ନବୀନ ନିବାସ ଘେରାଉ ଉଦ୍ୟମ ବେଳେ ପୁଲିସ ବିଜେପି ମୁହାଁମୁହିଁ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଗୋପ ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ପ୍ରଧାନ ଓ ଭୁବନେଶ୍ବର ହାଇ ପ୍ରୋଫାଇଲ ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ପୁଲିସ ପ୍ରଶାସନର ନିଷ୍କ୍ରିୟତାକୁ ନେଇ ଆଜି ବିଜେପି ପକ୍ଷରୁ ନବୀନ ନିବାସ ଘେରାଉ ଉଦ୍ୟମ ବେଳେ ବିଜେପି ଓ ପୁଲିସ ମୁହାଁମୁହିଁ।  ଉଭୟ ମାମଲାରେ ବିଜେଡିର ମନ୍ତ୍ରୀ ନେତାଙ୍କ ସମ୍ପୃକ୍ତି ରହିଥିବାରୁ ପୁଲିସ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ କରିଛି ବିଜେପି। ରାଜ୍ୟରେ ବୃଦ୍ଧି ପାଉଥିବା ଅପରାଧକୁ ନେଇ ସରକାରର ସ୍ଥାଣୁତାକୁ ନେଇ ବିଜେପି ମୁଖ୍ୟାଳୟରୁ ଶୋଭାଯାତ୍ରା ନବୀନ ନିବାସ ଅଭିମୁଖେ ବାହାରିଛି।

ରାଜ୍ୟର ବହୁ ଚର୍ଚ୍ଚିତ ଧର୍ମେନ୍ଦ୍ର ପ୍ରଧାନ ଓ ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ପୁଲିସ ନିଷ୍କ୍ରିୟତାକୁ ନେଇ ବିଜେପି ପକ୍ଷରୁ ଆଜି ନବୀନ ନିବାସ ଘେରାଉ ଆହ୍ବାନ ଦିଆଯାଇଥିଲା। ଆଜି ବିଜେପି ମୁଖ୍ୟାଳୟରୁ କର୍ମକର୍ତ୍ତାମାନେ ଶୋଭାଯାତ୍ରାରେ ବାହାରିଥିଲେ। ଏହି ଶୋଭାଯାତ୍ରାରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ବିଜେପି ସମ୍ପାଦକ ଗୋଲକ ମହାପାତ୍ର ପ୍ରମୁଖ ଘଣ୍ଟ ବଜାଇ ନବୀନ ନିବାସ ଅଭିମୁଖେ ବାହାରିଥିଲେ।

ମୁଖ୍ୟମନ୍ତ୍ରୀ ଶୋଇଛନ୍ତି। ତାଙ୍କୁ ଉଠାଇବାକୁ ନବୀନ ନିବାସକୁ ପଦଯାତ୍ରା କରିଥିଲା ବିଜେପି। ତା ଆଗରୁ ବିଜେପି ଅଫିସ ସମ୍ମୁଖରେ ଅର୍ଚ୍ଚନା ନାଗ ଓ ବିଜେଡି ନେତାଙ୍କ ସମ୍ପର୍କ ଉପରେ ଝାଡ଼ୁ ପାହାର ସମ୍ପର୍କିତ ପଥପ୍ରାନ୍ତ ନାଟକ କରାଯାଇଥିଲା। ସ୍ୱର୍ଗତ ଧର୍ମେନ୍ଦ୍ର ପ୍ରଧାନଙ୍କ ଆତ୍ମହତ୍ୟା ମାମଲାରେ ମନ୍ତ୍ରୀ ସମୀର ଦାସଙ୍କ ସଂପୃକ୍ତିକୁ କାହିଁକି ଘଣ୍ଟ ଘୋଡ଼ାଯାଉଛି ବୋଲି ପଚାରିଛି ବିଜେପି।

ଶୋଭାଯାତ୍ରା ଶିଶୁ ଭବନ ଛକ ନିକଟରେ ପହଞ୍ଚିବା କ୍ଷଣି ପୁଲିସ ସେମାନଙ୍କୁ ଅଟକାଇଥିଲା। ଫଳରେ ଉଭୟ ପୁଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଧକ୍କା ପେଲା ହୋଇଥିଲା। ପୁଲିସ ଆଗକୁ ନ ଛାଡିବାରୁ ବିଜେପି କର୍ମୀ ସେହିଠାରେ ସରକାର ବିରୋଧୀ ବିଭିନ୍ନ ନାରା ଦେଇଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *