ଓଡ଼ିଶା

ପେଟ୍‌ଙ୍କ ପାଇଁ ଗାଇଡଲାଇନ

() ରାଜଧାନୀରେ କୁକୁର କାମୁଡ଼ା କଳି ଉଗ୍ରରୂପ ନେବା ପରେ ବିଏମସି କଡ଼ା ନିୟମ ଆଣିବାକୁ ଯାଉଛି। ଏଣିକି ପୋଷା ଜୀବଜନ୍ତୁ ରଖିଲେ ବିଏମସିର ଅନୁମତି ନେବା ସହ ବିଏମସିରେ ପଞ୍ଜୀକରଣ କରିବାକୁ ପଡ଼ିବ। ତେବେ ବିଏମସିର ଏହି ନିଷ୍ପତ୍ତିକୁ ଓ ପ୍ରସ୍ତୁତିକୁ ନେଇ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଲାଣି। ଅନେକ ଏହାକୁ ସ୍ୱାଗତ କରୁଛନ୍ତି ତ ଅନେକ ପଶୁପ୍ରେମୀ ବିରୋଧ କରୁଛନ୍ତି।

ଏଣିକି ଘରେ ପୋଷା ଜୀବଜନ୍ତୁ ରଖିଲେ ବିଏମସିର ଅନୁମତି ସହ ନାଁ ପଞ୍ଜୀକରଣ କରିବାକୁ ପଡ଼ିବ। କାହାର କ୍ଷତି କରିବନି ବୋଲି ଅଣ୍ଡରଟେକିଂ ଦେବାକୁ ହେବ। ଭୁବନେଶ୍ୱର ଇନଫୋସିଟି ଥାନା ଅନ୍ତର୍ଗତ ତପସ୍ୱିନୀ କଲୋନୀରେ ଜଣେ ନାବାଳକକୁ କୁକୁର କାମୁଡିବା, ଏହାକୁ ନେଇ କଲୋନୀବାସି, କୁକୁର ମାଲିକ ଓ ପଶୁପ୍ରେମୀ ମୁହାଁମୁହିଁ ପରେ ବିଏମସି ଏହି ନିୟମ ଆଣିବାକୁ ଯାଉଛି। ବିଏମସି କମିଶନର ଏହି ସୂଚନା ଦେଇଛନ୍ତି।

ପୋଷା ଜୀବଜନ୍ତୁ ଗାଇଡଲାଇନ ଆସନ୍ତା ସପ୍ତାହକ ଭିତରେ ଆସିବା ଆଗରୁ କିନ୍ତୁ ଏହାକୁ ନେଇ ପ୍ରାଣୀପ୍ରେମୀଙ୍କ ଭିତରେ ଅସନ୍ତୋଷର ଦାନା ବାନ୍ଧିଥିଲା ବେଳେ ଅନେକ ଏହାକୁ ସ୍ୱାଗତ ବି କରିଛନ୍ତି। ଗୋଟିଏ ଘଟଣାକୁ ନେଇ ବିଏମସି ସମସ୍ତଙ୍କ ଉପରେ ସମାନ ନିୟମ ଲଦିଦେବା ସମୀଚିନ ନୁହେଁ। ଆଉ କିଏ କହୁଛି, ପୋଷା ଜଣେ ମାଲିକର ଆଇନା। ଗୋଟିଏ କୁକୁର କାମୁଡ଼ିଲା ବୋଲି ସବୁ ସେଭଳି କରିବେ ବୋଲି ମାଏନା ନାହିଁ। ପୋଷା କୁକୁରଙ୍କ ତୁଳନାରେ ବୁଲା କୁକୁର ବରଂ ଅଧିକ ଆକ୍ରମଣ କରୁଛନ୍ତି। ତରବରିଆ ଭାବେ ଗାଇଡଲାଇନ ଆଣିବା ଠିକ୍ ନୁହେଁ। ଆଉ କିଏ କହୁଛି, ଏମିତି ହେଲେ ବିଏମସି ପାଖରେ ପୋଷା ଜୀବଜନ୍ତୁଙ୍କ ତଥ୍ୟ ବି ରହିବ। ଏଭଳି ଗାଇଡଲାଇନ ଉଭୟ ପାଳିତ ପଶୁ ଓ ସେମାନଙ୍କ ମାଲିକଙ୍କ ପାଇଁ ଭଲ। ନିୟମିତ ଟିକାକରଣ ସମ୍ଭବ ସହ କେଉଁ ବ୍ରିଡ୍‌ର କେତେ କୁକୁର ଅଛନ୍ତି ଜଣାପଡ଼ିବ।

 ପୋଷା ଜୀବଜନ୍ତୁଙ୍କ ପାଇଁ ବିଏମସି ଆଣିବାକୁ ଯାଉଛି ଗାଇଡଲାଇନ୍। ଏଭଳି ସ୍ଥିତିରେ ରାଜଧାନୀବାସୀଙ୍କ ଭିତରେ ମିଶ୍ରିତ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା ବେଳେ ଆଗକୁ  ଆସୁଥିବା ନିୟମ କି ମୋଡ଼ ନେବ, ତା ଉପରେ ନଜର।

ସିମ୍ପୁଲ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button