ସରକାରୀ କାର୍ଯ୍ୟକ୍ରମରେ ସାମିଲ ହୋଇ ପାଣିଗ୍ରାହୀ ଖୁସି

ବ୍ରହ୍ମପୁର: ୩ ବର୍ଷ ବ୍ୟବଧାନ ପରେ ସରକାରୀ କାର୍ଯ୍ୟକ୍ରମରେ ସାମିଲ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ସରକାରୀ କାର୍ଯ୍ୟକ୍ରମରେ ଡକରା ଯାଉନଥିବାରୁ ସେ ଆସୁନଥିଲେ ବୋଲି ପ୍ରଦୀପ ଅଭିଯୋଗ କରିଥିଲା ବେଳେ ଜନବିରୋଧୀ କାମରେ ଲିପ୍ତ ବିଧାୟକଙ୍କ ନୈତିକ ଅଧିକାର କେଉଁଠୁ ଆସିଲା ବୋଲି କାଉଣ୍ଟର କରିଛି ଜିଲ୍ଲା ବିଜେଡି।

୩ ବର୍ଷ ପରେ ସରକାରୀ ବୈଠକରେ ଯୋଗଦେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଜିଲ୍ଲା ଗ୍ରାହକ ସୁରକ୍ଷା ପରିଷଦର ପ୍ରଥମ ବୈଠକରେ ବିଧାୟକଙ୍କ ଯୋଗଦାନ ପଛର ରହସ୍ୟକୁ ନେଇ ସବୁଠି ଚର୍ଚ୍ଚା। ୨୦୨୦ ଡିସେମ୍ୱରରେ ଟାଟା ମୋଟର୍ସରେ ଚାକିରୀ କରାଇଦେବା ନାଁରେ ଠକେଇ ମାମଲାରେ ଜେଲ୍ ଯାଇଥିଲେ ପ୍ରଦୀପ। କିନ୍ତୁ ଜେଲରୁ ବାହାରିବା ପରେ ବି ତାଙ୍କୁ କୌଣସି ସରକାରୀ ବୈଠକ କି କାର୍ଯ୍ୟକ୍ରମକୁ ନିମନ୍ତ୍ରଣ ମିଳୁନଥିଲା। ତେବେ ଦୀର୍ଘ ବର୍ଷ ପରେ ପୁଣି ନିମନ୍ତ୍ରଣ ମିଳିଥିବାରୁ ସେ ଖୁସି ଜାହିର କରିଛନ୍ତି। ଆଗକୁ ବି ଏଭଳି ନିମନ୍ତ୍ରଣ ମିଳିଲେ ନିଶ୍ଚିତ ଯୋଗ ଦେବି ବୋଲି କହିଛନ୍ତି ବିଧାୟକ।

ସେପଟେ ଜିଲ୍ଲା ବିଜେଡି ସଭାପତି କହିଛନ୍ତି, ଜଣେ ବିଧାୟକ ହିସାବରେ ସେ ସବୁ ସରକାରୀ କାର୍ଯ୍ୟକ୍ରମ ରେ ଯୋଗ ଦେବାର ଅଧିକାର ରହିଛି। ବିଜେଡିରୁ ବହିଷ୍କୃତ ହୋଇଥିଲେ ବି ସେ ବିଧାୟକ ଅଛନ୍ତି। କିନ୍ତୁ ଯେଭଳି ଜନବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିଲେ, ସରକାରୀ କାର୍ଯ୍ୟକ୍ରମରେ କେଉଁ ମୁହଁରେ ସାମିଲ ହୋଇଥାଆନ୍ତେ। ସରକାରୀ କାର୍ଯ୍ୟକ୍ରମକୁ ଡକାଯାଉଥିଲା। ଏବେ ନିଜର ପରିଚୟ ଓ ପତିଆରାକୁ ପୁଣି ଦେଖାଇବାକୁ ଏଭଳି କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି।

ଦୀର୍ଘ ଦିନ ପରେ ସରକାରୀ ବୈଠକରେ ବିଧାୟକଙ୍କ ଯୋଗଦାନ ପୁଣି ଚର୍ଚ୍ଚାର ଖୋରାକ ଯୋଗାଇଛି। କଣଠେସା ହୋଇ ରହିଥିବା ବିଧାୟକଙ୍କ ଏଭଳି ସାମିଲ ଆଗକୁ ତାଙ୍କର ଦାୟିତ୍ୱ ଓ ପତିଆରାକୁ କି ନୂଆ ରୂପ ଦେବ ବୋଲି ଅନୁମାନ କରାଯାଉଛି।

 ଇତିଶ୍ରୀ ସମାପିକା ମହାନ୍ତିଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *