ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ସୁଆଣ୍ଡୋରୁ ବିଜେଡି ଆରମ୍ଭ କଲା ଜନସମ୍ପର୍କ ପଦଯାତ୍ରା। ଆଜିଠୁ ମାସେ ବ୍ୟାପୀ ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରିଛି ଦଳ। ଓଡ଼ିଶାବାସୀଙ୍କ ହକ୍ ଓ ଅଧିକାର ପାଇଁ ସଂକଳ୍ପବଦ୍ଧ ହୋଇ ଆଗକୁ ବଢ଼ିବ ବୋଲି ପଣ କରିଛି ବିଜେଡି। ଘରକୁ ଘର ପହଞ୍ଚିବା ଓ ସମ୍ପର୍କ ମଝବୁତ୍ କରିବା ଆଦିକୁ ନେଇ ସଂକଳ୍ପ ନେଇଛି ଦଳ। ସେବା, ସ୍ୱାଭିମାନ ଓ ସଂଗ୍ରାମ ରାସ୍ତାରେ ଯିବାକୁ ଅପିଲ୍ କରିଛନ୍ତି ନବୀନ। ଗଲା ୧୫ ମାସ ଭିତରେ ମୋହନ ସରକାରର କାର୍ଯ୍ୟଧାରା ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ନାରୀ ନିର୍ଯାତନା, ରଙ୍ଗବଦଳା, ମିଛ ପ୍ରତିଶୃତିରେ ଭରା। ନିଯୁକ୍ତି କେଳେଙ୍କାରୀ, ପ୍ରଶ୍ନପତ୍ର ଲିକ୍ ଆଦିରେ ବୁଡ଼ିରହିଛି ବିଜେପି। ସରକାରଙ୍କ ଦୁର୍ବଳତାକୁ ପଦାରେ ପକାଇବୁ ବୋଲି କହିଛି ବିଜେଡି। ଗୋପବନ୍ଧୁଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଅବସରରେ ବିଧାନସଭା ପରିସରରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ। ବିଜେଡି ପଦଯାତ୍ରା ନେଇ ଶାସକ ଦଳ କହିଛି, ଗୋପବନ୍ଧୁଙ୍କ ମାଟିକୁ କଳଙ୍କିତ କରିବାକୁ ଯାଇଛି ବିଜେଡି। ନିଜକୁ ଦାୟାଦ କହୁଥିବା ଲୋକ ସର୍ବସ୍ୱ ବିକି ଦେଇଥିଲା। ଆମ ଅସ୍ମିତାର ସୁରକ୍ଷା ଆମ ଦାୟିତ୍ୱ। ୧୫ ମାସର ସରକାରର ବିକାଶରେ ଅସହିଷ୍ଣୁ ହୋଇପଡ଼ିଛି ବିଜେଡି। ପଦଯାତ୍ରାର କିଛି ଫରକ୍ ପକାଇବନି। ପ୍ରାକୃତିକ ବିପତ୍ତିକୁ ସାମ୍ନା କରିବାକୁ ସବୁ କିଛି ତ୍ୟାଗ କରି ଯିଏ ଆଗେଇଆସିଥିଲେ। ତାଙ୍କ ମାଟିକୁ କଳଙ୍କିତ କରିବାକୁ ବିଜେଡି ଯାଇଛି। ଗୋପବନ୍ଧୁଙ୍କ ମାର୍ଗକୁ କେବେ ବି ବିଜେଡି ପାଥେୟ କରିନି। ବର୍ଷ ବର୍ଷ ଧରି ମହାପୁରୁଷଙ୍କ ନାଁ ନେଇ ଡ୍ରାମାବାଜି କରିଆସିଛି ବିଜେଡି। ବିଜେଡି ପଦଯାତ୍ରାକୁ କଟାକ୍ଷ କରି ବିଧାୟକ ସରୋଜ ପାଢ଼ୀ କହିଛନ୍ତି, ନବୀନ ଆଉ ଓଡ଼ିଶା ଆସିବେନି। ୨୪ବର୍ଷର କୁକର୍ମ ଲାଗି ନବୀନଙ୍କୁ ଲୋକେ ପ୍ରତ୍ୟାଖ୍ୟାନ କରିଥିବାରୁ ନବୀନ ଓଡ଼ିଶା ଛାଡ଼ି ପଳାଇଛନ୍ତି। ନେତୃତ୍ୱ ନ ଥାଇ କି ପଦଯାତ୍ରା କରୁଛି ବିଜେଡି। ବିରୋଧୀ ଦଳ ନେତା ଭାବେ ବିଧାନସଭାକୁ ଆସିଲେନି କି ଦଳର ସଭାପତି ଭାବେ ଦଳୀୟ କାର୍ଯ୍ୟକ୍ରମକୁ ଆସିଲେନି। ଏଥିରୁ ସ୍ପଷ୍ଟ ବିଜେପି ମୁରବୀଶୂନ୍ୟ ହୋଇସାରିଲାଣି। ବିଜେଡିର ଭବିଷ୍ୟତ ଅନ୍ଧାର। ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି, ଦଳୀୟ ସଂକଟ ଦେଇ ଗତି କରୁଛି ବିଜେଡି। ସେବା, ସଂଗ୍ରାମ ଓ ସ୍ୱାଭିମାନର କଥା କହୁଥିବା ବିଜେଡି ଶାସନରେ ବେକାରୀ, ଅପରାଧ, ଶିଶୁ ମୃତ୍ୟୁହାର ଉଦବେଗଜନକ ଥିଲା। ପଦଯାତ୍ରାରେ ମହିଳାଙ୍କୁ ସୁଭଦ୍ରା, ଚାଷୀଙ୍କୁ ଇନପୁଟ ସବସିଡି ଓ ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦେଇପାରିଲାନି ବୋଲି ବିଜେଡି କହୁ। ମହାପୁରୁଷ କହିଲେ କେବଳ ବିଜୁ ବାବୁଙ୍କ ଭିତରେ ସୀମିତ କରିଦେଇଥିଲା ବିଜେଡି। ବିଜୁଙ୍କୁ ଛାଡ଼ିଦେଲେ ଆଉ କାହା ନାଁରେ ଯୋଜନା ହେଉନଥିଲା କି ପ୍ରତିମୂର୍ତ୍ତି ପ୍ରତିଷ୍ଠା କରୁନଥିଲା ବିଜେଡି। ସେପଟେ ନୂଆପଡ଼ା ଗସ୍ତରେ ଥାଇ ନ୍ୟାୟ ସମାବେଶ ଯାତ୍ରା ଜାରି ରଖିଛନ୍ତି ପିସିସି ସଭାପତି। ଆଜି ଗୋପବନ୍ଧୁ ଜୟନ୍ତୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପିସିସି ସଭାପତି। ନାରୀ ନିର୍ଯାତନା, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାରୁ ନେଇ ସବୁ କଥାରେ ଓଡ଼ିଶା ଆଗରେ। ୨୪ ବର୍ଷର ବିଜେଡି ସରକାର ଅମଳରେ ଯେତିକି କୁଶାସନ ଥିଲା, ବିଜେପିର ଦେଢ଼ ବର୍ଷ ତାଠୁ ବଳିଗଲା। ଭୁବନେଶ୍ୱରରେ ଯୁବ କଂଗ୍ରେସ ପକ୍ଷରୁ ଭୋଟ ଚୋରୀ, ସରକାରୀ ଚାକିରୀ ବିକ୍ରି ଅଭିଯୋଗରେ ବିଶାଳ ରାଲି ହୋଇଛି। ରାଲି ଓ ବିକ୍ଷୋଭ କରି ଡବଲ ଇଞ୍ଜିନ୍ ସରକାର ବିରୁଦ୍ଧରେ ଗର୍ଜିଛି ଯୁବ କଂଗ୍ରେସ। ରଣହୁଂକାର ଛାଡ଼ି ଯୁବ କଂଗ୍ରେସ ପ୍ରତାରଣା ପ୍ରତିବାଦ ସମାବେଶ କରିଛି।ଗୋପବନ୍ଧୁ ଜୟନ୍ତୀରେ ପଦଯାତ୍ରା ପଲିଟିକ୍ସ ତେଜିଛି। ଗୋପବନ୍ଧୁଙ୍କ ଆଦର୍ଶ ଓ ବିଚାରଧାରାରେ ଚାଲିବାକୁ ପଣ କରିଥିବା ପ୍ରମୁଖ ଦଳ ଭିତରୁ ବାସ୍ତବରେ କିଏ ଏ ରାସ୍ତାରେ ଚାଲିଛି, ତାକୁ ପରଖୁଛନ୍ତି ଜନତା।
Naxatra News is now on Whatsapp
Join and get latest news update delivered to you via whatsapp
Join Now