ଓଡ଼ିଶା

ଛାଡିଛି ବନ୍ୟା, ସରିନି ଦୁର୍ଦ୍ଦଶା

ଗୋପ: ବନ୍ୟା ଛାଡିଯାଇଛି ହେଲେ ଛାଡିନି ଲୋକଙ୍କ ଦୁର୍ଦ୍ଦଶା। ଏବେ ବି ବନ୍ୟା ବିପନ୍ନମାନଙ୍କୁ ମିଳିନାହିଁ ରିଲିଫ ସହାୟତା। ପୁରୀ ଜିଲ୍ଳା ଗୋପ ବ୍ଲକର ନଅଟି ପଞ୍ଚାୟତ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଥିବା ବେଳେ, ହଜାର ହଜାର ହେକ୍ଟର ଚାଷ ଜମି ଉଜୁଡି ଯାଇ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି l ଫଳରେ ମୁଣ୍ଡରେ ହାତ ଦେଇ  ସରକାରୀ ସହାୟତାକୁ ଅନାଇ ବସିଛନ୍ତି ଚାଷୀକୂଳ ।  

ଦୀର୍ଘ ୧୫ ଦିନ କାଳ ବନ୍ୟାରେ ଶହ ଶହ ହେକ୍ଟର ଚାଷ ଜମି ବନ୍ୟାଜଳରେ ବୁଡି ରହିବା ପରେ ଚାଷ ଜମିରେ ସବୁ ତଳି ପଚି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। କିନ୍ତୁ ଏବେ ବନ୍ୟା ଜଳ ଛାଡ଼ି ଯିବା ପରେ ଚାଷୀ ନିଜ ଅଣ୍ଟା ସଳଖିବାକୁ ଚେଷ୍ଟା କରି ଅଧିକ ଦାମ୍ ରେ ତଳି କିଣି ଚାଷୀ ପୁଣି ତଳି ରୋଉଥିବା ଦେଖିବାକୁ ମିଳିଛି। ଏ ଦୃଶ୍ୟ ହେଉଛି ଗୋପ ବ୍ଲକର ୧୧ଟି ପଞ୍ଚାୟତର ୫୨ ଖଣ୍ଡ ଗାଁ। ଯେଉଁଠି ଅଗଷ୍ଟ ମାସର କୁଶଭଦ୍ରା ଓ ଧନୁଆ ନଦୀର ବନ୍ୟାଜଳରେ ହଜାର ହଜାର ହେକ୍ଟର ଚାଷଜମିରେ ପାଣି ଜମି ରହିଥିଲା। ଫଳରେ ଚାଷୀ ରୋଇ ଥିବା ତଳି ଷଢି ପଚି ଯାଇଥିଲା। ବନ୍ୟା ଜଳ ଛାଡ଼ିବା ପରେ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ଚିନ୍ତାରେ ବସିଛନ୍ତି।

ଗୋପ ବ୍ଲକର ବିଭିନ୍ନ ପଞ୍ଚାୟତରେ ଧାନ ଚାଷ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସରକାରଙ୍କ ନିର୍ଦ୍ଦେଶରେ ଜଳସେଚିତ ଧାନ ଚାଷ ଏକର ପ୍ରତି ୧୩,୫୦୦ ଟଙ୍କା ଅଣଜଳସେଚିତ ଚାଷ ଜମି ଏକର ପିଛା ୬,୫୦୦ ଟଙ୍କା ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି। ସେପଟେ ଗୋପ ବ୍ଲକର ୧୧ ଗୋଟି ପଞ୍ଚାୟତର ଚାଷ ନଷ୍ଟ ହୋଇଥିବା ଆନୁମାନିକ ୨୦ କୋଟି ଟଙ୍କାରୁ ଉର୍ଦ୍ଧ୍ବ ହେବ। ଏନେଇ ଗୋପ ତହସିଲ, କୃଷି ବିଭାଗ, ଗୋପ ବ୍ଲକ ଓ ଉଦ୍ୟାନ ବିଭାଗ ପକ୍ଷରୁ ଏକ ଟିମ୍ କରାଯାଇ ତଦନ୍ତ ଚାଲିଛି। ତଦନ୍ତ ଶେଷ ହେବା ପରେ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କୃଷି ଅଧିକାରୀ କହିଛନ୍ତି।

ତେବେ ଗୋପ ବ୍ଲକର ବନ୍ୟା ପୀଡିତାଙ୍କୁ କେବେ ମିଳୁଛି ସରକାରୀ ସହାୟତା ତାକୁ ହିଁ ଅପେକ୍ଷା।  

ଭାରତୀ ଭୂଷଣଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button