ଆଜି ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ

Spread the love

ପୁରୀ : ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଅଭିମନ୍ତ୍ରିତ ଅଧିବାସ ଜଳରେ ସ୍ନାନ ପରେ ଶ୍ରୀଜୀଉମାନେ ଜ୍ଵରରେ ପୀଡ଼ିତ ହୋଇ ଅଣସର ପିଣ୍ଡିରେ ଅବସ୍ଥାନ କରିଛନ୍ତି । ଆଜି ଅଣସର ପିଣ୍ଡିରେ ଚତୁର୍ଦ୍ଧାମୂର୍ତିଙ୍କ ପଂଚମ ଦିନ । ଜ୍ଵରରୁ ଉପଶମ ପାଇଁ ଦଇତାପତି ସେବକ ମାନେ ଶ୍ରୀଜୀଉଙ୍କ ଗୁପ୍ତ ସେବା ଜାରୀ ରଖିଛନ୍ତି । ଆଜି ଅଣସର ପିଣ୍ଡିରେ ପଂଚମ ଦିବସରେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲାଗି ହେବ । ଜ୍ଵରଗ୍ରସ୍ତ ଠାକୁର ମାନଙ୍କ ଦେହରୁ ମଜରା ଛଡାଇବାକୁ ଏହି ଉପଚାର କରାଯିବ । ଶ୍ରୀଅଙ୍ଗକୁ ସୁସ୍ଥ କରିବାକୁ ଏହି ଫୁଲୁରୀ ତେଲ ମାଲିସ୍ କରାଯିବ ।

ଔଷଧିୟ ଗୁଣ ସମ୍ପନ୍ନ ସୁଗନ୍ଧିତ ମଲ୍ଲୀ ଫୁଲ, କିଆ, କେତକୀ ସହ କିଛି ଧାନ ଓ ବେଣାଚେରକୁ ଘଣା ହୋଇଥିବା ରାଶି ତେଲରେ ମିଶାଇ ଏକ ମାଟି ହାଣ୍ଡିରେ ଏହାକୁ ପ୍ରସ୍ତୁତ କରାଯାଇଥାଏ । ଏହି ମିଶ୍ରଣକୁ ମାଟିପାତ୍ରରେ ମାଟି ତଳେ ଦୀର୍ଘ ୧ ବର୍ଷ କାଳ ରଖିବା ପରେ ଦେବସ୍ନାନ ପୂର୍ଣ୍ଣିମା ଦିନ ଏହି ମାଟିପାତ୍ରକୁ ମାଟିରୁ ବାହାର କରାଯାଇଥାଏ । ଆୟୁର୍ବେଦ ଶାସ୍ତ୍ର ମୁତାବକ, ଏ ସମସ୍ତ ଫୁଲ ଓ ବେଣା ଚେରରେ ରହିଛି ଦେହକୁ ଉଷ୍ମତା ପ୍ରଦାନ କରିବାର ଶକ୍ତି । ଶ୍ରୀକ୍ଷେତ୍ରରେ ଥିବା ବଡ଼ ଓଡ଼ିଆ ମଠ ପକ୍ଷରୁ ଏହାକୁ ପ୍ରସ୍ତୁତ କରାଯାଇ ସେବା ନିମିତ ଯୋଗାଇ ଦିଆଯାଇଥାଏ । ଦେଉଳ କରଣଙ୍କ ନେତୃତ୍ଵରେ ଏହାକୁ ଅଣସର ଗୃହକୁ ଅଣାଯିବା ପରେ ଦଇତାପତି ସେବକ ମାନେ ଶ୍ରୀ ବଳଭଦ୍ର, ଶ୍ରୀ ଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ଶ୍ରୀଅଙ୍ଗରେ ଏହାକୁ ମାଲିସ୍ କରିଥାନ୍ତି ।

ଗତକାଲି ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ଫିଟା ନୀତି ସମ୍ପନ୍ନ ହୋଇଥିଲା । ଅଣସର ସମୟରେ ଶ୍ରୀଜୀଉମାନେ ଶ୍ଵେତ ବସ୍ତ୍ର ପରିଧାନ କରିବାର ବିଧି ରହିଛି । ଏହି ୧୫ ଦିନ ତୁଳସୀ ଲାଗି ହେବା ପରିବର୍ତେ ମହାପ୍ରଭୁଙ୍କୁ କେବଳ ଧଳାଫୁଲ ଲାଗି ହୋଇଥାଏ । ପଣା ଏବଂ ଚକଟା ଭୋଗ ଲାଗି ହୋଇଥାଏ।

ଏହି ସମୟରେ ଶ୍ରୀମନ୍ଦିର ଅଣସର ପିଣ୍ଡିରେ ପଟ୍ଟି ଦିଅଁ ପୂଜା ପାଉଛନ୍ତି । ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଅନନ୍ତ ନାରାୟଣ, ଶ୍ରୀ ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ଓ ଦେବୀ ସୁଭଦ୍ରାଙ୍କ ସ୍ଥାନରେ ମା ଭୁବନେଶ୍ଵରୀ ପଟ୍ଟି ଦିଅଁ ସ୍ଥାପନା ହେବା ସହ ପୂଜିତ ହେଉଛନ୍ତି । ନୀତି ଓ ପରମ୍ପରା ଅନୁଯାୟୀ ପଟ୍ଟି ଦିଅଁଙ୍କ ପୂଜାର୍ଚ୍ଚନା ଚାଲିଛି ।

ଜୟ ବିଜୟ ଦ୍ଵାର ନିକଟରେ ଖଟ ଉପରେ ମଦନମୋହନ ରାମକୃଷ୍ଣ, ଶ୍ରୀଦେବୀ ଭୂଦେବୀ, ମାଧବ ଓ ଶ୍ରୀ ନୃସିଂହ ପଟ୍ଟିଦିଅଁଙ୍କ ସହ ପୂଜା ପାଉଛନ୍ତି । ଯାହାକି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମାନବୀୟ ଲୀଳାଖେଳାର ଅନ୍ୟ ଏକ ନିଦର୍ଶନ । ଅନ୍ୟପକ୍ଷରେ ଏହି ସମୟରେ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରହିଛି ।

Leave a Reply

Your email address will not be published. Required fields are marked *