
() ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାରୁ ୪ ଜଣ ପଦ୍ମଶ୍ରୀ ପୁରଷ୍କାର ଲାଗି ମନୋନୀତ ହୋଇଛନ୍ତି। କଳା କ୍ଷେତ୍ରରେ କଣ୍ଢେଇ ନୃତ୍ୟଗୁରୁ ମାଗୁଣି ଚରଣ କୁଅଁର, କଣ୍ଠଶିଳ୍ପୀ କ୍ରିଷ୍ଣା ପଟେଲ ମନୋନୀତ ହୋଇଥିଲା ବେଳେ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଅନ୍ତର୍ଯ୍ୟାମୀ ମିଶ୍ର ଏବଂ କୃଷି କ୍ଷେତ୍ରରେ ପଟାୟତ ସାହୁ ମନୋନୀତ ହୋଇଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜନ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏମାନେ ପୁରଷ୍କୃତ ହେବେ।
ପଦ୍ମ ସମ୍ମାନରେ ସମ୍ମାନିତ ହେବେ ୪ ଓଡ଼ିଆ। ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର, ପଟାୟତ ସାହୁ, ମାଗୁଣି କୁଅଁର ଓ କ୍ରିଷ୍ଣା ପଟେଲ। ଶାସ୍ତ୍ରୀୟ ଓଡ଼ିଆ ଭାଷା ପାଇଁ ରାଷ୍ଟ୍ରପତି ପୁରଷ୍କାରପ୍ରାପ୍ତ ବିଶିଷ୍ଟ ସାହିତ୍ୟିକ, ଗବେଷକ, ସ୍ତମ୍ଭକାର ଢେଙ୍କାନାଳ ଜିଲ୍ଲା ନିବାସୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ପଦ୍ମଶ୍ରୀ ପୁରଷ୍କାର ଲାଗି ମନୋନୀତ ହେବା ପରେ ଖୁସି ବ୍ୟକ୍ତ କରିଛନ୍ତି। ୩୦ଟି ଜିଲ୍ଲାର ସାଂସ୍କୃତିକ ଇତିହାସ ରଚନା ସହ ସଂପୃକ୍ତ ରହି ବହୁ ଗବେଷଣାଧର୍ମୀ ପ୍ରବନ୍ଧ ରଚନା କରିଛନ୍ତି ମିଶ୍ର।
ସେପଟେ କଳାହାଣ୍ଡିର ପ୍ରଥମ ପଦ୍ମଶ୍ରୀ ପାଇବାକୁ ଯାଉଛନ୍ତି ପଟାୟତ ସାହୁ। ଦେଢ଼ ଏକର ଜମିରେ ୩ ହଜାରରୁ ଅଧିକ ପ୍ରଜାତିର ଔଷଧୀୟ ବୃକ୍ଷ ଲଗାଇ ମୋଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ଚର୍ଚ୍ଚାକୁ ଆସିଥିଲେ ସାହୁ। ଏଥିରୁ ପ୍ରାୟ ୫ଶହରୁ ଅଧିକ ପ୍ରଜାତିର ଔଷଧୀୟ ବୃକ୍ଷ ଦେଶର ବିଭିନ୍ନ ସ୍ଥାନରୁ ସଂଗ୍ରହ କରିଛନ୍ତି। ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବେ ବୋଲି ଜାଣିବା ପରେ ସେ କହିଛନ୍ତି କି, ଆୟୁର୍ବେଦକୁ କେନ୍ଦ୍ର ସରକାରଙ୍କ ସ୍ୱୀକୃତି ମିଳିଛି। ଆଗାମୀ ଦିନରେ ଏହାକୁ ସେ ଅଧିକ ବ୍ୟାପକ କରିବେ।
ବୟସର ଅପରାହ୍ନରେ ପହଞ୍ଚିଥିବା କେନ୍ଦୁଝରର କଣ୍ଢେଇ ନୃତ୍ୟଶିଳ୍ପୀ ମାଗୁଣି କୁଅଁର ମର୍ଯ୍ୟାଦାଜନକ ପଦ୍ମଶ୍ରୀ ସମ୍ମାନ ପାଇବେ। କଣ୍ଢେଇ ନୃତ୍ୟର ପ୍ରଚାର ସାଙ୍ଗକୁ ଏହାକୁ ପରବର୍ତ୍ତୀ ପିଢ଼ି ପାଇଁ ବଞ୍ଚାଇରଖିବା ଦିଗରେ ଅହରହ ଉଦ୍ୟମ କରିଆସୁଛନ୍ତି ମାଗୁଣୀ। କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ, ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀ ସମ୍ମାନରେ ସମ୍ମାନିତ ମାଗୁଣୀ କେବେ ପୁରଷ୍କାର ପଛରେ ଧାଇଁନାହାନ୍ତି। ତେବେ କଣ୍ଢେଇ ନାଚକୁ ବଞ୍ଚାଇ ରଖିବାକୁ ହେଲେ ଏକ ଏକାଡେମୀ ଖୋଲାଯିବା ଦରକାର ବୋଲି କହିଛନ୍ତି ମାଗୁଣୀ। ସେହିଭଳି ରଙ୍ଗବତୀ ଗାୟିକା କ୍ରିଷ୍ଣା ପଟେଲଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ। ୫ଶହରୁ ଅଧିକ ଲୋକପ୍ରିୟ ଗୀତ ଗାଇଥିବା କ୍ରିଷ୍ଣାଙ୍କୁ ପଦ୍ମଶ୍ରୀ ସମ୍ମାନ ଲାଗି ବିବେଚିତ କରାଯିବା ପରେ ସେ କହିଛନ୍ତି କି, ପଶ୍ଚିମ ଓଡ଼ିଶାର ଲୋକକଳା ଓ ସଂସ୍କୃତିକୁ ଏହି ସମ୍ମାନ ମିଳିଛି।
ମର୍ଯ୍ୟାଦାଜନକ ପଦ୍ମଶ୍ରୀ ପୁରଷ୍କାର ପାଇବାକୁ ଏହି ୪ ଓଡ଼ିଆ ମନୋନୀତ ପରେ ସବୁଠି ଖୁସିର ମାହୋଲ ଖେଳିଯାଇଛି।