ପୋଲାଭରମ ପ୍ରକଳ୍ପ ବିବାଦ ନେଇ ଉଚ୍ଚସ୍ତରୀୟ ବୈଠକ ବସିବ। ୨୮ରେ ବସିବାକୁ ଥିବା ଏହି ବୈଠକରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ମୋଦି। ଓଡ଼ିଶା, ଆନ୍ଧ୍ର, ଛତିଶଗଡ଼ ଓ ତେଲେଙ୍ଗାନା ୪ ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ୍ ହେବେ। ଜଳସେଚନ, ପ୍ରକଳ୍ପ ଦ୍ୱାରା ପ୍ରଭାବିତ ଗାଁର ସମସ୍ୟା, ସେମାନଙ୍କ ଥଇଥାନ ଓ ସର୍ବୋପରି ପ୍ରକଳ୍ପ ବିନା ବାଧାରେ କିଭଳି ହୋଇପାରିବ, ସେ ନେଇ ବିସ୍ତୃତ ଆଲୋଚନା ହେବ। ପୋଲାଭରମକୁ ନେଇ ଓଡ଼ିଶା ଓ ଆନ୍ଧ୍ର ଭିତରେ ଦୀର୍ଘ ଦିନ ଧରି ବିବାଦ ଲାଗିରହିଛି। ମାଲକାନଗିରି ଜିଲ୍ଲାର ଅନେକ ଅଞ୍ଚଳ ଜଳମଗ୍ନ ନେଇ ଆଶଙ୍କା କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ସ୍ତରରେ ମୋଦିଙ୍କ ଆଲୋଚନା ନେଇ ତାଙ୍କ ପାଖରେ କୌଣସି ଖବର ନାହିଁ। ଅଧିକାରୀସ୍ତରରେ ଆଲୋଚନା କରିପାରନ୍ତି। ଯଦି ମୁଖ୍ୟମନ୍ତ୍ରୀ ସ୍ତରରେ ଆଲୋଚନା ହେବ, ସେ ସାମିଲ୍ ହେବେ। ଆଉ ଓଡ଼ିଶାର ହକ୍ ଯେମିତି ବଞ୍ଚିତ ହେବନି, ସେ ଦିଗରେ ସରକାର ବେଶ୍ ଯତ୍ନବାନ୍ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଓଡ଼ିଶା ତାହାର ଯୁକ୍ତି ଉପସ୍ଥାପନ କରିବ। ଓଡ଼ିଶାର ସ୍ୱାର୍ଥ ସହ କଦାପି ସାଲିସ୍ କରାଯିବନି। ଆଲୋଚନା ଜରିଆରେ ବିବାଦର ସମାଧାନ ହେବ। ଗଲା ସରକାର ଯେଉଁ ନ୍ୟାୟିକ ଲଢ଼େଇ କରିବା କଥା, ସେଥିରେ ପଛଘୁଞ୍ଚା ଦେଇଥିଲେ। ନିଜର ରାଜନୈତିକ ସ୍ୱାର୍ଥ ଦେଖି ମୁକବଧିର ପାଲଟି ଆଲୋଚନାକୁ ଗଲେନି। ଏଭଳି ବୈଠକକୁ ନେଇ ବିଜେଡି ଯଦିଓ ସ୍ୱାଗତ କରିଛି। କିନ୍ତୁ କଟାକ୍ଷ ବି କେନ୍ଦ୍ର ସରକାରଙ୍କୁ କରିଛି। ସଂଘୀୟ ବ୍ୟବସ୍ଥାରେ ରାଜ୍ୟ ରାଜ୍ୟ ଭିତରେ ପାତରଅନ୍ତର କଲେ ମୋଦି। ବିଜେଡି ସରକାରରେ ଥିଲା ବେଳେ ବାରମ୍ୱାର ପ୍ରତିବାଦ ସତ୍ତ୍ୱେ କେନ୍ଦ୍ର ସରକାର ଏହାକୁ ରାଷ୍ଟ୍ରୀୟ ପ୍ରକଳ୍ପ ଭାବେ ଘୋଷଣା କଲେ। ଅଯାଚିତ ଭାବେ ସ୍ୱତନ୍ତ୍ର ପାଣ୍ଠି ଯୋଗାଇଦେଇ ଏବେ ସମୀକ୍ଷା ଆଳରେ କେନ୍ଦ୍ର ସରକାର କେଉଁ ନ୍ୟାୟ ଦେବେ ବୋଲି ପଚାରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ଟ୍ରିପଲ ଇଞ୍ଜିନ ସରକାର ଯାହା କରୁଛନ୍ତି, ଓଡ଼ିଶାବାସୀ ବିଚାର କରିବେ। ଆଡ଼ିବନ୍ଧ ନିର୍ମାଣ ସହ ପୋଲାଭରମ ପ୍ରକଳ୍ପର ଉଚ୍ଚତା କମାଇବାକୁ ସୁପ୍ରିମକୋର୍ଟ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବୈଠକକୁ ଯିବା ଆଗରୁ ସମସ୍ତ କ୍ଷତିଗ୍ରସ୍ତଙ୍କ ସହ ସରକାର ଆଲୋଚନା କରନ୍ତୁ। ଆଇନମନ୍ତ୍ରୀଙ୍କ ଆକ୍ଷେପରେ ସତ୍ୟତା ନାହିଁ। ସୁପ୍ରିମକୋର୍ଟ, ଏନଜିଟିକୁ ବିଜେଡି ସରକାର ହିଁ ଯାଇଥିଲା ବୋଲି କହିଛନ୍ତି ପ୍ରଦୀପ ମାଝୀ। ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ କହିଛନ୍ତି, ପୋଲାଭରମ କ୍ଷତିଗ୍ରସ୍ତଙ୍କ ସ୍ୱାର୍ଥ କଥା ପ୍ରଧାନମନ୍ତ୍ରୀଙ୍କ ବୈଠକରେ ଉଠାନ୍ତୁ ମୁଖ୍ୟମନ୍ତ୍ରୀ। ଜଳ ଜମି ଓ ଜଙ୍ଗଲ ବାବଦକୁ କ୍ଷତିପୂରଣ ମିଳୁ। ମାଲକାନଗିରିବାସୀଙ୍କ ସ୍ୱାର୍ଥ ହାନି ନ ହେଉ କି ଏହାକୁ ନେଇ ରାଜନୀତିକରଣ ନ ହେଉ। ପ୍ରକଳ୍ପ ତ ସରିବା ଉପରେ। ଏଭଳି ବୈଠକ କଟା ଘାରେ ଚୂନ ଦେବା ସଦୃଶ ବୋଲି କହିଛନ୍ତି ସୁଦର୍ଶନ ଦାସ। କେତେ କ୍ଷୟକ୍ଷତି ହେବ, ଆଜି ଯାଏ ଆକଳନ ହେଲାନି। ବିସ୍ଥାପିତଙ୍କ ଲାଗି କୌଣସି ଯୋଜନା ନାହିଁ। ବାସ୍ତବିକ ନ୍ୟାୟ ଦେବାକୁ ଚାହୁଁଥିଲେ, ଦୃଢ଼ ଯୁକ୍ତି ରଖନ୍ତୁ କେନ୍ଦ୍ର ଆଗରେ।ପୋଲାଭରମ ପ୍ରକଳ୍ପ ହେଲେ ମାଲକାନଗିରି ଜିଲ୍ଲାର ୨ଶହରୁ ଉର୍ଦ୍ଧ୍ୱ ଗାଁ ଜଳମଗ୍ନ ହେବ ବୋଲି ଆଶଙ୍କା କରାଯାଉଛି। ମୋଦିଙ୍କ ବୈଠକ ପରେ ଓଡ଼ିଶା ତାହାର ହକ୍ କେତେଦୂର ପାଇବାକୁ ସମର୍ଥ ହେବ, ତା ଉପରେ ସମସ୍ତଙ୍କ ନଜର।

Naxatra News is now on Whatsapp
Join and get latest news update delivered to you via whatsapp
Join Now