
ପଦ୍ମପୁର: ପଦ୍ମପୁର ଉପ-ନିର୍ବାଚନ। ଏହା କେତେ ଗୁରୁତ୍ୱ ପୂର୍ଣ୍ଣ କାହାକୁ ବୁଝାଇବାକୁ ପଡ଼ିବନି। କାରଣ ପଦ୍ମପୁରରେ ରେଡ୍ ପଲିଟିକ୍ସ, ହିଂସା, ଜାତିଆଣ କାର୍ଡ, ପୁଅ-ବୋହୂ ଥିଓରୀ ଆଦି ଅନେକ କଥା ଯେମିତି ଚାଷୀ, କେନ୍ଦୁପତ୍ର ତୋଳାଳି ଓ ଜିଲ୍ଲା ମାନ୍ୟତା ପ୍ରସଙ୍ଗକୁ ଗୌଣ କରିଦେଇଛି। ନିୟମିତ ବ୍ୟବଧାନରେ ପରସ୍ପର ବିରୁଦ୍ଧରେ ସିଇଓଙ୍କ ପାଖରେ ବିଜେଡି-ବିଜେପିର ଫେରାଦ୍ ଅଧ୍ୟାୟ ସାଙ୍ଗକୁ ପଦ୍ମପୁର ପ୍ରଚାର ପାଇଁ ବିଧାନସଭାରେ ମନ୍ତ୍ରୀ ମରୁଡ଼ି ଭଳି ଅଭାବନୀୟ ସ୍ଥିତି ଉପୁଜିଥିଲା।
ପଦ୍ମପୁର ଆଗରେ ସବୁ ଗୌଣ ହୋଇଯାଉ ଯେମିତି। କିଛି ଏମିତି ଢଙ୍ଗରେ ପୁରା ପଦ୍ମପୁର ପ୍ରଚାର ମୈଦାନ ପ୍ରମୁଖ ଦଳଗୁଡ଼ିକୁ ସଙ୍କେତ ଦେଇଥିଲା। ସେଥିଲାଗି ତ ବିଧାନସଭାରେ ମନ୍ତ୍ରୀ ଓ ବିଧାୟକ ମରୁଡ଼ି ସ୍ଥିତି ଉପୁଜିଲା। କା ମନ୍ତ୍ରୀରେ ଚାଲିଥିବା ବିଧାନସଭା ୨୩ ଦିନ ଆଗରୁ ସରିଗଲା। ଯିଏ ବି ଉପସ୍ଥିତ ଥିଲେ, ଲାଗୁଥିଲା ଯେମିତି ଦେହ ବିଧାନସଭାରେ ସିନା, କିନ୍ତୁ ମନ ପଦ୍ମପୁରରେ। ପଦ୍ମପୁରରେ ଚାଷୀ, କେନ୍ଦୁପତ୍ର ତୋଳାଳୀ, ରେଳପଥ ସମସ୍ୟା ପ୍ରସଙ୍ଗ ବଡ଼ ଥିଲା। ଏହାକୁ ନେଇ କେନ୍ଦ୍ର କୃଷିମନ୍ତ୍ରୀ ଓ ରେଳମନ୍ତ୍ରୀ ବି ପ୍ରଚାର ମୈଦାନକୁ ଓହ୍ଲାଇଥିଲେ। କାଉଣ୍ଟରରେ ରାଜ୍ୟର ପ୍ରାୟ ୧୫ ମନ୍ତ୍ରୀ ବି ମୈଦାନରେ ପ୍ରସ୍ତୁତ ଥିଲେ। ଇଏ ତ ଗଲା ଶକ୍ତି ପ୍ରଦର୍ଶନ। କିନ୍ତୁ ପ୍ରଚାର ବେଳେ ହିଂସା, ଆକ୍ଷେପମୂଳକ ମନ୍ତବ୍ୟ ବେଶ୍ ରୋଚକ ସ୍ଥିତି ସୃଷ୍ଟି କରିଛି ପଦ୍ମପୁରରେ। ଯାହାର ଜାତି ନାହିଁ, ସେ କି ରାଜନୀତି କରିବ ବୋଲି ଜୁଏଲଙ୍କ କଟାକ୍ଷ ହେଉ ଅବା ବୋହୂ ନୁହେଁ, ପୁଅ ଉପରେ ଭରସା କର ବୋଲି ଅପରାଜିତାଙ୍କ ଶାଣିତ ମନ୍ତବ୍ୟ ପ୍ରଚାର ମୈଦାନରେ ବିବାଦର ଅଧ୍ୟାୟ ଆରମ୍ଭ କରିଥିଲା। ଜୟନାରାୟଣ ବି ମାଟି ଓ ପାର୍ଟି ଥିଓରୀ କହି ବର୍ଷାଙ୍କୁ ଆକ୍ଷେପ କରିଥିଲେ।
ଆଉ ସଭାସମିତିରେ ଏଭଳି ଆକ୍ଷେପମୂଳକ ମନ୍ତବ୍ୟ ଓ ଆତ୍ମାକୁ ବାଧିଲା ଭଳି କଥା କହି ବର୍ଷାଙ୍କୁ ବିଜେପି ନେତାଏ ମାନସିକ ନିର୍ଯ୍ୟାତନା ଦେଇଥିବାର ଆରୋପ ଲଦିଛି ବିଜେଡି। ସ୍ୱାଭିମାନୀ ପଦ୍ମପୁରବାସୀ ଏହାକୁ କେବେ ବରଦାସ୍ତ କରିବନି ଓ ଭୋଟରେ ଜବାବ ଦେବ ବୋଲି କହିଛି ବିଜେଡି। ଜେଲରୁ ବାହାରି ଷ୍ଟାର ପ୍ରଚାରକ ସାଜିଥିବା ଜୟନାରାୟଣଙ୍କୁ ଅଭ୍ୟାସଗତ ଅପରାଧୀ ବୋଲି କହିଛି ଦଳ। ଆଉ କାଉଣ୍ଟରରେ ମାଷ୍ଟରକ୍ୟାଣ୍ଟିନ ଛକରେ ରାଜ୍ୟ ସରକାରଙ୍କୁ ମହିଳା ବିରୋଧୀ କହି ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି। ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀଙ୍କ ସମେତ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରିଛି ବିଜେପି।
ପରସ୍ପର ବିରୁଦ୍ଧରେ ହିଂସାର ଆରୋପ, କେନ୍ଦ୍ରର ଆଇଟି ରେଡକୁ ରାଜ୍ୟର ଜିଏସଟି ରେଡ୍ ଯେମିତି ବିଜେଡି-ବିଜେପିକୁ ନିୟମିତ ବ୍ୟବଧାନରେ ସିଇଓଙ୍କ ପାଖରେ ଫେରାଦ୍ ହେବାକୁ ମଉକା ଦେଇଥିଲା।
ଜ୍ୟୋତିମଞ୍ଜରୀ ସାହୁଙ୍କ ସହ ପ୍ରଦୀପ ନାୟକଙ୍କ ରିପୋର୍ଟ