ଓଡ଼ିଶାରାଜନୀତି

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ହେଉଛି ପକ୍ଷପାତ

() କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନର ଦୁଇ ପ୍ରତିଦ୍ୱନ୍ଦୀଙ୍କ ପ୍ରତି ଦଳୀୟ ନେତା ଓ କର୍ତ୍ତୃପକ୍ଷ ପକ୍ଷପାତିତା କରୁଥିବାର ଘଟଣା ସାମ୍ନାକୁ ଆସିଛି। ବିଶେଷ କରି ଥରୁର୍ ଙ୍କୁ ଅଧିକାଂଶ ପିସିସି ସଭାପତିଙ୍କ ଅସହଯୋଗ ଘଟଣା ଓ ଖଡଗେ ଗାନ୍ଧୀ ପରିବାରର ଆଶୀର୍ବାଦ ଲାଗି ସବୁଠି ଭରପୁର ସମର୍ଥନର ଅଙ୍କକଷା ଏହାକୁ ଗୋଳିଆ କରିଛି। ଏହି ଅବସରରେ ଆଜି ଥରୁର ମଧ୍ୟପ୍ରଦେଶରେ ପହଞ୍ଚିଥିଲା ବେଳେ ଖଡଗେ ଓଡ଼ିଶାରେ ପହଞ୍ଚି ସମର୍ଥନ ସାଉଁଟିଛନ୍ତି।

ଏଆଇସିସି ସଭାପତି ଲାଗି ପ୍ରତିଦ୍ୱନ୍ଦିତା କରୁଛନ୍ତି ଶଶୀ ଥରୁର୍ ଓ ମଲ୍ଲିକାର୍ଜୁନ ଖଡଗେ। ତେବେ ଥରୁରଙ୍କ ପଛରେ ଜି-୨୩ ଗ୍ରୁପର ଟ୍ୟାଗଲାଇନ୍ ଓ ଖଡଗେଙ୍କ ପଛରେ ଗାନ୍ଧୀ ଅନୁଗତର ଟ୍ୟାଗ୍‌ଲାଇନ ଲାଗିଥିବାରୁ କଂଗ୍ରେସରେ ଆରମ୍ଭ ହୋଇଛି ପକ୍ଷପାତିତା ରାଜନୀତି। ପ୍ରଚାର ବେଳେ ଖଡଗେଙ୍କ ପ୍ରତି ଯେଭଳି ପିସିସି ସଭାପତିମାନେ ସକରାତ୍ମକ ଆଚରଣ ପ୍ରଦର୍ଶନ କରୁଛନ୍ତି, ତାଙ୍କ ପ୍ରତି ନୁହେଁ ବୋଲି ଦୁଃଖ ପ୍ରକାଶ କରୁଛନ୍ତି ଥରୁର୍। ଏପରିକି ଭୋଟଭିକ୍ଷା ବେଳେ ବି ଅନେକ ବରିଷ୍ଠ ନେତାଙ୍କ ଅନୁପସ୍ଥିତି ତାଙ୍କୁ ବାଧୁଛି। ତେବେ ଥରୁରଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହଲଟ ସମ୍ପୂର୍ଣ୍ଣ ସମର୍ଥନ କରିବେ ବୋଲି ଖୋଲାଖୋଲି କହିଛନ୍ତି। ଭୋପାଳରେ ପ୍ରଚାର ଲାଗି ପହଞ୍ଚିଥିବା ଶଶୀ କହିଛନ୍ତି, କୌଣସି ପ୍ରାର୍ଥୀ ଲାଗି ପଦାଧିକାରୀ ପ୍ରଚାର କରିବା କଥା ନୁହେଁ। ହେଲେ ବ୍ୟତିକ୍ରମ ହେଉଛି। ଅବଶ୍ୟ ଏମପିରେ ଯେଭଳି ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି, ସେ ଆଉ କେଉଁଠି ପାଇନାହାନ୍ତି ବୋଲି କହିଛନ୍ତି ଥରୁର୍। ନିର୍ବାଚିତ ହେଲେ ଉଦୟପୁରରେ ହୋଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ, ସିଡବ୍ଲୁସି ନିର୍ବାଚନ କରି ଦଳର ସଂସଦୀୟ ବୋର୍ଡକୁ ପୁନରୁଦ୍ଧାର ଲାଗି ସେ କାମ କରିବେ। ୨୦୧୪ରେ ଉପାର ସ୍ଳୋଗାନ୍ ମୁଁ ନୁହେଁ, ଆମେ ନାରାରେ ସଂଗଠନ ଓ ଦଳକୁ ଆଗକୁ ନେବାକୁ ହେବ।

ସେପଟେ ମଲ୍ଲିକାର୍ଜୁନ ଖଡଗେ ପ୍ରଚାର ପାଇଁ ଓଡ଼ିଶାରେ ପହଞ୍ଚିଛନ୍ତି। ବିମାନବନ୍ଦରରୁ ସିଧା କଂଗ୍ରେସ ଭବନ ଯାଇଥିଲେ ଖଡଗେ। ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ତାଙ୍କୁ ସମର୍ଥନ କରିବାକୁ ଅନୁରୋଧ କରିଛନ୍ତି ଖଡଗେ। ଉଦୟପୁର ଡିକ୍ଲାରେସନ ଅନୁସାରେ କାମ କରିବି। କୌଣସି ନୂଆ ଏଜେଣ୍ଡା ନାହିଁ। ଯୁବକଙ୍କୁ ପ୍ରାଧାନ୍ୟ ଦେବା ସହ ଦଳର ନୀତି ଅନୁପାଳନ କରିବା ତାଙ୍କର ପ୍ରାଥମିକତା ବୋଲି କହିଛନ୍ତି ଖଡଗେ। ଥରୁରଙ୍କ ସହ ତାଙ୍କର କୌଣସି ବିବାଦ ନାହିଁ।

ଅଧିକାଂଶ ପିସିସି ସଭାପତି ଖଡଗେଙ୍କୁ ସ୍ୱାଗତ କରୁଛନ୍ତି। କିନ୍ତୁ ଥରୁରଙ୍କୁ ଅଣଦେଖା କରୁଥିବାର ଅଭିଯୋଗ ହେଉଛି। ପାତରଅନ୍ତରର ଅଭିଯୋଗ ଆଣି ଥରୁର୍ ବି ସ୍ପଷ୍ଟ କରିଛନ୍ତି, ଖଡଗେଙ୍କ ସହ ତାଙ୍କର କୌଣସି ମତଭେଦ ନାହିଁ। କେବଳ ନିର୍ବାଚନରେ ସେମାନେ ପ୍ରତିଦ୍ୱନ୍ଦୀ ସାଜିଛନ୍ତି।

ନବକିଶୋର ସାହୁଙ୍କ ସହ ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button