ଓଡ଼ିଶାରାଜନୀତି

୧୩ ଭରିଲେ ନାମାଙ୍କନ

 ପଦ୍ମପୁର:  ସରିଲା ନାମାଙ୍କନ ଦାଖଲ ସମୟ । ଶେଷ ଦିନରେ ୩ ପ୍ରମୁଖ ରାଜନୈତିକ ଦଳ ସହ ୧୦ଜଣ ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ପ୍ରଥମେ ସ୍ୱାଧୀନ ପ୍ରାର୍ଥୀଙ୍କ ନୋମିନେସନ ଫାଇଲ ପରେ ପରେ ବିଜେଡ଼ି ନାମାଙ୍କନ ଭରିଲା । ଆଉ ତା ପଛକୁ ବିଜେପି ଏବଂ କଂଗ୍ରେସ ଥାଟ ପଟୁଆରରେ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

 ଛକାପଞ୍ଝା ଭିତରେ ନାମାଙ୍କନ ଭରିଲେ ୩ ପ୍ରମୁଖ ରାଜନୈତିକ ଦଳ ଓ ୫ ସ୍ୱାଧୀନ ପ୍ରାର୍ଥୀ । ସ୍ଥାନୀୟ ସମସ୍ୟା ଓ ତାରି ଆଧାରରେ ଜାରି ରହିଥିବା ଆନ୍ଦୋଳନ ପାଇଁ ନିରସିଆ ହେଲା ନାମାଙ୍କନ ପର୍ବ । ବିଶେଷ କରି କେବଳ ଦଳୀୟ କର୍ମୀଙ୍କ ମଧ୍ୟରେ ଆସି ବିଜେଡ଼ି ଓ ବିଜେପି ନାମାଙ୍କନ ଭରିଲେ । କିନ୍ତୁ କଂଗ୍ରେସ ଶିବିରର ପ୍ରସ୍ତୁତି ଭିନ୍ନ ଥିଲା । ଶହଶହ ସମର୍ଥଙ୍କ ସହ ପୁରୁଖା ନେତା ତଥା ୩ ଥରର ବିଧାୟକ ସତ୍ୟଭୂଷଣ ସାହୁ ନୋମିନେସନ୍ ଫାଇଲ କଲେ । ପଦ୍ମପୁର ଉପନିର୍ବାଚନ ପାଇଁ ଗୁରୁବାର ଥିଲା ନୋମିନେସନର ଶେଷ ଦିନ। ସକାଳୁ ସକାଳୁ ବିଜେଡ଼ି ପ୍ରାର୍ଥୀନି ବର୍ଷା ସିଂ ବରିହା ଘରର ଇଷ୍ଟ ବୁଢା ରାଜାଙ୍କ ପାଖେ ପୂଜାର୍ଚ୍ଚନା କରିଥିଲେ । ତା ସହ ବାପା ଦିବଂଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଫଟୋରେ ପୁଷ୍ପମାଲ୍ୟ ଓ ମାଙ୍କ ଆଶିର୍ବାଦ ନେଇ ନାମାଙ୍କନ ଦାଖଲ ପାଇଁ ଉପ ଜିଲ୍ଲାପାଳଙ୍କ କର୍ଯ୍ୟାଳୟକୁ ଯାଇଥିଲେ । ସାଙ୍ଗରେ ଥିଲେ ବିଜେଡ଼ିର ଅନେକ ହେବିୱେଟ। ତେବେ ନୋମିନେସନ୍ ପୂର୍ବରୁ ଚାଷୀ ନେତାଙ୍କ ଆଶୀର୍ବାଦ ନେବା ଭୁଲି ନଥିଲେ । ।

ସେପଟେ ସୋମବାର ନାମାଙ୍କନ ଭରିବାକୁ ଆସି ଫେରିଯାଇଥିବା ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ମଧ୍ୟ ଶେଷ ଦିନରେ ନାମାଙ୍କନ ଭରିଛନ୍ତି । ବିଜେଡ଼ି ପ୍ରାର୍ଥୀ ନାମାଙ୍କନ ଭରି ସାରିଲା ପରେ ସେ ନିଜ ଦଳର ହେବିୱେଟଙ୍କ ସହ ଯାଇ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ତେବେ ବିଜେପି କୃଷକଙ୍କ ଦାବିକୁ ସମ୍ମାନ ଜଣାଇ ପ୍ରଥମେ ନୋମିନେସନ କରିନଥିଲା । ଯେହେତୁ ଅନ୍ୟ ରାଜନୈତିକ ଦଳ ନିର୍ବାଚନରେ ଭାଗ ନେଲେ ତେଣୁ ବିଜେପି ମଧ୍ୟ ଗଣତନ୍ତ୍ରକୁ ସମ୍ମାନ ଜଣାଇ ନିର୍ବାଚନ ଲଢିବାକୁ ସ୍ଥିର କଲା ବୋଲି ବିଜେପି ସଭାପତି କହିଛନ୍ତି । ଅନ୍ୟପଟେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ମୁତାବକ କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁ ଶହ ଶହ କର୍ମୀଙ୍କ ସହ ପ୍ରୋସେସନରେ ଆସି ନାମାଙ୍କନ ଭରିଛନ୍ତି ।

ସେପଟେ ପଦ୍ମପୁର ଉପନିର୍ବାଚନ ମୈଦାନକୁ ଅନ୍ୟ ସ୍ୱାଧୀନ ପ୍ରାର୍ଥୀଙ୍କ ସହ ଜଣେ ଯୁବ ଇଞ୍ଜିନିୟର ମଧ୍ୟ ଓହ୍ଲାଇଛନ୍ତି । ଆମେରିକାରୁ ଚାକିରି ଛାଡ଼ି ନିଜ ଜନ୍ମମାଟିର ସେବା କରିବାକୁ ମନ ବଳାଇଛନ୍ତି ଯୁବ ଇଞ୍ଜିନିୟର ଉଦିତ ବୋନ୍ଦିଆ । ବିଭିନ୍ନ ରାଜନୈତିକ ଦଳ ନିଜର ସ୍ୱାର୍ଥ ପାଇଁ ପଦ୍ମପୁରକୁ ବ୍ୟବହାର କରୁଛନ୍ତି। ତେଣୁ ଏଥର ଲୋକ ସ୍ୱାଧିନ ପ୍ରାର୍ଥୀଙ୍କୁ ଭରଷା କରିବେ ବୋଲି ସେ କହିଛନ୍ତି।

ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି । ଆଗକୁ ପ୍ରଚାର ଜମିବ । ଏହାସହ ନିର୍ବାଚନ ମାହୋଲ ଅଧିକ ସରଗରମ ହେବ । ହେଲେ ସ୍ଥାନୀୟ ସମସ୍ୟାକୁ ନେଇ କିଏ କେମିତି ନିର୍ବାଚନ ଲଢୁଛି ତାହା ଦେଖିବା ବାକି ରହିଲା

ବରଗଡ଼ରୁ ଧ୍ରୁବ କର୍ମୀ ଓ ଭୁବନେଶ୍ୱରରୁ ନବ କିଶୋର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button