ମନ୍ତ୍ରୀଙ୍କ ଘୋଷଣା ଗୋଟିଏ ପଟେ। ତ ଅଫିସର ଆଉ ଗୋଟିଏ ବାଟରେ। ନା ସ୍ପଷ୍ଟତା ଅଛି ନା ନିୟମକୁ ସରଳୀକରଣ କରି ଲୋକଙ୍କ କାମ ସହଜ ହୋଇପାରୁଛି। ଆମେ କହୁଛୁ ପାର୍ଟ-ଜମି ପଞ୍ଜୀକରଣକୁ ନେଇ ଥିବା ଦ୍ୱନ୍ଦ୍ୱ ଯେମିତି ଥିଲା। ଆଜି ବି ସେମିତି ରହିଛି। କିଛି ଦିନ ତଳେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ, ଚାଷ ଜମି କିଣାବିକାରେ ଥିବା ସମସ୍ତ ପ୍ରତିବନ୍ଧକ ହଟିଲା। ଚାଷ ଜମିକୁ ପାର୍ଟ ପାର୍ଟ କରି କିଣାବିକାରେ ଥିବା ସମସ୍ତ ଅନାବଶ୍ୟକ ପ୍ରତିବନ୍ଧକ ହଟିଛି। ଲୋକସେବା ଭବନରୁ ଏଭଳି ବଡ଼ ନିଷ୍ପତ୍ତି ଘୋଷଣା କରିଥିଲେ ମନ୍ତ୍ରୀ। ମନ୍ତ୍ରୀଙ୍କ ଘୋଷଣାକୁ କେତେଦୂର ଲାଗି କରୁଛନ୍ତି ସବ-ରେଜିଷ୍ଟ୍ରାର। ବେଶୀ ଦୂର ଯିବାନି। ଲୋକସେବା ଭବନରୁ ମାତ୍ର ସାଢ଼େ ୩ କିଲୋମିଟର ଦୂରରେ ଥିବା ଖଣ୍ଡଗିରି ସବ-ରେଜିଷ୍ଟ୍ରାର ଅଫିସ। ଭୁବନେଶ୍ୱର ଉପକଣ୍ଠରେ ଥିବା ତଥା ବିଡିଏ ଅଧୀନକୁ ଚାଲିଯାଇଥିବା ଚାଷ ଜମିର ପାର୍ଟ- ପଞ୍ଜୀକରଣକୁ ନେଇ ଏବେ ବି ଅକଳରେ ପଡ଼ିଛନ୍ତି ଖଣ୍ଡଗିରି ସବ-ରେଜିଷ୍ଟ୍ରାର। ଘରବାରି କିସମରେ ଯେମିତି ୧୨୩ ଡିସିମିଲ ଭିତରେ ପଞ୍ଜୀକରଣ ଚାଲିଛି। ଠିକ୍ ସେଇ ଫର୍ମାଟକୁ ଚାଷ ଜମି କ୍ଷେତ୍ରରେ ବି ଲାଗୁ କରୁଛନ୍ତି ସବରେଜିଷ୍ଟ୍ରାର। କଥା ପଡ଼ିଛି। ଚାଷ ଜମିକୁ ଖଣ୍ଡ ଖଣ୍ଡ କରି ବିକିବାକୁ ଚାହୁଁଥିବା ଲୋକଙ୍କୁ ଏମିତି ହଇରାଣ କାହିଁକି କରାଯାଉଛି। ଚାଷ ଜମିରେ ନା ଲେଆଉଟ୍ ଆପ୍ରୁଭାଲ ଜରୁରୀ ନା ରାସ୍ତା ଦେଇ କିଏ ବିକୁଛି କି। ତ ସେଠାରେ ରେରା ନିୟମର ଆଳ ପୁଣି କାହିଁକି ଥୋପ ପକାଯାଉଛି। ମାତ୍ର ୧୨୩ ଡିସିମିଲ ଜମି ଅର୍ଥାତ୍ ୫୩୫୭ ବର୍ଗଫୁଟ୍ ଯାଏ କେବଳ ବିକିବାକୁ ଅନୁମତି କାହିଁକି। କଥା ହେଲା। ଚାଷ ଜମିକୁ ଚାଷ ଉଦ୍ଦେଶ୍ୟରେ ବିକିବାକୁ ଚାହୁଁଥିବା ଲୋକଙ୍କଠୁ ତ ଭବିଷ୍ୟତରେ ଘରବାରି ଭାବେ ଏହାକୁ ବ୍ୟବହାର କରିବୁନି କହି ଅଣ୍ଡରଟେକିଂ ନେଉଛନ୍ତି ସବ-ରେଜିଷ୍ଟ୍ରାର। ଆହୁରି ଆଚମ୍ୱିତ କଲା ଭଳି କଥା ହେଉଛି, ନିଜର ଓ ଅଫିସର କର୍ମଚାରୀଙ୍କ ସେଫ୍ ସାଇଡ୍ ଲାଗି ଦଲିଲରେ ଏକ ସିଲ୍ କରିଛନ୍ତି ସବ-ରେଜିଷ୍ଟ୍ରାର। ଯେଉଁଠି ଗଲା ୯ ତାରିଖରେ ନଗର ଉନ୍ନୟନ ବିଭାଗର ନୋଟିଫିକେସନର ଆଳ ନେଇ ଏହି ସିଲ୍ କରାଯାଇଛି। କିନ୍ତୁ ଏଭଳି ସିଲ୍ କରିବାକୁ କେହି ଅନୁମତି ଦେଇନାହାନ୍ତି। ଅବଶ୍ୟ ଲୋକଙ୍କ ସମସ୍ୟାକୁ କେମିତି ସମାଧାନ କରାଯିବ। ସବ-ରେଜିଷ୍ଟ୍ରାର ଶୁଭପ୍ରକାଶ କାନୁନଗୋ ବି ଗଲା ମାସ ୨୬ ତାରିଖରୁ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ରେଜିଷ୍ଟ୍ରାର ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କୁ ଚାଷ ଜମିର ପାର୍ଟ-ପଞ୍ଜୀକରଣ ନେଇ ୩ଟି ଦିଗକୁ ନେଇ କ୍ଲାରିଫିକେସନ ମାଗିଲେଣି। ହେଲେ ଏ ଯାଏଁ କୌଣସି ସ୍ପଷ୍ଟତା ଆସିନି। ବିଡିଏ ଅଧୀନରେ କୌଣସି ଚାଷ ଜମି ୫ଶହ ବର୍ଗମିଟର ଉପରେ ହୋଇଥିଲେ କେମିତି ଡିଲ୍ କରାଯିବ। କାରଣ ଭବିଷ୍ୟତରେ ତାହା ରିଅଲ ଇଷ୍ଟେଟ ପ୍ରୋଜେକ୍ଟରେ ବ୍ୟବହାର ହୋଇପାରେ। ରେରାରେ ଥିବା ପ୍ରୋଭିଜନକୁ ଏହା ବିରୁଦ୍ଧାଚରଣ କରିବନି ତ। ସବ-ରେଜିଷ୍ଟ୍ରାର କେମିତି ଜାଣିବେ, ଏବେ ଯେଉଁ ପାର୍ଟ ଜମି ପଞ୍ଜୀକରଣ ହେବ, ତାହା ଭବିଷ୍ୟତରେ କେବଳ ଚାଷ ଉଦ୍ଦେଶ୍ୟରେ ହିଁ ବ୍ୟବହାର ହେବ। ଓଡ଼ିଶା ବିକାଶ ଅଭିଯାନର ସାଧାରଣ ସମ୍ପାଦକ ପ୍ରଦୀପ ସାହୁ କହିଛନ୍ତି, ଚାଷ ଜମିକୁ ଯିଏ ରାସ୍ତା ଦେଇ ବିକୁଥିବ ସେଠାରେ ସ୍ପଷ୍ଟ ଯେ, ସେମାନେ ଭବିଷ୍ୟତରେ ଏହାକୁ ଘରବାରି ଉଦ୍ଦେଶ୍ୟରେ ବ୍ୟବହାର କରିବେ। ଏଥିରୁ ସବ-ରେଜିଷ୍ଟ୍ରାର ଜାଣିପାରିବେ। ବିନା ରାସ୍ତାଘାଟରେ ଚାଷ ଜମି ପଞ୍ଜୀକରଣରେ ତୁଛା ପ୍ରତିବନ୍ଧକ ଲଗାଇବାର ଅର୍ଥ କିଛି ନୁହେଁ। ନିୟମକୁ ସରଳ କରିବା ବଦଳରେ ସରକାର ଏହାକୁ ଦିନକୁ ଦିନ ଜଟିଳ କରୁଛନ୍ତି। ଭୁବନେଶ୍ୱର ଯେମିତି ବଢ଼ୁଛି, ଆଉ ଦିନ କେଇଟାରେ ଉପକଣ୍ଠରେ ଥିବା ଚାଷ ଜମି ଆଉ ଚାଷ ଜମି ହୋଇ ରହିବନି। ଏହାକୁ ଘର ଭାବେ ବ୍ୟବହାର କରିବାକୁ ଲୋକେ ବାଧ୍ୟ ହେବେ। ଏମିତିରେ ବିଡିଏ ବି ରାଜଧାନୀର ଉପକଣ୍ଠରେ ଥିବା ଅନେକ ମୌଜାର ଚାଷ ଜମିକୁ ଟାଉନ ପ୍ଲାନିଂ ସ୍କିମରେ ଅନ୍ତର୍ଭୁକ୍ତ କରିସାରିଲାଣି। ମନ୍ତ୍ରୀ ବୋଧହୁଏ ବାସ୍ତବତାକୁ ଆହୁରି ବୁଝିବା ଜରୁରୀ। ସମସ୍ତ ସବ-ରେଜିଷ୍ଟ୍ରାର ଅଫିସ ଆଗରେ କାହିଁକି ସରକାର ସ୍ପଷ୍ଟ ଭାବେ ନୋଟିସ୍ ମାରୁନାହାନ୍ତି। କେଉଁ ଜମି ବିକାକିଣା ହୋଇପାରିବ। କେଉଁଟା ନୁହେଁ। ଏମିତି ହେଲେ ସାଧାରଣ ଲୋକେ ଜାଣିପାରନ୍ତେ। ଦଲାଲର ଶୋଷଣ ହୁଅନ୍ତେନି କି କେହି ସବ-ରେଜିଷ୍ଟ୍ରାରଙ୍କୁ ଧରି ଗଳାବାଟରେ କରିବାକୁ ଆଗେଇ ଆସନ୍ତେନି। କେବଳ ବିଜ୍ଞପ୍ତି ଜାରି କରି ସରକାର ଭାବିଲେ, ତାଙ୍କ ଦାୟିତ୍ୱ ସରିଗଲା। ଆଂଶିକ ଚାଷ ଜମି କିଣାବିକାରେ ସମସ୍ତ କଟକଣା ହଟିଥିବା କଥା କେବଳ ନାଁକୁ ମାତ୍ର। ଲୋକେ ପୂର୍ବଭଳି ହଇରାଣ ହେଉଛନ୍ତି ଆଉ ସବ-ରେଜିଷ୍ଟ୍ରାର ନିଜ ଇଛାରେ ଯେମିତି ପାଇଲେ ସେମିତି ପଞ୍ଜୀକରଣ କଲେ। ପୂର୍ବରୁ ଯେମିତି ଅବସ୍ଥା ଥିଲା, ଏବେ ବି ସେମିତି। ଚାଷ ଜମିରେ ରେରା ନିୟମ ବିଲକୁଲ ପ୍ରଜୁଯ୍ୟ ନୁହେଁ ବୋଲି ବାରମ୍ୱାର କହିଆସୁଛନ୍ତି ରେରା ଆକ୍ଟିଭିଷ୍ଟ ବିମଳେନ୍ଦୁ ପ୍ରଧାନ। ଚାଷ ଜମି ଭବିଷ୍ୟତରେ କେବେ ବି ଘରବାରି ହେବନି ବୋଲି କିଏ କହିଲା। ସହର ବଢ଼ୁଥିଲା ବେଳେ ଏବେକାର ଚାଷ ଜମି ଭବିଷ୍ୟତରେ ଘରବାରି କରିବାକୁ ଲୋକେ ବାଧ୍ୟ ହେବେ। ସରକାର ଏଭଳି କଟକଣା ଲଗାଇବା ଆଇନସଙ୍ଗତ କି। କେନ୍ଦ୍ରୀୟ ଆଇନକୁ ଖିଲାଫ ସହ ଦ୍ୱନ୍ଦ୍ୱ ସୃଷ୍ଟି ଲାଗି ଏ ସବୁ ଫନ୍ଦି। ଆଜି ଯାଏଁ କାହିଁକି ଏସଓପି ଜାରି ହେଲାନି। ସବ-ରେଜିଷ୍ଟ୍ରାରଙ୍କ କାନ୍ଧରେ ସବୁତକ ଭାର ଲଦିଦେଇ କେମିତି ଆଇଜିଆର, ରାଜସ୍ୱ ମନ୍ତ୍ରୀ ଖସିଯାଉଛନ୍ତି। ନା ସବ-ରେଜିଷ୍ଟ୍ରାର ବୁଝାଇପାରୁଛନ୍ତି ନା ଲୋକେ ବୁଝିୁପାରୁଛନ୍ତି। ଏ ସନ୍ଦର୍ଭରେ ସରକାରଙ୍କୁ ନୋଟିସ୍ ସହ ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ ହେବ। ସବ-ରେଜିଷ୍ଟାର କାନୁନଗୋଙ୍କ କହିବା କଥା, ଚାଷ ଜମିର ପାର୍ଟ- ପଞ୍ଜୀକରଣ ସେ ନିଜେ ଯେମିତି ଯାହା ବୁଝିଲେ, ସେମିତି କରୁଛନ୍ତି। ଅର୍ଥାତ ନିଜେ ଇଣ୍ଟରପ୍ରିଟେସନ କରି ଯେତିକି ପାରୁଛନ୍ତି, ସେତିକି କରୁଛନ୍ତି। କାରଣ ଉପରୁ ସ୍ପଷ୍ଟତା ଆସିବାରେ ବିଳମ୍ୱ ସାଙ୍ଗକୁ ତଳେ ଲୋକଙ୍କ ଅସନ୍ତୋଷ ବି ବଢ଼ୁଥିବା କଥାକୁ ସ୍ୱୀକାର କରୁଛନ୍ତି ସବ-ରେଜିଷ୍ଟ୍ରାର। ପିପିଲି, ବାଲିଅନ୍ତା, ଜଟଣୀ, ଖୋର୍ଦ୍ଧା ଆଦିରେ ଚାଷ ଜମିର ପାର୍ଟ- ପଞ୍ଜୀକରଣରେ କୌଣସି ଅସୁବିଧା ନାହିଁ। କିନ୍ତୁ ଭୁବନେଶ୍ୱର ଉପକଣ୍ଠରେ ଥିବା ଚାଷ ଜମିର ପାର୍ଟ କିଣାବିକାରେ ମନ୍ତ୍ରୀଙ୍କ ଘୋଷଣା ସତ୍ତ୍ୱେ ସ୍ପଷ୍ଟତା ଆସୁନଥିବାରୁ ଲୋକେ ହଇରାଣ ହେବା ସାର ହେଉଛି। କାରଣ ଏଠାରେ ସବ-ରେଜିଷ୍ଟ୍ରାର ଅର୍ବାନ ଏରିଆର ଆଳ ନେଇ ଅଡୁଆରେ ଫସିବାକୁ ଚାହୁଁନାହାନ୍ତି କି କୌଣସି ରିସ୍କ ନିଜ ଆଡ଼ୁ ବା କାହିଁକି ନେବେ। ଏମିତିରେ ଖଣ୍ଡଗିରି ସବ-ରେଜିଷ୍ଟ୍ରାର ଅଫିସରେ ପାର୍ଟ-ପ୍ଲଟ କେଳେଙ୍କାରୀ ମାମଲାରେ ବିଶ୍ୱଜିତ ପ୍ରଧାନ, ଗୀତୁ ସେଠୀଙ୍କ ଭଳି ଅଫିସର ସସପେଣ୍ଡରେ ଅଛନ୍ତି। ସେଥିଲାଗି ଅନେକ ଦିନ ହେଲା ସବ-ରେଜିଷ୍ଟ୍ରାର ଚାର୍ଜରେ ଥିବା ତଥା ଭୁବନେଶ୍ୱର ଅତିରିକ୍ତ ତହସିଲଦାର ଶୁଭପ୍ରକାଶ କାନୁନଗୋ ବି ନିଜ ଉପରୁ କୌଣସି ରିସ୍କ ନ ନେବାକୁ ଦଲିଲରେ ସିଲ୍ ଓ ଷ୍ଟାମ୍ପ ଲଗା ଫର୍ମାଟରେ କାମ ଜାରି ରଖିଛନ୍ତି। ଚାଷ ଜମିର ପାର୍ଟ କିଣାବିକା ଉପରୁ ସରକାର ପ୍ରତିବନ୍ଧକ ହଟାଇଲେ ନା ଦ୍ୱନ୍ଦ୍ୱ ବଢାଇଲେ, ତାକୁ ନେଇ ସବୁଠି ସମାଲୋଚନା କରାଯାଉଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now