କେନ୍ଦୁଝର: କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ। କେନ୍ଦୁଝର ଜିଲ୍ଲାରେ ଥିବା ବିଭିନ୍ନ ଖଣିରେ ଚାଲିଥିବା ଅନିୟମିତତାକୁ ନେଇ ଏହି ବିକ୍ଷୋଭ କରାଯାଉଛି। କେନ୍ଦୁଝର ମାଇନିଙ୍ଗ ୱାର୍କର୍ସ ୟୁନିଅନ, ସିଆଇଟିୟୁ ବଡବିଲ ଶାଖା ପକ୍ଷରୁ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଖଣିରେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ଅଣଦେଖା କରାଯିବା ଓ ପୂର୍ବରୁ କାର୍ଯ୍ୟରତ ଶ୍ରମିକଙ୍କୁ ଛଟେଇକୁ ବିରୋଧ କରି ସିଆଇଟିୟୁ ବିକ୍ଷୋଭ କରିଛି।
ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ଓଡ଼ିଶା ଖଣି ନିଗମ ଅଧୀନରେ ୧୪ ଗୋଟି ଲୁହାପଥର ଓ ମାଙ୍ଗାନିଜ ଖଣି ଯୋଡ଼ା ବ୍ଲକ ଅଧୀନରେ ରହିଛି। ଏବେ ଅଧିକାଂଶ ଖଣି ଉତ୍ପାଦନ ବନ୍ଦ ହୋଇପଡି ରହିଛି। ଯାହା କିଛି ବି ଚାଲିଛି ସେଥିରେ ଖଣିରେ ମେସିନ ଓ ବଡ ବଡ ଠିକାଦାରଙ୍କୁ ନିଯୁକ୍ତି ଦିଆଯାଇଛି।
ଫଳରେ ସ୍ଥାନୀୟ ଗରିବ ଯୁବକ ଯୁବତୀ କାମ ନ ପାଇ ବେକାର ରହୁଛନ୍ତି। ଫଳରେ ସେମାନଙ୍କ ପରିବାର ଗୁଜୁରାଣ ମେଣ୍ଟାଇବା କାଠିକର ପାଠ ହୋଇ ପଡିଛି। ସେହିପରି ରଇଡା “ITC” ଖଣି ୯୫ ଜଣ ଶ୍ରମିକଙ୍କୁ ଛଟେଇ କରିଛି। ଏବେ ଏହି ଶ୍ରମିକଙ୍କ ପରିବାର ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଏନେଇ ସିଆଇଟିୟୁ ବଡବିଲ ଶାଖା ପକ୍ଷରୁ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିସହ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି। ଛଟେଇ ଶ୍ରମିକଙ୍କୁ ତୁରନ୍ତ ନିଯୁକ୍ତି ଦେବା, ୩୦ ରୁ ୩୫ ବର୍ଷ ଧରି ଖଣିରେ କାମ କରୁଥିବା ଶ୍ରମିକ ମାନଙ୍କୁ ନୂତନ ନିଯୁକ୍ତି ପ୍ରଦାନ ପରି ବହୁ ଦାବି କରିଛି ଶ୍ରମିକ ୟୁନିୟନ।

Naxatra News is now on Whatsapp
Join and get latest news update delivered to you via whatsapp
Join Now