ବିଧାନସଭାର ଶୂନ୍ୟକାଳରେ ବିଧାୟକଙ୍କ ଦରମା, ଭତ୍ତା ବୃଦ୍ଧି ସାଙ୍ଗକୁ ପୂର୍ବତନ ବିଧାୟକଙ୍କ ପେନସନ ବଢ଼ାଇବା ନେଇ ଦଳମତ ନିର୍ବିଶେଷରେ ସମସ୍ୱର ଶୁଭିଥିଲା ଗୃହରେ। ତେବେ ପାଳି ପଡ଼ିଥିଲା ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କର। ନିଜ କଥା ରଖିବା ଆରମ୍ଭରୁ ଅଚାନକ ଗୃହ ଭିତରେ ବିଜେଡିର ଦୁଇ ତୁଙ୍ଗ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ ସାହୁଙ୍କୁ ଡାକ ପକାଇ ଖୋଜିବାକୁ ଲାଗିଥିଲେ ପଦ୍ମ। ଗୃହରେ ନଥିଲେ ଅବଶ୍ୟ ରାଜା ସ୍ୱାଇଁ। କିନ୍ତୁ ଅରୁଣ ନିଜ ଆସନରେ ବସିଥିଲେ। ପଦ୍ମଙ୍କ ଏଭଳି ଡାକରାର ତୁରନ୍ତ ଉତ୍ତର ଦେଇ ଅରୁଣ କହିଥିଲେ, ଭାଇ ପାଖରେ ଅଛି। କୁଆଡ଼େ ଯାଇନି। ଶୁଖିଗଲଣି କହି ଅରୁଣଙ୍କୁ କହିବାରୁ ଗୃହରେ ହାସ୍ୟରୋଳ ସୃଷ୍ଟି ହୋଇଥିଲା। ଆଉ ତାପରେ ପଦ୍ମଲୋଚନ ଆରମ୍ଭ କରିଥିଲେ ବଙ୍ଗଳାର ଏକ ଗୀତରୁ ନିଜ ବିବୃତ୍ତି। ଯାହାର ଜୀବନରେ ଦୁଃଖରେ ଗଢ଼ା, ତା ଜୀବନେ ସୁଖ ଆସିବ କୁଆଡ଼ୁ। ହାଇସ୍କୁଲର ପିଅନ ପାଇଲେଣି ୫୫ହଜାର। ପ୍ରାଥମିକ ଶିକ୍ଷକଙ୍କ ଦରମା ୭୫ହଜାର। ଆଉ ଅଧ୍ୟାପକଙ୍କ ଦରମା ଦେଢ଼ ଲକ୍ଷରୁ ୨ଲକ୍ଷ। ଅଧ୍ୟାପକଙ୍କ ଦରମା ଆଇଏଏସ ଅଫିସରଙ୍କଠୁ ବି ଅଧିକ। ଆଇନ ପ୍ରଣେତା ଭାବେ ଏମାନଙ୍କୁ ଆମେ ନିଯୁକ୍ତି ଦେଉଛେ। ଅର୍ଥାତ୍ ଆମ ଦରମା କଥା ନ କହିବା ଭଲ। ବାଚସ୍ପତି ବି ଜଣେ ଅନୁଭବୀ। ସେ ମଧ୍ୟ ଦୀର୍ଘ ବର୍ଷ ପରେ ବିଧାନସଭାକୁ ଫେରିଛନ୍ତି। ପୂର୍ବତନ ବିଧାୟକ ହିସାବରେ ପାଉଥିବା ପେନସନ କେତେ ନିଅଣ୍ଟ, ଏ କଥା ବୁଝାଇବାକୁ ପଡ଼ିବନି। ଲବିରେ ୬୦ରୁ ୭୦ ପୂର୍ବତନ ବିଧାୟକ ତାଙ୍କ ଦୁଃଖ ନିବାରଣ କରିବାକୁ ଆମେ ଗୃହରେ କଅଣ କହୁଛୁ ଓ କଅଣ କରୁଛୁ, ସେମାନେ ଶୁଣିବାକୁ ବସିଛନ୍ତି। ସେଥିଲାଗି ବିଧାୟକଙ୍କ ଦରମା, ଭତ୍ତା ବଢ଼ାଇବା ସହ ପୂର୍ବତନ ବିଧାୟକଙ୍କ ପେନସନ ରାଶି ବଢ଼ାଇବା ଦରକାର ବୋଲି କହିଥିଲେ ପଦ୍ମଲୋଚନ।


Naxatra News is now on Whatsapp
Join and get latest news update delivered to you via whatsapp
Join Now