ଓଡ଼ିଶାରାଜନୀତି

ପଦ୍ମପୁର ଦେଖିବ ହାଇ ଭୋଲଟେଜ୍ ପ୍ରଚାର

() ପଦ୍ମପୁର ଉପନିର୍ବାଚନ ପାଇଁ ଉଭୟ ବିଜେପି ଓ ବିଜେଡ଼ି ପ୍ରକାଶ କରିଛି ନିଜର ଷ୍ଟାର ପ୍ରଚାରକ ତାଲିକା । ବିଜେପି ପାଇଁ ରାଜ୍ୟର ୩ କେନ୍ଦ୍ରମନ୍ତ୍ରୀଙ୍କ ସହ କେନ୍ଦ୍ର କୃଷିମନ୍ତ୍ରୀ ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ପ୍ରଚାରର ମଙ୍ଗ ସମ୍ଭାଳିବେ । ସେହିପରି ବିଜେଡିରୁ ନବୀନ ପଟ୍ଟନାୟକଙ୍କ ସମେତ ଅନେକ ତୁଙ୍ଗ ନେତା ପ୍ରଚାର କରିବେ। ଧାମନଗର ପ୍ରଚାର ମଙ୍ଗ ଧରିଥିବା ଅନେକ ନେତାଙ୍କୁ ତାଲିକାରୁ ବାଦ୍ ଦେଇଛି ଦଳ। ଏପଟେ ଉଭୟ ଦଳର ହାଇଭୋଲଟେଜ ପ୍ରଚାରର ପ୍ରଭାବ କଂଗ୍ରେସର ପ୍ରଭାବୀ ପ୍ରାର୍ଥୀଙ୍କ ତୁଳନାରେ ଗୌଣ ହୋଇଯିବ ବୋଲି ଦମ୍ଭ ଦେଖାଇଛି ହାତ ଶିବିର।

ପଦ୍ମପୁର  ଦେଖିବ ହାଇ ଭୋଲଟେଜ୍ ପ୍ରଚାର । ଗାଁରୁ ଗାଁକୁ ବୁଲିବେ ନେତା । ନିଜ ଦଳୀୟ  ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ । ବିଜେପି ପାଇଁ କେନ୍ଦ୍ରମନ୍ତ୍ରୀ ଓ ବିଜେଡ଼ି  ପାଇଁ ମୁଖ୍ୟମନ୍ତ୍ରୀ ସମ୍ଭାଳିବେ ପ୍ରଚାର ମଙ୍ଗ । ପଦ୍ମପୁର ଉପ ନିର୍ବାଚନ ପାଇଁ  ଉଭୟ ବିଜେପି ଓ ବିଜେଡ଼ି ପ୍ରକାଶ କରିଛନ୍ତି ୪୦ ଜଣିଆ ଷ୍ଟାର ପ୍ରଚାରକ । ସବୁଠାରୁ ବଡ଼ କଥା ହେଲା  ପଦ୍ମପୁରରେ କୃଷି ଓ କୃଷକ ପ୍ରସଙ୍ଗ ଗୁରୁତ୍ୱ ରଖୁଥିବା ବେଳେ କେନ୍ଦ୍ରକୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପ୍ରଚାର ପାଇଁ ଆସିବେ। ଫସଲ ବୀମାକୁ ନେଇ ଥିବା ଚାଷୀଙ୍କ ଦ୍ୱନ୍ଦକୁ ଦୁର କରିବାକୁ ଚେଷ୍ଟା କରିବେ । ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱୀନି ବୈଷ୍ଣବ ଓ ବିଶେଶ୍ୱର ଟୁଡୁ ପ୍ରଚାର କରିବେ ।

ଏହାସହ ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ସୁରେଶ ପୁଜାରୀ, ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର ପ୍ରମୁଖ ପ୍ରଚାରରେ ସାମିଲ ହେବେ । ଧାମନଗରର ଇଫେକ୍ଟ ପଦ୍ମପୁରରେ ପକାଇବାକୁ ସୂର୍ଯ୍ୟବଂଶୀଙ୍କୁ ବି ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରାଯାଇଛି। ଏପଟେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡିର ମୁଖ୍ୟ ଷ୍ଟାର ପ୍ରଚାରକ। ତାଙ୍କ ସହ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ଓ ଉପସଭାପତି ଦେବୀ ମିଶ୍ରଙ୍କସହ ଅନେକ ବରିଷ୍ଠଙ୍କୁ ଦାୟିତ୍ୱ ଦିଆଯାଇଛି ।

 ସେପଟେ ବିଜେଡ଼ି ଓ ବିଜେପିର ଅସଲ ଚେହେରା ପଦ୍ମପୁରବାସୀ ଜାଣି ସାରିଛନ୍ତି । ଏମିତି କି ବିଜେପି ନାମାଙ୍କନ ଦାଖଲରେ ନାଟକ କରି ଫସି ସାରିଛି ।  ଏପଟେ ବିଜେଡି କେବଳ ନିର୍ବାଚନକୁ ଦେଖି ଘୋଷଣା ପରେ ଘୋଷଣା କରିଚାଲିଛି। ଯାହାକି ମିଛ ଘୋଷଣା ବୋଲି ଲୋକ ଜାଣି ସାରିଛନ୍ତି।  ଏବେ ପଦ୍ମପୁରକୁ ଜିଲା ଘୋଷଣା ଆଉ ଏକ ମୋହରା। ପଦ୍ମପୁରରେ କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁ ଜଣେ ଦକ୍ଷ ସଙ୍ଗଠକ । ସତ୍ୟଭୂଷଣ ବରଗଡ଼ ବାସୀଙ୍କ ଦୁଃଖ ସୁଖର ସାଥି। ସେଠାରେ କଂଗ୍ରେସ ଭଲ ସ୍ଥିତିରେ ଅଛି ବୋଲି କହିଛନ୍ତି ପୂର୍ବତନ ପିସିସି ସଭାପତି ।

ତେବେ ସବୁ ଦଳ ପ୍ରଚାରକୁ ଜୋରଦାର କଲେଣି । ଏତିକି ବେଳେ ଦେଖିବା ବାକି ରହିଲା କେଉଁ ଦଳ ଉପରେ ଭରସା କରୁଛନ୍ତି ପଦ୍ମପୁରବାସୀ । ନବ କିଶୋର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button