ଓଡ଼ିଶା

ମାଓ କ୍ୟାମ୍ପରେ ଆମ ପ୍ରତିନିଧି

ମାଲକାନଗିରି: ମାଓବାଦୀ ପାଳନ କରୁଛନ୍ତି ୨୨ତମ PLGA ସପ୍ତାହ। ଗରିଲା କ୍ୟାଡର ମାନେ ନିଜର ସ୍ଥିତି ଜାହିର କରି ରେଡ଼ କରିଡ଼ରରେ ବଳିଦାନୀ କମ୍ରେଡ଼ଙ୍କ ସ୍ମୃତିଚାରଣ କରିବା ସହ ସଂଗଠରେ ନୂତନ କ୍ୟାଡର ନିଯୁକ୍ତି କରୁଛନ୍ତି। ଏହି ଅବସରରେ ମାଓବାଦୀ କୌଣସି ହିଂସାକାଣ୍ଡ ଘିଟାଇବା ଆଶଙ୍କା ରହିଛି। ଏଣୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ତେବେ ଆମକୁ ଏକ ବିଶେଷ ସୂତ୍ରରୁ ମାଓ କ୍ୟାମ୍ପକୁ ଡାକରା ଆସିଥିଲା। ଆସନ୍ତୁ ଦେଖିବା ଗ୍ରାଉଣ୍ଡ ଜିରୋରୁ ମାଓ କ୍ୟାମ୍ପ।

ମାଓବାଦୀ ମାନେ ପାଳନ କରୁଛନ୍ତି ପିଏଲଜିଏ ସପ୍ତାହ । ଜଳ, ଜଙ୍ଗଲ, ଜମି ଏବଂ ଅଧିକାରର ଲଢେଇ ନିମନ୍ତେ ଏକାଧିକ ନକ୍ସଲ ସଂଗଠନ ଏକତ୍ରିତ ହୋଇଛନ୍ତି। ପିପୁଲସ ଲିବେରସନ ଗରିଲା ଆର୍ମି ବା PLGA ଗଠନ ଡିସେମ୍ବର ୨ ତାରିଖ ୨୦୦୦ରେ ହୋଇଥିଲା, ଯାହା ସାରା ଦେଶରେ ମାଓ ସଂଗଠନ ଭାବେ ପରିଚିତ। ପିଏଲଜିଏ ପ୍ରତିଷ୍ଠା ଦିବସକୁ ଡିସେମ୍ବର ୨ ତାରିଖ ଠାରୁ ମାଓବାଦୀ ସପ୍ତାହବ୍ୟାପୀ ପାଳନ କରିଆସୁଛନ୍ତି। ମାଓବାଦୀ ସଂଗଠନ ତାର ୨୨ବର୍ଷ ପୂର୍ତ୍ତି ପାଳନ କରୁଥିବା ବେଳେ  ସମସ୍ତ ମାଓ ଅଞ୍ଚଳରେ ଗାଁ ଗାଁରେ ସହିଦ କ୍ୟାଡରଙ୍କ ସ୍ମୃତିଚାରଣ କରାଯାଉଛି। ଲୋକଙ୍କ ଅଧିକାର ନିମନ୍ତେ ବିପ୍ଳବ ହିଁ ଏକ ମାତ୍ର ମାର୍ଗ ବୋଲି ପ୍ରଚାର କରୁଛନ୍ତି ମାଓବାଦୀ। ଏହି ସପ୍ତାହ ପାଳନ କାଳରେ ଆମକୁ ମାଓ ସଂଗଠନ ପକ୍ଷରୁ କମ୍ପାକୁ ଯିବାକୁ ଡକରା ଆସିଥିଲା। ଆମ ପ୍ରତିନିଧି ସଦର ମହକୁମା ଠାରୁ ପାଖା ପାଖି 200 କିଲୋମିଟର ଯାତ୍ରା କରିବା ପରେ ପହଞ୍ଚି ଥିଲେ ମାଓ କ୍ୟାମ୍ପରେ। ସେଠାରେ ଆମକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସାଜ୍ଜିତ କ୍ୟାଡରମାନେ ଲାଲ ସଲାମ ଜଣାଇ ସ୍ୱାଗତ କରିଥିଲେ। ପରେ ସଂଗଠନର ବାରିଷ୍ଠ କ୍ୟାଡର ଆମ ସହ ସାଧାରଣ ଜନତାଙ୍କ ହକ ଅଧିକାର ବିଷୟରେ ଆଲୋଚନା କରିଥିଲେ। PLGA ସପ୍ତାହ ସମୟରେ ମନରେ ଅନେକ ଭୟ ଏବଂ ଆତଙ୍କ ରହିଛି । କାରଣ ମାଓବାଦୀ ଏହି ସପ୍ତାହ ପାଳନ କାଳରେ ବହୁ ହିଂସାକାଣ୍ଡ ଭିଆଇବା ସହ ବ୍ୟାପକ ସର୍ବସାଧାରଣ ସମ୍ପଦ ନଷ୍ଟ କରିଆସୁଛନ୍ତି। ତଥାପି ମନର ଭୟକୁ ଚାପି ଆମ ପ୍ରତିନିଧି ନିଜ ଦାଇତ୍ୱ ସମ୍ପନ୍ନ କରିଛନ୍ତି। ଅପରପକ୍ଷରେ ମାଓବାଦୀଙ୍କ ଏହି ସପ୍ତାହ ପାଳନ ପାଇଁ ମାଲକାନଗିରି ଜିଲ୍ଲାରେ ସରକାରୀ ବସ ସେବା ସମ୍ପୂର୍ଣ୍ଣ ବନ୍ଦ ରହିଛି। ଆଉ ସୁରକ୍ଷା ବାହିନୀ ତରଫରୁ କୁମ୍ବିଂ ଏବଂ ଖାନ ତଲାସୀ ଜୋରଦାର କରାଯାଇଥିବା ଦେଖିବାକୁ ମିଳୁଛି।

ସନ୍ତୋଷ ନାଗଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button