୩ଶହ ସବରେଜିଷ୍ଟ୍ରାରଙ୍କ ବିରୁଦ୍ଧରେ ଚାର୍ଜଫ୍ରେମ- ନଭେମ୍ୱରରୁ ଆପାର୍ଟମେଣ୍ଟ କିଣାବିକା ବାଟ ଫିଟିବ

ପାର୍ଟ-ପ୍ଲଟ କିଣାବିକା ନେଇ ଗ୍ରାଉଣ୍ଡରେ ଲୋକେ ହନ୍ତସନ୍ତ ହେଉଥିଲେ। ସବ-ରେଜିଷ୍ଟ୍ରାରମାନେ ଯେହେତୁ ନିଜେ ଦ୍ୱନ୍ଦ୍ୱରେ ଥିଲେ। ହେଲେ ସରକାର କହୁଥିଲେ, ସବୁ ଠିକଠାକ୍ ଚାଲିଛି। କିନ୍ତୁ ଗ୍ରାଉଣ୍ଡର ବାସ୍ତବତାକୁ ନେଇ ଓଡ଼ିଶା ବିକାଶ ଅଭିଯାନ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ମାସକର ମହଲତ ଦେବା ପରେ ଶେଷରେ ଚେତିଥିଲା ରାଜସ୍ୱ ବିଭାଗ। ଏସଓପି ଜାରି କରିବା ସହ ପାର୍ଟ-ପ୍ଲଟ କିଣାବିକା ନେଇ ଯେଉଁ ଦ୍ୱନ୍ଦ୍ୱ ଥିଲା ହଟାଇଛି ବିଭାଗ। କିନ୍ତୁ କଟକଣା ବେଳେ ଯେଉଁ ସବ-ରେଜିଷ୍ଟ୍ରାର ବେଆଇନ କାମ କରିଥିଲେ, ସେମାନଙ୍କ ଉପରୁ କିନ୍ତୁ ଆକ୍ସନର ଖଣ୍ଡାଧାର ହଟିନି। ୩ଶହ ଅଧିକାରଙ୍କ ବିରୁଦ୍ଧରେ ରାଜସ୍ୱ ବିଭାଗ ଅଭିଯୋଗପତ୍ର ଜାରି କରିଛି। କୈଫୟତ ତଲବ କରିଛି। ରାଜସ୍ୱ ମନ୍ତ୍ରୀ କହିଛନ୍ତି, ଏଣିକି ପାର୍ଟ-ପ୍ଲଟ କିଣାବିକାରେ ସମସ୍ୟା ହେବନି। ଯେହେତୁ ବିଭିନ୍ନ ବିଭାଗ ଭିତରେ ସମନ୍ୱୟ ନଥିଲା, ସମସ୍ୟା ହୋଇଥିଲା। ନଗର ଉନ୍ନୟନ ବିଭାଗ, ଉନ୍ନୟନ କର୍ତ୍ତୃପକ୍ଷ, ରେରା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ରାଜସ୍ୱ ବିଭାଗ ସ୍ପଷ୍ଟତା ରଖିବା ପରେ ସମସ୍ତପ୍ରକାର ଦ୍ୱନ୍ଦ୍ୱ ଓ ଜଟିଳତା ଦୂର ହୋଇଛି। ସେପଟେ କୋର୍ଟରେ ଷ୍ଟେ ହୋଇ ରହିଛି ଆପାର୍ଟମେଣ୍ଟ କିଣାବିକା ମାମଲା। ରହିତାଦେଶ ଉଠାଇବାକୁ ସରକାର କି ପଦକ୍ଷେପ ନେଲେ ଏଯାଏଁ କୌଣସି ସ୍ପଷ୍ଟତା ଆସିଲାନି। ରେରା ଆସିବା ଆଗରୁ ଅର୍ଥାତ୍ ୨୦୧୭ ପୂର୍ବରୁ ଯେଉଁ ସବୁ ଆପାର୍ଟମେଣ୍ଟ ରହିଛି, ସେ ସବୁ ଉପରୁ କିଣାବିକା କଟକଣା ହଟାଇଦେଇଥିଲେ ସରକାର। କିନ୍ତୁ ସଚିବଙ୍କ ଦସ୍ତଖତରେ ଜାରି ହୋଇଥିବା ଏକଜିକ୍ୟୁଟିଭ ଅର୍ଡରର ବୈଧତାକୁ ଚ୍ୟାଲେଞ୍ଜ କରି ଏହି ନିର୍ଦେଶାନାମା ଉପରେ ରହିତାଦେଶ ଲାଗିଥିଲା ହାଇକୋର୍ଟରେ। ଆପାର୍ଟମେଣ୍ଟ କିଣାବିକା ପାଇଁ ବୈଧ ଅକ୍ୟୁପାନ୍ସି ସାର୍ଟିଫିକେଟ, ସୋସାଇଟି ରେଜିଷ୍ଟ୍ରେସନ ସାର୍ଟିଫିକେଟ ଓ ଘୋଷଣାନାମା ଜରୁରୀ ବୋଲି ପିଟିସନରେ ଦର୍ଶାଯାଇଥିଲା। ନଗର ଉନ୍ନୟନ ମନ୍ତ୍ରୀ କହିଥିଲେ, ଅର୍ଡରକୁ ଅନୁଧ୍ୟାନ କରାଯାଇ ଆବଶ୍ୟକୀୟ ପଦକ୍ଷେପ ନିଆଯିବ। କିନ୍ତୁ ଆଜିଯାଏଁ କୌଣସି ଠୋସ୍ ପଦକ୍ଷେପ ନିଆଯାଇପାରିଲାନି। ରାଜସ୍ୱ ମନ୍ତ୍ରୀ କହୁଛନ୍ତି, ଏହା ଉପରେ ସରକାର କାମ କରୁଛନ୍ତି। ନଗର ଉନ୍ନୟନ ବିଭାଗର ପ୍ରୟାସ ଶେଷ ପର୍ଯ୍ୟାୟରେ ଅଛି। ନଭେମ୍ୱର ଶେଷ ସୁଦ୍ଧା ନିର୍ଦେଶାନାମା ବାହାରିବ। ପାର୍ଟ-ପ୍ଲଟ କଟକଣା ହଟିଲା ସତ। କିନ୍ତୁ କଥା ପଡ଼ିଛି। ସହରାଞ୍ଚଳରେ ଚାଷ କିସମର ପାର୍ଟ-ପ୍ଲଟ ଭବିଷ୍ୟତରେ ଘରବାରି ହୋଇନପାରିଲେ ଚାଷୀର ଆବଶ୍ୟକତା ବେଳେ ତାଠୁ କିଣିବ ବା କିଏ। ଥରେ ପାର୍ଟ କରି ବିକିବା ପରେ ଆଉ ଥରେ ଚାହିଁଲେ ବିକ୍ରେତା କରିବ କଅଣ। ଏ କଥାର ସ୍ପଷ୍ଟତା ରଖିଲାନି ରାଜସ୍ୱ ବିଭାଗ। ଆପାର୍ଟମେଣ୍ଟ କିଣାବିକା କଟକଣା ହଟାଇବାକୁ ଅଣ୍ଟା ଭିଡ଼ିଛି ବିଭାଗ। ଆଇନଗତ ଜଟିଳତାକୁ ଦୂର କରିବାକୁ ଆବଶ୍ୟକୀୟ ମାନସମନ୍ଥନ କରୁଛି ତ। ଏମିତି ତମାମ ପ୍ରଶ୍ନ ଲୋକଙ୍କୁ ଆନ୍ଦୋଳିତ କରୁଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *