ଜେଇଙ୍କୁ ମାଡ ଅଭିଯୋଗରେ ବ୍ଲକ କର୍ମଚାରୀଙ୍କ ଧାରଣା
ଯାଜପୁର: ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକରେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସମସ୍ତ ବ୍ଲକ୍ କର୍ମଚାରୀ। ବ୍ଲକ କାର୍ଯ୍ୟାଳୟ ପରିସରରେ କାର୍ଯ୍ୟରତ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ମାଡ଼ ମରା ଓ ଦୁର୍ବ୍ୟବହାର ଘଟଣାକୁ ବିରୋଧ କରି ଏହି କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବ୍ଲକ କର୍ମଚାରୀ। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ସୁକିନ୍ଦା ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଲିଙ୍ଗରାଜଙ୍କୁ ହରିପୁର ସରପଞ୍ଚ ଶର୍ମିଷ୍ଠା ବରାଳ ମାଡ ମାରିବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ତାତିଛନ୍ତି ବ୍ଲକ କର୍ମଚାରୀ। ଯଥାଶୀଘ୍ର ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ବୁଧବାର ଦିନ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। କାର୍ଯ୍ୟାନୁଷ୍ଠାନ ନଚେତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନରତ ବ୍ଲକ କର୍ମଚାରୀ। ସେପଟେ ଅଭିଯୋଗକୁ ଖଣ୍ଡନ କରିବା ସହ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି ହରିପୁର ସରପଞ୍ଚ ଶର୍ମିଷ୍ଠା ବରାଳ। କନିଷ୍ଠ ଯନ୍ତ୍ରୀ ଲିଙ୍ଗରାଜ ମଦ୍ୟପାନ କରି ତାଙ୍କୁ ଦୁର୍ବ୍ୟବହାର କରିଥିବା ସେ ସୁକିନ୍ଦା ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ସେ ଜିଲ୍ଲାପାଳଙ୍କୁ ଅବଗତ କରାଇବା ସହ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now