ଓଡ଼ିଶା

ଆଜାଦି କା ଅମୃତ ମହୋତ୍ସବକୁ ମାଓବାଦୀଙ୍କ ବିରୋଧ

ଆନ୍ଧ୍ର ଓଡିଶା ସ୍ପେଶାଲ ଜୋନାଲ କମିଟି ତରଫରୁ ପ୍ରେସ ବିଜ୍ଞପ୍ତି ଜାରି। ଆଜାଦି କା ଅମୃତ ମହୋତ୍ସବକୁ ସମସ୍ତେ ବିରୋଧ କରନ୍ତୁ ବୋଲି ମାଓନେତା ଗଣେଶ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି। ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତ ଯେଉଁ ସ୍ୱାଧୀନତା ପାଇଥିଲା ତାହା ଗଣତାନ୍ତ୍ରିକ ପଦ୍ଧତିର ବିଜୟ ନୁହେଁ। କେବଳ ପାଵାର ହିଁ ବଦଳୁଛି। ଏହାକୁ ବିରୋଧ କରି ନୂତନ ସ୍ବାଧୀନତା ପାଇଁ ଲଢେଇ କରିବା ବୋଲି ମାଓନେତା କହିଛନ୍ତି। ଭାରତକୁ ଇଂରେଜ ସାଢେ ଦୁଇ ଶହ ବର୍ଷ ଧରି ଶାସନ କଲେ। ଇଂରେଜ ଦାଉରୁ ରକ୍ଷା କରିବା ପାଇଁ ବହୁ ମହାନ ନେତାମାନେ ନିଜର ଜୀବନକୁ ଜଳାଞ୍ଜଳି ଦେଲେ। ମହାତ୍ମା ଗାନ୍ଧୀଙ୍କ ନେତୃତ୍ବରେ ରାଷ୍ଟ୍ରୀୟ କଂଗ୍ରେସ ପାର୍ଟି ଦେଶ ସ୍ୱାଧୀନତାରେ ବହୁ ବଳିଦାନ ଦେଇଛନ୍ତି।

ସ୍ୱାଧୀନତା ପାଇବା ପରେ କଛି ଦଳ କ୍ଷମତାକୁ ଆସି ନିଜର ମନମୁତାବକ ଶାସନ କଲେ। ଲୋକଙ୍କୁ ଶୋଷଣ କଲେ। ଗତ ୭୫ ବର୍ଷ ଧରି କ୍ଷମତା ବଦଳୁଛି ଲୋକଙ୍କୁ ନିର୍ଯାତନା ଦିଆଯାଉଛି। ଆଜି ବି ଲୋକେ ପ୍ରକୃତ ସ୍ୱାଧୀନତା ପାଇପାରିନାହାନ୍ତି। ଆଜି ବି ଚାଷୀ ଶୋଷଣର ଶିକାର ହେଉଛି। ଆଜି ବି ଶ୍ରମିକକୁ କାମ ମିଳୁନାହିଁ। ବେକାରୀ ସମସ୍ୟା ବଢୁଛି। ୫ ବର୍ଷିଆ ପ୍ଲାନ କରି ଦେଶର କୌଣସି ଉନ୍ନତି ହୋଇପାରିଲା ନାହିଁ ବୋଲି ମାଓ ସଂଗଠନ କହିଛି।ଦେଶର ୬୫ ଭାଗ ଚାଷ ଜମି ରହିଥିବା ବେଳେ ଚାଷ ହେଉଛି ଦେଶର ମୂଳ ଲକ୍ଷ୍ୟ। ଆଜି ଚାଷୀର ଜମିକୁ ବଡ ବଡ ଶିଳ୍ପ କରାଯାଇ ଲୁଟ କରାଯାଉଛି। କାମ ମିଳୁନଥିବାରୁ ଲୋକେ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି।

ଦେଶରେ ମହିଳାମାନଙ୍କୁ ସମ୍ମାନ ନାହିଁ। ମହିଳାଙ୍କ ପ୍ରତି ସବୁବେଳେ ଅସଦାଚରଣ କରାଯାଉଛି। କାମଧନ୍ଦା ନଥିବାରୁ ମହିଳାମାନେ ସେମାନଙ୍କର ଦେହକୁ ବିକ୍ରି କରୁଛନ୍ତି। ଅନ୍ୟଦିଗରେ ଅମ୍ବାନୀ,ଅଦାନୀ ଭଳି ଶିଳ୍ପପତିମାନେ ଦେଶକୁ ଲୁଣ୍ଠନ କରି ଚାଲିଛନ୍ତି। ଦେଶର ଅର୍ଥନୀତି ଏମାନଙ୍କ ହାତରେ ନ୍ୟସ୍ତ ରହିଛି। ଏବେ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବା ପ୍ରାଇଭେଟ କମ୍ପାନୀଗୁଡିକକୁ ପ୍ରଦାନ କରାଯାଇଛି। ଦେଶରେ ଚାଲିଥିବା ଅରାଜକତା ସଂପର୍କରେ ମାଓନେତା ପୁଙ୍ଖାନୁପୁଙ୍ଖଭାବେ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି। ତେବେ ଏହି ଅମୃତ ମହୋତ୍ସବକୁ ବିରୋଧ କରନ୍ତୁ ଏବଂ ଏହାକୁ ପାଳନ ନକରିବାକୁ ଆହ୍ୱାନ ଦେଇଛି ମାଓ ସଂଗଠନ।

  • ସନ୍ତୋଷ ନାଗଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button