ମହିଳା ସରକାରୀ କର୍ମଚାରୀଙ୍କ ମାତୃତ୍ୱ ଛୁଟି ନେଇ ଥିବା ଦ୍ୱନ୍ଦ୍ୱ ଦୂର କଲେ ସରକାର। ୧୮୦ ଦିନର ଛୁଟି ପାଇଁ ନିର୍ଦ୍ଦିଷ୍ଟ ନିୟମ ସ୍ଥିର କଲେ ସରକାର। ସମ୍ଭାବ୍ୟ ପ୍ରସବ ତାରିଖର ୩ ମାସ ପୂର୍ବରୁ, ପ୍ରସବ ତାରିଖର ୬ ମାସ ଭିତରେ ୧୮୦ ଦିନର ମାତୃତ୍ୱ ଛୁଟି ମିଳିବ। ମାତୃତ୍ୱ ଛୁଟି ଏକକାଳୀନ ନିରବଛିନ୍ନ ଭାବେ ବା ବିଭିନ୍ନ ପର୍ଯ୍ୟାୟରେ ନିଆଯାଇପାରିବ। ଶିଶୁ ପ୍ରସବ ଯେକୌଣସି ସ୍ୱିକୃତିପ୍ରାପ୍ତ ଚିକିତ୍ସାଳୟରେ ହେବା ଆବଶ୍ୟକ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ଜଣେ ମହିଳା କର୍ମଚାରୀ ଶିଶୁ ଜନ୍ମ ସମୟରେ ସରକାରୀ ସେବାରେ ନଥାଇ, ପରବର୍ତ୍ତୀ ସମୟରେ ସେବାରେ ଯୋଗ ଦେବା ପରେ ମାତୃତ୍ୱ ଛୁଟି ଉପଲବ୍ଧ କରିବା ଦ୍ୱନ୍ଦ୍ୱକୁ ଏମିତି ଦୂର କରିଛନ୍ତି ସରକାର। ନୂଆ ନିଷ୍ପତ୍ତି ଅନୁସାରେ ସମ୍ଭାବ୍ୟ ପ୍ରସବ ତାରିଖର ୩ ମାସ ଆଗରୁ ଓ ପ୍ରସବର ୬ ମାସ ଭିତରେ ଜଣେ ମହିଳା ସରକାରୀ କର୍ମଚାରୀ ୧୮୦ ଦିନର ମାତୃତ୍ୱ ଛୁଟି ନେଇପାରିବେ। କିନ୍ତୁ ଶିଶୁ ଜନ୍ମ ସମୟରେ ଯେଉଁ ମହିଳା ସରକାରୀ କର୍ମଚାରୀ ସରକାରୀ ସେବାରେ ନଥିଲେ, ସେମାନେ ସରକାରୀ ସେବାରେ ଯୋଗ ଦେବା ପରେ ଅର୍ଥାତ୍ ଶିଶୁକି ୬ ମାସ ହେଲା ଯାଏଁ ମାତୃତ୍ୱ ଛୁଟି ନେଇପାରିବେ। ଏ କ୍ଷେତ୍ରରେ ମାତୃତ୍ୱ ଛୁଟି ୧୮୦ ଦିନରୁ କମ୍ ହେବ। ମାତୃତ୍ୱ ଛୁଟି ବେଳେ ଗର୍ଭପାତ କିମ୍ୱା ଜନ୍ମିତ ଶିଶୁର ମୃତ୍ୟୁ କିମ୍ୱା ମୃତ ଶିଶୁ ଜନ୍ମ ହେଲେ, ତାଙ୍କର ମାତୃତ୍ୱ ଛୁଟିର ଅବଧି ସେହି ତାରିଖରୁ ୪୨ ଦିନ ପର୍ଯ୍ୟନ୍ତ ରହିବ। ଯଦି ଶିଶୁର ମୃତ୍ୟୁ ଜନ୍ମର ୨୯ ଦିନରୁ ୧୨୦ ଦିନ ଭିତରେ ହୁଏ, ତେବେ ମାତୃତ୍ୱ ଛୁଟି ସେହି ଦୁର୍ଘଟଣା ଦିନରୁ ୧୪ ଦିନ ଯାଏଁ ରହିବ। ଦୁଇରୁ କମ୍ ଜୀବିତ ପିଲା ଥିବା ମହିଳା କର୍ମଚାରୀଙ୍କ କ୍ଷେତ୍ରରେ ଏହି ଛୁଟି ଲାଗୁ ହେବ। ଯଦି ମାତୃତ୍ୱ ଛୁଟି ସମୟରେ ମହିଳା କର୍ମଚାରୀଙ୍କୁ ପଦୋନ୍ନତି ଦିଆଯାଏ, ତାଙ୍କର ସେହି ପଦୋନ୍ନତି ଓ ଉଚ୍ଚ ପଦବୀରେ ଯୋଗଦାନ ଯେଉଁଦିନ କର୍ତ୍ତୃପକ୍ଷ ପାଇବେ, ସେହି ଦିନଠୁ ଧରାଯିବ।

Naxatra News is now on Whatsapp
Join and get latest news update delivered to you via whatsapp
Join Now