁ। ନବୀନ  ଓ ନୀତିଶ ଉଭୟ ବିଜେପି ଦୟାରୁ ମୁଖ୍ୟମନ୍ତ୍ରୀ। ବିହାରରେ ନୀତିଶ ଓ ଓଡ଼ିଶାର ନବୀନ ବିଜେପି ସହ ବିଶ୍ୱାସଘାତ କରିଛନ୍ତି। ଦୁଇ ବିଶ୍ୱାସଘାତକ ଏକାଠି ହେଲେ ବି କୌଣସି ପ୍ରଭାବ ପଡ଼ିବନି। ମୋଦିଙ୍କ ଲୋକପ୍ରିୟତା ଓ ଜନତାଙ୍କର ବିଶ୍ୱସନୀୟତା ଆଗରେ ଏଭଳି ଅନେକ ତୃତୀୟ ଫ୍ରଣ୍ଟ୍ ଓ ମେନ୍ ଫ୍ରଣ୍ଟ ଆସିଛି ଆଉ ଚାଲିଯାଇଛି।

ମେନ୍ ଫ୍ରଣ୍ଟର ମଙ୍ଗ ଧରିଛନ୍ତି ନୀତିଶ। ଆଉ ଏହି ପରିପ୍ରେକ୍ଷୀରେ ନବୀନଙ୍କ ସମଦୂରତ୍ୱ ଫର୍ମୁଲା ଏ ସବୁ ଫ୍ରଣ୍ଟକୁ ନେଇ ବଦଳିବାର ସମ୍ଭାବନା କ୍ଷୀଣ ବୋଲି ଲାଗୁଛି।

ନବକିଶୋର ସାହୁଙ୍କ ସହ ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button