ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଦୋଛକିରେ ବିଜେଡି

() ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ ବେଶ୍ ମାପିଚୁପି ମନ୍ତବ୍ୟ ରଖିଛନ୍ତି ସଂସଦରେ ବିଜେଡି ସଭ୍ୟ। ଗୋଟିଏ ପଟେ ଓଡ଼ିଆ ଝିଅ ତ ଅନ୍ୟପଟେ ନବୀନଙ୍କ ରାକ୍ଷୀ ବନ୍ଧା ଭଉଣୀ। ସେଥିଲାଗି ସନ୍ତର୍ପଣରେ ମହାମହିମଙ୍କ ମହାନତା ରକ୍ଷା ସହ ଓଡ଼ିଶାର ସ୍ୱାର୍ଥକୁ ସମାନ୍ତରାଳ ଜଗିବା ଭୂମିକା ଦେଖିବାକୁ ମିଳିଛି ସଂସଦରେ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣକୁ ନେଇ ବିଜେଡି ଦୋଛକିରେ। ନା ପୂର୍ଣ୍ଣ ସମର୍ଥନ କରିପାରୁଛନ୍ତି ନା ପୁରା ମାତ୍ରାରେ ସନ୍ତୋଷ ବ୍ୟକ୍ତ କରିପାରୁଛନ୍ତି। ନା ସମାଲୋଚନା କରିପାରୁଛନ୍ତି ନା ତୀର୍ଯ୍ୟକ ତୀର କେନ୍ଦ୍ରକୁ ମାରିପାରୁଛନ୍ତି। କେବଳ ପରାମର୍ଶ ମୁଦ୍ରାରେ ରହିବାକୁ ବାଧ୍ୟ ହେଉଛି ବିଜେଡି। ସଂସଦର ଉଭୟ ଗୃହରେ ବିଜେଡି ସଭ୍ୟ କିଭଳି ସନ୍ତର୍ପଣରେ ମହାମହିମଙ୍କ ସମ୍ମାନ ରକ୍ଷା ସହ ସମାନ୍ତରାଳ ଭାବେ ଓଡ଼ିଶାର ସ୍ୱାର୍ଥ ରକ୍ଷା କଥାକୁ ଉଠାଇଛନ୍ତି, ଦେଖିବା ଭଳି ଥିଲା। ପିନାକୀ ମିଶ୍ର ତ ଆରମ୍ଭରୁ କହିଦେଇଥିଲେ, ଯେହେତୁ ମହାମହିମ ଓଡ଼ିଶା ମାଟିର। ଆଉ ତା ସାଙ୍ଗକୁ ମୁଖ୍ୟମନ୍ତ୍ରୀଙ୍କ ରାକ୍ଷୀ ବନ୍ଧା ଭଉଣୀ। ସେଥିଲାଗି କିଛି କହିଲା ବେଳେ ବେଶ୍ ଜଗିରଖି କହିବାକୁ ହେବ। ଆଉ ମହିଳା ସଂରକ୍ଷଣ ବିଲ୍ ବାବଦରେ କହି ଭାଇ ନବୀନ କେନ୍ଦ୍ରକୁ ଚିଠି ଲେଖି ଲେଖି ଥକିଗଲେଣି। ଏବେ ଯାହା କିଛି କରିବେ ଭଉଣୀ ଦ୍ରୌପଦୀ ବୋଲି ଇଙ୍ଗିତ କରିଥିଲେ। ଅନ୍ତତଃ ସଂସଦ ଅଧିବେଶନ ସରିବା ଆଗରୁ ଶୁଭ ଖବର ଭଉଣୀଙ୍କ ଉଦ୍ୟମରୁ ଆସୁ। ରାଜ୍ୟସଭାରେ ସୁଲତା ଦେଓ ବି କୁନ୍ତଳା କୁମାରୀ ସାବତଙ୍କ ନାରୀ ଶକ୍ତି କବିତାକୁ ଉଲ୍ଲେଖ କରି ପିନାକୀଙ୍କ କଥାକୁ ଦୋହରାଇଥିଲେ। ସୁଲତା କହୁଥିଲା ବେଳେ ଗୃହରେ ଅଧ୍ୟକ୍ଷତା କରୁଥିବା ପିଟି ଉଷା ଓ ମହାମହିମଙ୍କ ନଜିର ଦେଇ ଭାଇ ନବୀନଙ୍କ ଏତେ ପ୍ରଚେଷ୍ଟା ସତ୍ତ୍ୱେ ସୁଫଳ ମିଳୁନି ବୋଲି କହିବା ସହ ଉଭଣୀ ଚାହିଁଲେ ସବୁ ହେବ ବୋଲି କହିଥିଲେ।

ଆଉ ରାଜ୍ୟସଭାରେ ମାନସ ମଙ୍ଗରାଜ, ନିରଞ୍ଜନ ବିଶି ପ୍ରମୁଖ ଭିତ୍ତିଭୂମି ବିକାଶ, ଅଭିବୃଦ୍ଧିରେ କେନ୍ଦ୍ରର ସହଯୋଗ ରହିବା ଜରୁରୀ ସହ କେନ୍ଦୁପତ୍ର ତୋଳାଳୀଙ୍କ ଉପରେ ଜିଏସଟି କେମିତି ଦାଉ ସାଧୁଛି କହି ଅନେକ ଉପାଦେୟ ପରାମର୍ଶ ଦେଇଥିଲେ। କିନ୍ତୁ ଅଭିଭାଷଣକୁ ସିଧା ସମାଲୋଚନା କରିନଥିଲେ।

ତେବେ ବିଜେଡି ସଭ୍ୟଙ୍କ ଏଭଳି ଦୋଛକି ଭୂମିକାକୁ କେଉଁଠି ନା କେଉଁଠି ଆରଜେଡି ସାଂସଦ ପ୍ରଫେସର ମନୋଜ ଝାଙ୍କ କଭି କଭି ମେରେ ଦିଲ୍‌ ମେଁ ପଂକ୍ତି ବେଶ୍ ସୁହାଉଥିଲା। ଶୁଣନ୍ତୁ କଅଣ କହିଥିଲେ ମନୋଜ।

ମହିଳା ସଶକ୍ତିକରଣରେ ନବୀନ ନମ୍ୱର ଓ୍ୱାନ୍ ବୋଲି ବିଜେଡି ଦାବି କରିଆସୁଛି। ପ୍ରତି ନିର୍ବାଚନରେ ବି ମହିଳା ଭୋଟ ବ୍ୟାଙ୍କ ବିଜେଡିର କେତେ ସୁଦୃଢ଼, କହିବାକୁ ପଡ଼ୁନି। କିନ୍ତୁ ମହିଳା ସଂରକ୍ଷଣ ବିଲ୍ କୁ ନେଇ ମଙ୍ଗ ଧରିଥିବା ଭାଇ ନବୀନଙ୍କ ଅନେକ ଦିନର ଦାବି ଭଉଣୀ ଜରିଆରେ ପୂରା ହେବ ବୋଲି ବିଜେଡି ସଭ୍ୟ ଆଶାବାଦୀ।

ପ୍ରଦୀପ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *