ପାର୍ଟ-ପ୍ଲଟ ପଞ୍ଜୀକରଣ: ମନା କଲେ ସସପେଣ୍ଡ ହେବେ ସବରେଜିଷ୍ଟ୍ରାର- ମନ୍ତ୍ରୀ ସୁରେଶ ପୂଜାରୀ

ପାର୍ଟ-ପ୍ଲଟ ପଞ୍ଜୀକରଣକୁ ନେଇ କାହିଁକି ଦିନକୁ ଦିନ ବଢ଼ୁଛି ଦ୍ୱନ୍ଦ୍ୱ। କାହିଁକି କୌଣସି ସ୍ପଷ୍ଟତା ରଖୁନାହାନ୍ତି ସରକାର। ଏଭଳି ଅଚଳାବସ୍ଥାକୁ ହଟାଇବାକୁ ବାରମ୍ୱାର ରାଜସ୍ୱ ଓ ନଗର ଉନ୍ନୟନ ବିଭାଗ ମିଳିତ ବୈଠକ କରି ମାନସମନ୍ଥନ କଲେ ସତ। ହେଲେ ରେଜଲ୍ଟ କାଇଁ। ରାଜସ୍ୱ ମନ୍ତ୍ରୀ ବି ବାରମ୍ୱାର କହିଆସୁଛନ୍ତି, ଚାଷ ଜମିର ଆଂଶିକ କିଣାବିକା ଉପରୁ ସମସ୍ତ ପ୍ରତିବନ୍ଧକ ହଟିସାରିଛି। ହେଲେ ଗ୍ରାଉଣ୍ଡରେ ସ୍ଥିତି ତ ପୁରା ଓଲଟା। କାରଣ ସବ-ରେଜିଷ୍ଟ୍ରାରଙ୍କ ଦ୍ୱନ୍ଦ୍ୱ ଦୂର ହୋଇନି ଆଜି ଯାଏଁ। ଚାଷ ଜମିକୁ କେତେ ଥର ଭାଗ ଭାଗ କରି ଜଣେ ବିକିପାରିବେ। ଥରେ ନା ଯେତେଥର ଚାହିଁଲେ ବିକିବେ। ୫ହଜାର ବର୍ଗଫୁଟ ଯାଏ ଜମିକୁ ବିକିବ ନା ଏହାଠୁ ଅଧିକ ଚାହିଁଲେ ବିକିପାରିବଚାଷ ଜମିକୁ ରାସ୍ତାଘାଟ ନଥିଲେ, ଗହୀର ଭିତରେ ଥିଲେ। ସେଠାରେ କଅଣ ରେରା ନିୟମ ଲାଗୁ କି।  ଏ କଥାକୁ କାହିଁକି ସରକାର ସରଳୀକରଣ କରୁନାହାନ୍ତି। ସମସ୍ତ ସବ-ରେଜିଷ୍ଟ୍ରାର ଅଫିସ ଆଗରେ କାହିଁକି ରେଜିଷ୍ଟ୍ରେସନକୁ ନେଇ ଥିବା ନିୟମର ନୋଟିସ ମାରୁନାହାନ୍ତି ସରକାର। ଫଳରେ ସାଧାରଣ ଲୋକଟିଏ ହଇରାଣରେ ପଡ଼ନ୍ତାନି କି ସବ-ରେଜିଷ୍ଟ୍ରାର ନିଜକୁ ସୁହାଇଲା ଭଳି ଆଇନ ବତାଇ ନିରାଶ କରନ୍ତେନି। ଆଇଜିଆରଙ୍କ ପକ୍ଷରୁ କୌଣସି ସ୍ପଷ୍ଟିକରଣ କାହିଁକି ଆସୁନି। ଟିକେ ଟିକେ କଥାରେ କ୍ଲାରିଫିକେସନ ମାଗୁଥିବା ସବ-ରେଜିଷ୍ଟ୍ରାରମାନେ ବି କାହିଁକି ବେଫିକର ହୋଇ ବସୁଛନ୍ତି। ଏଥିରେ ନା ଲୋକଙ୍କ ମଙ୍ଗଳ ହେଉଛି ନା ରାଜ୍ୟ ରାଜକୋଷକୁ ଫାଏଦା ହେଉଛି। ବାସ୍‌ ଏହାକୁ ନେଇ ଓଡ଼ିଶା ବିକାଶ ଅଭିଯାନ ପ୍ରଶ୍ନ କରି ସମସ୍ୟାର ସରଳ ସମାଧାନ ଦାବି କରିଛି। ମନ୍ତ୍ରୀ ଗୋଟିଏ ପ୍ରମାଣ ମାଗିଥିଲେ। ମଞ୍ଚ ୧୦ଟି ପ୍ରମାଣ ଦେଇଥିଲା। ତା ପରେ ମନ୍ତ୍ରୀ ତନାଘନା କଲେ ସତ। କିନ୍ତୁ ଆଜିଯାଏ ରେଜଲ୍ଟ ଶୂନ୍। ସେପଟେ ମନ୍ତ୍ରୀ ଚିହିଁକି ଉଠିଛନ୍ତି। ପାର୍ଟ-ପ୍ଲଟ ପଞ୍ଜୀକରଣ ଅଭିଯୋଗ ଥିଲେ ମନ୍ତ୍ରୀଙ୍କ ପାଖକୁ ପହଞ୍ଚାନ୍ତୁ ତଥ୍ୟ। କୌଣସି ସବ-ରେଜିଷ୍ଟ୍ରାର ପାର୍ଟ-ପ୍ଲଟକୁ ପଞ୍ଜୀକରଣ ଲାଗି ବାରଣ କରୁଥିଲେ, ତାଙ୍କୁ ସସପେଣ୍ଡ କରିଦେବେ ବୋଲି କଥା ଦେଇଛନ୍ତି ମନ୍ତ୍ରୀ। ପୂର୍ବ ସରକାର ସମୟରେ ପାର୍ଟ-ପ୍ଲଟ ବିକ୍ରିକୁ ନେଇ ଲୋକେ ହନ୍ତସନ୍ତ ହେଉଥିଲେ। ଏ ସରକାରରେ ସେମିତି ହେବନି।କଥା ପଡ଼ିଛି। ମନ୍ତ୍ରୀ ସିନା ଏହା କହିଦେଲେ। ହେଲେ ତାଙ୍କ ବିଭାଗ ମନ୍ତ୍ରୀଙ୍କ ଭଳି ସ୍ପଷ୍ଟ ତ। ସବ-ରେଜିଷ୍ଟ୍ରାର ଏହାକୁ ମାନୁଛନ୍ତି କି। ରାଜସ୍ୱ ବିଭାଗରୁ କୌଣସି ସ୍ପଷ୍ଟତା ଆସିନଥିବାରୁ ତ ଏତେକ ଝାମେଲା ଓ ଦ୍ୱନ୍ଦ୍ୱ। ଗଲା ମାସ ୧୮ ତାରିଖରେ ରାଜସ୍ୱ ବିଭାଗର ଅତିରିକ୍ତ ସଚିବ ଦିଗନ୍ତ ରାଉତରାୟ ନଗର ଉନ୍ନୟନ ବିଭାଗକୁ ଓଡିଏ ରୁଲ୍ସ, ୨୦୨୫ ଉପରେ କ୍ଲାରିଫିକେସନ ମାଗିଥିଲେ। ଜୁଲାଇ ୧୯ରେ ହୋଇଥିବା ସବ-ରେଜିଷ୍ଟ୍ରାର ସମ୍ମିଳନୀରେ ସବ-ରେଜିଷ୍ଟ୍ରାରଙ୍କ ଭିତରେ ଥିବା ଦ୍ୱନ୍ଦ୍ୱ ଦୂର କରିବାକୁ ଆଇଜିଆରଙ୍କ ପକ୍ଷରୁ ଅଗଷ୍ଟ ୨ରେ ବିଭାଗକୁ ମଗାଯାଇଥିଲା କ୍ଲାରିଫିକେସନ। ମୁଖ୍ୟତଃ ୪ଟି ଦିଗ ଉପରେ ସ୍ପଷ୍ଟତା ଲୋଡ଼ାଯାଇଥିଲା। ଚାଷ ଜମିକୁ ପାର୍ଟ-ପ୍ଲଟ୍‌ କରି ୫ଶହ ବର୍ଗମିଟରରୁ କମ୍ ନା ଏହାଠୁ ଅଧିକ କିଣାବିକା ହୋଇପାରିବ। ଭବିଷ୍ୟତରେ କୌଣସି ଚାଷ ଜମିର ପାର୍ଟକୁ ରିଅଲ ଇଷ୍ଟେଟ ପ୍ରୋଜେକ୍ଟରେ ଯେମିତି ବ୍ୟବହାର ହେବନି। ଏଥିଲାଗି କୌଣସି ଅଣ୍ଡରଟେକିଂ ଜରୁରୀ କି। ଯୌଥସମ୍ପତ୍ତି କ୍ଷେତ୍ରରେ ଜଣେ ଅଂଶୀଦାର ନିଜର ଭାଗକୁ ବିକ୍ରି କରିବାକୁ ଚାହୁଁଥିଲେ ବି ତାହାର ସମ୍ପୂର୍ଣ୍ଣ ଅଂଶ ଏବେକାର ନିୟମ ହିସାବରେ ବିକ୍ରି ହୋଇପାରିବ କି। ଜଏଣ୍ଟ ପ୍ରପର୍ଟିରେ କୌଣସି ଛାଡ୍ ଅଛି କି। ହେଲେ ଆଜି ଯାଏଁ କୌଣସି କ୍ଲାରିଫିକେସନ ଆସିପାରିନି। ଯାହାଲାଗି ଧନ୍ଦି ହେଉଛନ୍ତି ଅଫିସର ଆଉ ହନ୍ତସନ୍ତ ହେଉଛନ୍ତି ଜନତା। ପ୍ରମାଣ ମାଗୁଛନ୍ତି ମନ୍ତ୍ରୀ। ପ୍ରମାଣ ମିଳିଲେ ସସପେଣ୍ଡ କରିଦେବି ବୋଲି ତାଗିଦ୍ କରୁଛନ୍ତି। ବେଶୀ ଦୂର ନୁହେଁ। ଭୁବନେଶ୍ୱର ଓ ଖଣ୍ଡଗିରି ସବ-ରେଜିଷ୍ଟ୍ରାରଙ୍କୁ ପାର୍ଟ-ପ୍ଲଟ ବିକ୍ରି ହେଉଛି କି ନାହିଁ। କେଉଁ ନିୟମରେ କିଣାବିକା ହେଉଛି। ଏତକ ପଚାରିଦେଲେ ବି ପ୍ରମାଣ ଆବଶ୍ୟକତା ପଡ଼ନ୍ତାନି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *