ପାର୍ଟ ପ୍ଲଟ କଟକଣା ହଟିଲା ନା ଅଧିକ ଦ୍ୱନ୍ଦ୍ୱ ବଢ଼ାଇଲେ ସରକାର। ନଗର ଉନ୍ନୟନ ବିଭାଗ ଯେଉଁ ବିଜ୍ଞପ୍ତି ବାହାର କରିଛି। ସେଥିରେ ଅନେକ କୋହଳ କରାଯାଇଛି ସତ। କିନ୍ତୁ ଏହା ଅଧିକ ଜଟିଳ କରିଦେଲା। ଓଡିଏ ପ୍ଲାନିଂ ଆଣ୍ଡ ବିଲଡିଂ ଷ୍ଟାଣ୍ଡାର୍ଡ ଦ୍ୱିତୀୟ ସଂଶୋଧନ ନିୟମକୁ ନେଇ ନଗର ଉନ୍ନୟନ ବିଭାଗ ବିଜ୍ଞପ୍ତି ଜାରି କରିଛି। ଆଉ ଦୀର୍ଘ ଦିନ ହେଲା ପାର୍ଟ-ପ୍ଲଟ ବିକ୍ରି ଉପରେ ଲାଗିଥିବା କଟକଣା ହଟିଲା ବୋଲି କହିଛି। କିନ୍ତୁ ଯେଉଁ ସର୍ତ୍ତ ଖଞ୍ଜାଯାଇଛି। ତାକୁ ନେଇ ଲୋକଙ୍କୁ ସହଜ ସରଳ ବାଟରେ ପାର୍ଟ-ପ୍ଲଟ କିଣାବିକା ହେବାର ବାଟ ଫିଟିବ କଅଣ। ପାଲଟା ଏହା ଅଧିକ ଦ୍ୱନ୍ଦ୍ୱ ବଢ଼ାଇଦେଇଛି। ନୂଆ ନିୟମ ଅନୁସାରେ ଏଣିକି ବିନା ଲେ ଆଉଟ୍ ବା ପ୍ଲାନ୍ ଅନୁମୋଦନରେ ୫ହଜାର୩୮୨ ବର୍ଗଫୁଟ ଯାଏ ଜମିକୁ ବିକ୍ରି କରିହେବ। ଏକାଧିକ ଜମି ମାଲିକ ଥିଲେ ବି ସମସ୍ୟା ହେବନି। ଏଥିରେ ଥରେ ରିହାତି ଛଡ଼ାଯାଇଛି। ସବ-ରେଜିଷ୍ଟ୍ରାର କେମିତି ଜାଣିବେ ଯେ, ସଂପୃକ୍ତ ଜମିକୁ ଥରେ ରିହାତି ଦିଆଯାଇଛି। କାରଣ ଜମି ମାଲିକ ଏତକ ଜମିକୁ ୨ରୁ ୩ ଜଣଙ୍କୁ ବିକ୍ରିକରିଥାଇପାରନ୍ତି। କିନ୍ତୁ ଏହି ଜମି କୌଣସି ରିଅଲ ଇଷ୍ଟେଟ ଉଦ୍ଦେଶ୍ୟରେ ବ୍ୟବହାର ହେବନି। ଅର୍ଥାତ୍ ପ୍ଲଟିଂ ସ୍କିମ୍ ଲାଗି ଲାଗୁ ହେବନି। ବଡ଼ କଥା ହେଲା ଏହା ସମ୍ଭବ କି। ଚାଷ ଜମି ଭବିଷ୍ୟତରେ ଘରବାରି କିସମକୁ ପରିବର୍ତ୍ତନ ହେବନି ବୋଲି କିଛି ଗ୍ୟାରେଣ୍ଟି ଅଛି କି। କାରଣ ସହର ଯେଭଳି ବଢ଼ୁଛି, ଗାଁରେ ଥିବା ଚାଷ ଜମି ଭବିଷ୍ୟତରେ ଘରବାରି ଲାଗି ବ୍ୟବହାର ହେଉଛି। ଆଉ ଜମି ମାଲିକ ଏହାକୁ ଘରବାରି କିସମ କଲେ ବିିଡିଏ କଅଣ ଏହି ଜମିରେ ଘର କରିବାକୁ ଅନୁମତି ଦେବନି କି। ପାର୍ଟ ଜମିକୁ ପରିବାର ଭିତରେ କିଣାବିକା ହେଲେ ଲେଆଉଟ ଦରକାର ନାହିଁ। କିନ୍ତୁ ସଂପୃକ୍ତ ପ୍ଲଟକୁ ରାସ୍ତା ତ ଦରକାର। କେଉଁ ପାଖ କେଉଁ ଭାଇ ଭାଗରେ ପଡ଼ିବ। ତାକୁ ନେଇ ଭବିଷ୍ୟତରେ ରାସ୍ତା ଲାଗି ଭାଇ ଭାଇ ଭିତରେ ବିବାଦ ହେଲେ କିଏ ପିଠିରେ ପଡ଼ିବ। ଜଣେ ଭାଇ ନିଜ ଭାଗ ବିକିବାକୁ ଚାହିଁଲେ କେମିତି କରିବ। ନୂଆ ବିଜ୍ଞପ୍ତିରେ ଅନେକ ବ୍ୟତିକ୍ରମ ଦେଖାଦେଇଛି। ୩୦ ଫୁଟିଆ ରାସ୍ତା ଦେବା ଭଲ। କିନ୍ତୁ ଟିପି ସ୍କିମ ନକ୍ସା ଆଗ ଟିକେ ଦେଖନ୍ତୁ। ସବୁ ରାସ୍ତା ଓପନ ଏଣ୍ଡେଡ୍ କି। ଏମିତି ହେଲେ ଜମି ଯେତିକି ବରବାଦ ହେବ, ତାହାର ଭରଣା କରିବ କିଏ। ଯେଉଁ ଆର୍କିଟେକ ପ୍ଲାନ୍ କରିବ, ସେ କାହାକୁ ନେଇ କରିବ। ଡ୍ରାଫ୍ଟ ରୁଲ୍ସରେ ମାଗିଥିବା ଲୋକଙ୍କ ପରାମର୍ଶ ଓ ପ୍ରସ୍ତାବକୁ ଗ୍ରହଣ ବଦଳରେ ନୂଆ ନୂଆ କ୍ଲଜ୍ ଯୋଡ଼ି ନୂଆ ବିବାଦକୁ ଡାକିଛନ୍ତି ସରକାର। ସରକାର ଏଭଳି ଦ୍ୱନ୍ଦ୍ୱ କରି ଆଇନଗତ ଚ୍ୟାଲେଞ୍ଜକୁ ନିମନ୍ତ୍ରଣ କଲେଣି ବୋଲି କହିଛନ୍ତି ଓଡ଼ିଶା ବିକାଶ ଅଭିଯାନର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ସାହୁ। କେବଳ ଏତିକିରେ ସରିନି ଦ୍ୱନ୍ଦ୍ୱ। ଯେଉଁ ମାନେ ନିଜ ଜମିକୁ ରେଗୁଲାଇରାଇଜେସନ ପାଇଁ ଚାହିଁ ବସିଥିଲେ, ସେମାନଙ୍କଠୁ କିଛି କମ୍ପାଉଣ୍ଡ ଫି ନେଇ ରେଗୁଲାରାଇଜ କରିବା ନିଷ୍ପତ୍ତି ସ୍ୱାଗତଯୋଗ୍ୟ। କିନ୍ତୁ ବିଜ୍ଞପ୍ତି ପ୍ରକାଶ ପରଠୁ ବି ଯେଉଁମାନେ ବେଆଇନ ଭାବେ ରାସ୍ତାଘାଟ ନଛାଡ଼ି ଘର କରିବେ, ସେମାନଙ୍କୁ କେଉଁ ଗ୍ରାଉଣ୍ଡରେ ରେଗୁଲାରାଇଜ କରିବାକୁ ସରକାର ବାଟ ଦେଖାଉଛନ୍ତି। ପାର୍ଟ-ପ୍ଲଟର ସମାଧାନ ସ୍ୱାଗତଯୋଗ୍ୟ। ଚାଷ ଜମି, ପରିବାର ଭିତରେ ଡିଭିଜନ, ଗ୍ରୁପରେ କିଣି ଡିଭିଜନ କଲେ ବି ସେଠାରେ ଲେଆଉଟ୍ ଦରକାର ହେବନି। ଏସବୁ କଥା ଗୋଟିଏ ପଟେ। ଲୋକେ ଚାହୁଁଛନ୍ତି ନିୟମତଃ ସବୁ ହେଉ। କିନ୍ତୁ ଧାର୍ଯ୍ୟ ସମୟରେ। କୋହଳ ଆଳରେ ଅଧିକ ଜଟିଳତା ନୁହେଁ ବୋଲି କହିଛନ୍ତି ରେରା ଆକ୍ଟିଭିଷ୍ଟ ବିମଳେନ୍ଦୁ ପ୍ରଧାନ। ବହୁ ମାନସମନ୍ଥନ କରି ନଗର ଉନ୍ନୟନ ବିଭାଗ ଏ ବିଜ୍ଞପ୍ତି ଜାରି କରିଛି ସତ। ପାର୍ଟ-ପ୍ଲଟ ସମସ୍ୟା ସମାଧାନର ମୂଳ ମେରୁଦଣ୍ଡ ହେଲା ରାଜସ୍ୱ ବିଭାଗ। ରାଜସ୍ୱ ବିଭାଗ ଏଭଳି ବିଜ୍ଞପ୍ତିକୁ ତର୍ଜମା କରିଛି ତ। ଲୋକଙ୍କ ପରାମର୍ଶକୁ ଅନୁଧ୍ୟାନ କରି ଗ୍ରାଉଣ୍ଡର ବାସ୍ତବତାକୁ ଦେଖୁଛନ୍ତି ତ ସରକାର। ନା କିଛି ବ୍ୟୁରୋକ୍ରାଟ ଯାହା ପଢ଼ାଇଲେ ସେଥିରେ ମାତିଛନ୍ତି ସରକାର। ତାହା ହିଁ ବଡ଼ ପ୍ରଶ୍ନ। ସରଳ କଥାରେ କହିବାକୁ ଗଲେ ଦୀର୍ଘ ଦିନ ହେଲା ରେରା ଆଳରେ ଚାଷ ଜମିର ଆଂଶିକ କିଣାବିକାରେ ଲାଗିଆସିଛି କଟକଣା। କିନ୍ତୁ ରେରା ନିୟମ ଚାଷ ଜମି ଲାଗି ବିଲକୁଲ ପ୍ରଯୁଜ୍ୟ ନୁହେଁ। ତୁଛାରେ ଆଇଜିଆର ଏଭଳି କଟକଣାକୁ କେଉଁ ଆଧାରରେ ପ୍ରଶ୍ରୟ ଦେଉଛନ୍ତି କହି ପୂର୍ବରୁ ପ୍ରଶ୍ନ କରିଥିଲେ ବିମଳେନ୍ଦୁ। ୭୨ ଘଣ୍ଟା ଭିତରେ ଲେଆଉଟ୍ ଆପୃଭାଲ ଦେବେ କି ସରକାର। ଲୋକଙ୍କୁ ଅଯଥାରେ ଏ ଅଫିସ ସେ ଅଫିସ ନ ଦୌଡ଼ାଇ ଜମି କିଣାବିକାକୁ ଯେତେ ସରଳୀକରଣ କରିବେ କି ସରକାର। ଲୋକେ ନିୟମ ମାନିବାକୁ ପ୍ରସ୍ତୁତ। ଏସବୁ ନକରି ମାନସମନ୍ଥନ ଆଳରେ ଅଯଥା ଅଧିକ ଦ୍ୱନ୍ଦ୍ୱ ଓ ଜଟିଳତାରେ କାହିଁକି ପଶୁଛନ୍ତି ସରକାର ବୋଲି ସବୁଠି ଚର୍ଚ୍ଚା।


Naxatra News is now on Whatsapp
Join and get latest news update delivered to you via whatsapp
Join Now