ପୋଷା କୁକୁରର କଷ୍ଚଡି ନେଇ ଶାଶୁଙ୍କୁ ଜରିମାନା ଦଣ୍ଡ। ହଜାରେ ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି ଓଡ଼ିଶା ହାଇକୋର୍ଟ। ବୋହୁଠୁ ପୋଷା କୁକୁରକୁ ନେବାକୁ ରିଟ୍ ପିଟିସନ ଦାଖଲ କରିଥିଲେ ଶାଶୁ। ଏକ ଯୌତୁକ ନିର୍ଯ୍ୟାତନା ମାମଲାକୁ ନେଇ ଶାଶୁ ଘର ବିରୁଦ୍ଧରେ ଏତଲା ଦେଇ ଶାଶୁ ଘର ଛାଡ଼ିଦେଇଥିଲେ ବୋହୂ। ଏହା ଭିତରେ ଶାଶୁ ଘରୁ ଯୌତୁକ ସାମଗ୍ରୀ ବି ଜବତ ହୋଇଥିଲା। ସାମଗ୍ରୀ ଜବତ ବେଳେ ଘରେ ଥିବା ପୋଷା କୁକୁରକୁ ବୋହୂ ସାଙ୍ଗରେ ନେଇଯାଇଥିଲେ। ତେବେ ପୋଷା କୁକୁରକୁ ନିଜ ହେପାଜତକୁ ନେବାକୁ ଶାଶୁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଜଣିକିଆ ଖଣ୍ଡପୀଠରେ ଏହାର ଶୁଣାଣୀ ନେଇ ତର୍କ ଜାରି ବେଳେ ଏ ପିଟିସନକୁ ପ୍ରତ୍ୟାହାର ସହ ପ୍ରାଧିକୃତ କର୍ତ୍ତୃପକ୍ଷଙ୍କ ପାଖରେ ଅଭିଯୋଗର ସମାଧାନ ଲାଗି ଚାହିଁଥିଲେ ଶାଶୁ। କୋର୍ଟ ବି ଅନୁମତି ଦେଇଥିଲେ। କିନ୍ତୁ କୋର୍ଟର ବହୁ ମୂଲ୍ୟ ସମୟ ଅପଚୟ କରିବାରୁ କୋର୍ଟ ପିଟିସନକାରୀ ତିଳୋତ୍ତମା ପଢ଼ିଆରୀଙ୍କୁ ହଜାରେ ଟଙ୍କା ଜରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି। ଏହି ଅର୍ଥ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ ଓ୍ୱେଲଫେୟାର ଫଣ୍ଡରେ ନିର୍ଦେଶାନାମାର ୧୦ ଦିନ ଭିତରେ ଜମା କରିବାକୁ ରାୟ ଦେଇଛନ୍ତି ବିଚାରପତି। ପିଟିସନକାରୀଙ୍କ ପକ୍ଷରୁ ଲଢ଼ୁଥିଲେ ଆଇନଜୀବି ବ୍ୟୋମକେଶ ତ୍ରିପାଠୀ।


Naxatra News is now on Whatsapp
Join and get latest news update delivered to you via whatsapp
Join Now