ଓଡିଶା “ପଞ୍ଚାୟତ ଏବଂ ପୌର” ନିର୍ବାଚନ: ଆଦର୍ଶ ସ୍ଥିତିରେ ମହିଳାଙ୍କ ଭାଗିଦାରୀ

Spread the love

ଭୁବନେଶ୍ୱର: ଗଣତନ୍ତ୍ରରେ ଗଣଭାଗିଦାରୀତା ଜାତି,ଧର୍ମ,ବର୍ଣ୍ଣ,ସମ୍ପ୍ରଦାୟ ଓ ଲିଙ୍ଗ ଦୃଷ୍ଟିରୁ ସମାନତାର ବାର୍ତ୍ତା ଦେବା କଥା। କିନ୍ତୁ ଆଜି ମଧ୍ୟ ସମସ୍ତଙ୍କ ସହ, ସମସ୍ତଙ୍କୁ ନେଇ, ସମସ୍ତଙ୍କ ପାଇଁ ଶାସନତନ୍ତ୍ର ସମ୍ୱିଧାନରେ ଲେଖା ଯାଇଥିବା କିଛି ନୈତିକତାର ପାଠ ଭଳି ରହିଛି। ତଥାପି ସମୟ ବଦଳୁଛି, କିଛିଟା ପରିବର୍ତ୍ତନ ଆସିଛି ଯାହା ସକରାତ୍ମକ ଦିଗକୁ ମୁହାଁଇଛି ବୋଲି କୁହାଯାଇପାରେ। କିଛି ଲୋକ ବୁଝିବା ଆରମ୍ଭ କରିଛନ୍ତି ଯେ, ବାସ୍ତବ ବିକେନ୍ଦ୍ରୀକରଣର ଉଦେଶ୍ୟ ହେଉଛି ସମସ୍ତଙ୍କୁ ସାଙ୍ଗରେ ନେଇ ବିକାଶ ଲକ୍ଷ୍ୟରେ ପହଞ୍ଚିବା। ଯାହା ଗଣତାନ୍ତ୍ରିକ ମୂଲ୍ୟବୋଧର ଆତ୍ମା। ଏ ଦୃଷ୍ଟିରୁ ଦେଖିଲେ ସ୍ଥାନୀୟ ପ୍ରଶାସନ ଏବଂ ଶାସନରେ ଜନସଂଖ୍ୟାର ଅଧା କୁହାଯାଉଥିବା ମହିଳାଙ୍କ ଭୂମିକା ଏବଂ ସ୍ଥିତି କିଭଳି ରହିଛି ତାହା ସବୁବେଳେ ଗୁରୁତ୍ୱ ରଖେ।

ସ୍ଥାନୀୟ ଶାସନରେ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ମହିଳାଙ୍କ ପ୍ରତିନିଧିତ୍ୱ ପାଇଁ ସଂରକ୍ଷଣ ବ୍ୟବସ୍ଥା ସର୍ବୋଚ୍ଚ ସ୍ତରରେ ମହିଳାଙ୍କ ଭାଗିଦାରୀକୁ ସମୃଦ୍ଧ କରିବାର ଏକ ନିରବ ବିପ୍ଳବ ସହ ସମାନ। ୭୩ ତମ ସମ୍ୱିଧାନ ସଂଶୋଧନ ପରେ ଘରର ଚାରି କାନ୍ଥ ମଧ୍ୟରୁ ବାହାରି ଲକ୍ଷ ଲକ୍ଷ ମହିଳା ନିଜର ଦକ୍ଷତା ଓ ସାମର୍ଥ୍ୟକୁ ପ୍ରତିପାଦନ କରିବାର ସୁଯୋଗ ପାଇଥିଲେ। ଫଳରେ ମହିଳା ରାଜନୈତିକ କ୍ଷେତ୍ରରେ ସଫଳ ହେବ ନାହିଁ, ସ୍ଥାନୀୟ ସ୍ତରରେ ପରିଚାଳନା କରିପାରିବ ନାହିଁ ବୋଲି ଯେଉଁ ପିତୃତାନ୍ତ୍ରିକ ଅବଧାରଣା ଥିଲା ତାହା ସମୟ ସହ ଭୁଲ ସାବ୍ୟସ୍ତ ହୋଇଥିଲା। କିନ୍ତୁ ଏଯାଏଁ ଏ କ୍ଷେତ୍ର ଏକ ଅସମାପ୍ତ ବିପ୍ଳବ ହୋଇ ରହିଛି।

ଯଦି ଓଡ଼ିଶାର ପଞ୍ଚାୟତ ଓ ପୌର ନିର୍ବାଚନକୁ ଉଦାହରଣ ଧରାଯାଏ ତେବେ ସମୟ ବଦଳୁଛି ବୋଲି ଧାରଣା ଅଧିକ ଦୃଶ୍ୟମାନ ହେଉଛି। ଓଡିଶାର ୩୧୪ ବ୍ଲକର ଅଧା ପଞ୍ଚାୟତରେ ଚେୟାରମ୍ୟାନ୍ ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ। ୧୫ ଜିଲ୍ଲାପରିଷଦ ଅଧ୍ୟକ୍ଷା ମହିଳାମାନଙ୍କ ପାଇଁ ସଂରକ୍ଷିତ। କିନ୍ତୁ କେବଳ ଏତିକି ନେତୃତ୍ୱ ଶାସନରେ ମହିଳାମାନଙ୍କର ସମାନ ଅଂଶଗ୍ରହଣକୁ ନିଶ୍ଚିତ କରେ ନାହିଁ। ୭୦ ଦଶକର ପ୍ରାରମ୍ଭରେ, ଓଡିଶା ତାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ପାଇଲା ଏବଂ ସେହି ଅବଧିରେ ବିଧାନସଭାରେ ୬ରୁ ଉର୍ଦ୍ଧ ମହିଳା ବିଧାୟିକା ଥିଲେ। କିନ୍ତୁ ଯେଉଁଠି ଜନସଂଖ୍ୟାର ୪୯% ମହିଳା, ସେଠି ନିର୍ବାଚିତ ପ୍ରତିନିଧୀଙ୍କ ସଂଖ୍ୟା ରାଜ୍ୟରେ ମାତ୍ର ୫% ରୁ କମ୍ ଏବଂ ସ୍ଥାନୀୟ ସ୍ତରରେ ଏହାର ସ୍ଥିତି ଆହୁରି ନଗଣ୍ୟ ଯାହା ଚିନ୍ତାଜନକ ଥିଲା। ୧୯୯୧ ରେ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ଓଡ଼ିଶା ଗ୍ରାମ ପଞ୍ଚାୟତ (ସଂଶୋଧନ) ଅଧିନିୟମ, ଓଡ଼ିଶା ପଞ୍ଚାୟତ ସମିତି ଅଧିନିୟମ ଏବଂ ଓଡ଼ିଶା ଜିଲ୍ଲା ପରିଷଦ (ସଂଶୋଧନ) ଅଧିନିୟମ ଦ୍ୱାରା ମହିଳାଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷଣ କରାଗଲା। ଯେଉଁ ନିଷ୍ପତ୍ତି ନେବାରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ ହୋଇପାରିଥିଲା। ଏହା ରାଜ୍ୟ ସରକାରଙ୍କ ଏକ ପ୍ରଗତିଶୀଳ ପଦକ୍ଷେପ ଥିଲା ଏବଂ ୧୯୯୨ ମସିହାରେ ୭୩ ତମ ସଂଶୋଧନ ଆକାରରେ କେନ୍ଦ୍ର ସରକାରଙ୍କ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହସ୍ତକ୍ଷେପ ପରବର୍ତ୍ତୀ ସମୟରେ ଆସିଥିଲା। ସେ ସମୟରେ ହୋଇଥିବା ପଞ୍ଚାୟତ ନିର୍ବାଚନ, ସମଗ୍ର ଦେଶରେ ପଞ୍ଚାୟତିରାଜ ବ୍ୟବସ୍ଥାରେ ୨୮,୦୬୯ ମହିଳା ସଦସ୍ୟଙ୍କୁ ପ୍ରତ୍ୟକ୍ଷ ରାଜନୀତିକୁ ଆଣି ପାରିଥିଲା। ପିତାଙ୍କ ପାଦଚିହ୍ନ ଅନୁସରଣ କରି ୨୦୧୧ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାଙ୍କ ପାଇଁ ୫୦ପ୍ରତିଶତ ସିଟ୍ ସଂରକ୍ଷଣ କରିଥିଲେ ଏବଂ ୨୦୧୯ ରେ ୨୧ ଲୋକସଭା ଆସନରେ ୭ ଜଣ ମହିଳା ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଥିଲେ। ରାଜ୍ୟରେ ମହିଳା ଭୋଟରଙ୍କ ସଂଖ୍ୟା ବଢିଲା ଯେତେବେଳେ ମହିଳାଙ୍କୁ ରାଜନୀତିରେ ପ୍ରତିନିଧିତ୍ୱ କରିବାର ସୁଯୋଗ ସଂରକ୍ଷିତ ଓ ଅଣସଂରକ୍ଷିତ ଆସନରେ ମିଳିବା ବୃଦ୍ଧି ପାଇଲା ।

ଚଳିତ ବର୍ଷ ଅନୁଷ୍ଠିତ ଜିଲ୍ଲାର ଗ୍ରାମ ପଞ୍ଚାୟତ ଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ ପର୍ଯ୍ୟନ୍ତ ତିନି ସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନରେ ବିଜେଡି ୮୫୨ ଟି ଜିଲ୍ଲା ପରିଷଦର ୯୦% ଆସନରେ ରେକର୍ଡ ସ୍ତରରେ ବିଜୟ ହାସଲ କଲା। ଏହି ବିଶାଳ ଜନାଦେଶ ସମସ୍ତ ୩୦ ଜିଲ୍ଲା ପରିଷଦ ଗଠନରେ ଦଳକୁ ସହାୟକ ହେଲା। ଯାହା ଓଡ଼ିଶାରେ କୌଣସି ଦଳ ପାଇଁ ପ୍ରଥମ ଘଟଣା ଥିଲା। ତା ସହ ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ୩୦ଟି ଜିଲ୍ଲା ପରିଷଦରୁ ୨୧ଟିରେ ମହିଳାଙ୍କୁ ଦାୟିତ୍ୱ ଦେଇଥିଲେ। ଏତେ ସଂଖ୍ୟକ ମହିଳା ବିଜୟୀ ହେବା, ଜିଲା ପରିଷଦର ମୁଖିଆ ହେବା ବଡ଼ କଥା ଥିଲା। ୫୦% ସଂରକ୍ଷଣ ଠାରୁ ଆହୁରି ୨୦% ଅଧିକ ଅର୍ଥାତ୍ ୭୦% ଆସନରେ ମହିଳାଙ୍କ ପ୍ରଭାବ ଉତ୍ସାହଜନକ ଚିତ୍ର ଦେଖାଇଥିଲା । ଏହି ଐତିହାସିକ ପଦକ୍ଷେପ ମହିଳାଙ୍କ ପ୍ରତିନିଧିତ୍ୱ ବଢାଇଲା ତା ସହ ମହିଳା ଭୋଟ ବ୍ୟାଙ୍କକୁ ଅଧିକ ମଜଭୁତ ବି କରିଥିଲା।

ଚଳିତ ଥରର ପୌର ଭୋଟ ମଧ୍ୟ ଅନେକ ଦିଗରୁ ଭିନ୍ନ ଥିଲା। ପ୍ରଥମ କରି ୨୦୨୨ରେ ମ୍ୟୁନିସିପାଲିଟି ଆଇନ ସଂଶୋଧନ ନିୟମ ଆଧାରରେ ମତଦାତା ସିଧାସଳଖ ମେୟର ଓ ଚେୟାରମ୍ୟାନ୍ ଚୟନ କରିବାର ସୁଯୋଗ ପାଇଲେ। ଏବଂ ପୌର ନିର୍ବାଚନରେ ସଂରକ୍ଷିତ ଓ ଅଣସଂରକ୍ଷିତ ଉଭୟ କ୍ଷେତ୍ରରେ ମହିଳା ପୁରୁଷଙ୍କ ଠାରୁ ଅଧିକ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟ କରିଥିଲେ। ଯାହା ସହରବାସୀଙ୍କ ପ୍ରତିନିଧିତ୍ୱ କରିବା ଏବଂ ସେବା ଯୋଗାଇବା ପାଇଁ ମହିଳାଙ୍କ ଉତ୍ସାହକୁ ପ୍ରତିଫଳିତ କରିଥିଲା। ଓଡିଶାର ରାଜଧାନୀ ଭୁବନେଶ୍ୱର ଏବଂ ବ୍ରହ୍ମପୁର ପାଇଁ ମେୟର ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ଥିଲା। କଟକରେ ସଂରକ୍ଷିତ ନଥାଇ ପ୍ରମୁଖ ରାଜନୈତିକ ଦଳ ମହିଳାଙ୍କୁ ପ୍ରାର୍ଥୀ କରିବା ଏବଂ ସେ ପୁରୁଷ ପ୍ରତିପକ୍ଷଙ୍କୁ କଡ଼ା ଟକ୍ଟର ଦେବା ରାଜନୀତିରେ ମହିଳାଙ୍କ ଯୋଗଦାନକୁ ଅଧିକ ବଳିଷ୍ଠ ଭାବେ ପ୍ରତିପାଦନ କରିଥିଲା। ରାଜ୍ୟ ରାଜଧାନୀ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ପାଇଁ ମୋଟ ୨୮୯ ପ୍ରାର୍ଥୀଙ୍କ ମଧ୍ୟରୁ ୧୬୦ ଜଣ ମହିଳା ଲଢିଥିଲେ। ଯେଉଁମାନେ ଉଭୟ ସଂରକ୍ଷିତ ଏବଂ ଅଣସଂରକ୍ଷିତ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। କେତେକ ଅଣସଂରକ୍ଷିତ ଆସନରେ ଚାରିରୁ ପାଞ୍ଚ ଜଣ ପୁରୁଷ ପ୍ରାର୍ଥୀ ଜଣେ ମହିଳା ପ୍ରତିଯୋଗୀଙ୍କ ବିରୋଧରେ ଲଢିବା ଓ ପରାଜିତ ହେବା ଭଳି କଥା ଏଥର ନିର୍ବାଚନର ନୂଆ ଧାରା ଥିଲା ।

ପୂର୍ବରୁ ରାଜନୀତି ପ୍ରତି ମହିଳାଙ୍କ ଋଚି ସେଭଳି ନଥିଲା । କିନ୍ତୁ ବର୍ତ୍ତମାନ, ମହିଳା ନିଜ ଦକ୍ଷତା ଓ ଯୋଗ୍ୟତାକୁ ନେଇ ପରୀକ୍ଷା ନିରୀକ୍ଷା କରିବା ଆରମ୍ଭ କରିଛନ୍ତି। ରାଜ୍ୟ ଜିଲ୍ଲା ପରିଷଦର ୭୧% ପଦବୀ ଗାଁ ମହିଳାଙ୍କ ନିକଟକୁ ଯିବା ପରେ ସହରୀ ମହିଳାମାନେ କର୍ପୋରେଟର ପଦବୀ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅଧିକ ଆତ୍ମବିଶ୍ୱାସ ପାଇଥିଲେ ତାହା ଅନେକ ପ୍ରତିଦ୍ୱନ୍ଦୀଙ୍କ ପ୍ରତିକ୍ରିୟାରୁ ସ୍ପଷ୍ଟ ହୋଇଥିଲା। ଏ କ୍ଷେତ୍ରରେ ସାମାଜିକ କାର୍ଯ୍ୟକର୍ତ୍ତାଙ୍କ ମତ ଥିଲା, ମହିଳା ପ୍ରାର୍ଥୀମାନେ ପୁରୁଷଙ୍କ ଅପେକ୍ଷା ନାଗରିକଙ୍କ ସମସ୍ୟାକୁ ନେଇ ବେଶୀ ସମ୍ୱେଦନଶୀଳ । ଏବଂ ପୁରଷଙ୍କ ତୁଳନାରେ ମହିଳା ପ୍ରତିନିଧିଙ୍କ ପାଖେ ପହଞ୍ଚିବା ମଧ୍ୟ ସହଜସାଧ୍ୟ ।

ଭାରତର ସମସ୍ତ ରାଜ୍ୟର ବିଧାନସଭା ସଦସ୍ୟଙ୍କ ମଧ୍ୟରେ ମହିଳାଙ୍କ ଭାଗ ଢେର କମ୍। ଜାତୀୟ ହାର ମାତ୍ର ୯% ରହିଛି। ୨୦୧୯ ରେ ଲୋକସଭା ନିର୍ବାଚନରେ ​​ନିର୍ବାଚିତ ମହିଳାଙ୍କ ହାର ୧୪.୪% ଥିଲା, ଯାହା ୨୦୧୪ ତୁଳନାରେ ୩% ବୃଦ୍ଧି ପାଇଥିଲା। ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନରେ ମୋଟ ମହିଳା ପ୍ରାର୍ଥୀଙ୍କ ହାର ଥିଲା ମାତ୍ର ୯.୯% । ଓଡ଼ିଶା ବିଧାନସଭାରେ ସମୁଦାୟ ବିଧାୟକଙ୍କ ମଧ୍ୟରୁ ମହିଳା ସଦସ୍ୟ ଥିଲେ ୧୦% । ଯାହା ୨୦୧୪ ତୁଳନାରେ ୨୦୧୯ ରେ ପ୍ରାୟ ୩% ବୃଦ୍ଧି ପାଇଥିଲା। କିନ୍ତୁ ଓଡିଶାରେ ୬୫ହଜାରରୁ ଅଧିକ ମହିଳା ରାଜ୍ୟରେ ତୃଣମୂଳ ସ୍ତରର ରାଜନୀତିରେ ସକ୍ରୀୟ ଅଂଶଗ୍ରହଣ କରୁଛନ୍ତି । ଏହା ମହିଳାମାନଙ୍କ ମଧ୍ୟରେ ନାଗରିକତ୍ୱ ଅଧିକାର ପ୍ରତି ସଚେତନ ହେବାର ଏକ ବର୍ଦ୍ଧିତ ଧାରଣାକୁ ସୂଚାଏ । ଏପରିକି ଗ୍ରାମସଭାରେ ମଧ୍ୟ କେବେ ଅଦୃଶ୍ୟ ଥିବା ମହିଳା ଏବେ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛନ୍ତି । ୨୦୧୯ ନିର୍ବାଚନରେ ଓଡିଶାରେ ମହିଳାଙ୍କ ମତଦାନ ହାର ୭୪.୯୮% ଥିଲା ଯେଉଁଠି ପୁରୁଷ ୭୧% ଭୋଟ ଦେଇଥିଲେ।

ଯଦି ଚଳିତଥର ୮୫୧ ଜିଲ୍ଲାପରିଷଦ ସଦସ୍ୟଙ୍କ କଥା କହିବା ତେବେ ସେ ମଧ୍ୟରୁ ପ୍ରାୟ ୭୨୬ ଟି ଆଫିଡେଭିଟ୍‌ର ବିଶ୍ଳେଷଣ ଇଲେକସନ୍ ୱାଚ ଏବଂ ଏଡିଆର ଦ୍ୱାରା କରାଯାଇଥିଲା । ସେଥିରୁ ଜଣାପଡ଼ିଲା ଯେ ୨୦୨୨ ପଞ୍ଚାୟତ ନିର୍ବାଚନରେ ୫୩% ମହିଳା ପ୍ରାର୍ଥୀ ନିର୍ବାଚିତ ହୋଇଥିଲେ, ଅର୍ଥାତ୍ ମହିଳାମାନଙ୍କ ପାଇଁ ସଂରକ୍ଷିତ ନଥିବା ଆସନରେ ମହିଳାମାନେ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି ଏବଂ ଜିତିଛନ୍ତି ମଧ୍ୟ। ଓଡିଶା ଇଲେକସନ୍ ୱାଚର ବିଶ୍ଳେଷଣ କହୁଛି, ସମଗ୍ର ଭାରତର ରାଜନୈତିକ ଦୃଶ୍ୟପଟରେ ମହିଳାଙ୍କ ପ୍ରତିନିଧିତ୍ୱ ତୁଳନାତ୍ମକ ଭାବେ କମ୍ ଯଦିଓ ସେମାନେ ଜନସଂଖ୍ୟାର ଅଧା । ତେବେ ଓଡିଶାର ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମହିଳାଙ୍କ ଯୋଗଦାନ ଉଲ୍ଲେଖନୀୟ ଥିଲା । ରାଜନୀତି ପ୍ରତି ଆଗ୍ରହ ରଖିବା ଓ ସଫଳତା ଉଭୟଟି ଦେଖିବାକୁ ମିଳିଛି, ଯାହା ପ୍ରଶଂସନୀୟ’।

 ଅନେକ ବୁଦ୍ଧିଜୀବୀ ସରକାରଙ୍କୁ ପରାମର୍ଶ ଦିଅନ୍ତି ଯେ ଉଚିତ ପ୍ରତିନିଧିତ୍ୱ ପାଇଁ ସମସ୍ତ ସଂରକ୍ଷିତ ଓ ଅଣସଂରକ୍ଷିତ ଆସନ ପାଇଁ ଶିକ୍ଷାକୁ ମାପକାଠି କରାଯାଉ। କିନ୍ତୁ କେବଳ ଶିକ୍ଷା ନୁହେଁ ନେତୃତ୍ୱ ନେବା ପାଇଁ ଉତ୍ସାହ, ସାମର୍ଥ୍ୟ ଏବଂ ଯୋଗ୍ୟତା ରହିବା ଆବଶ୍ୟକ । ରାଜନୀତିରେ ମହିଳାମାନେ ମହିଳା ମାନଙ୍କ ପାଇଁ ଆଦର୍ଶ ଭାବରେ ଠିଆ ହୁଅନ୍ତି। ଯାହାଙ୍କୁ ଅନୁସରଣ କରି ଅନ୍ୟ ମହିଳା ମଧ୍ୟ ରାଜନୀତିରେ ପ୍ରବେଶ କରିବାକୁ ଉତ୍ସାହିତ ହୁଅନ୍ତି। ମହିଳା ସଚେତନ ହୋଇନଥିଲେ କ୍ଷମତାର ଅପବ୍ୟବହାର ହୁଏ। ପ୍ରାୟତଃ ପୁରୁଷମାନେ ସଂରକ୍ଷିତ ଆସନକୁ ଅବରୋଧ କରି ନିଜ ଆୟତରେ ରଖିବା ପାଇଁ ପରିବାର କିମ୍ୱା ସମ୍ପ୍ରଦାୟର ମହିଳାଙ୍କୁ ବ୍ୟବହାର କରନ୍ତି। କିନ୍ତୁ ଭଲ ଖବର ହେଉଛି ଏଥର ନିର୍ବାଚନରେ ଅନେକ ଉଚ୍ଚ ଶିକ୍ଷିତ ମହିଳାଙ୍କ ଯୋଗଦାନ ପୂର୍ବ ପ୍ରଚଳିତ ଅନେକ ନୀତି ନିୟମ ବଦଳେଇବ ଏବଂ ମହିଳାଙ୍କ ପ୍ରତିନିଧତ୍ୱ ଆର୍ଥିକ ଓ ସାମାଜିକ ସ୍ଥିତି ପରିବର୍ତ୍ତନରେ ସହାୟକ ହେବ ବୋଲି ଆଶା ସଞ୍ଚାର କରାଇଛି । ତେବେ ରାଜନୀତିରେ ପ୍ରକୃତ ଅଂଶଗ୍ରହଣ ଏବେ ବି ଦେଖିବା ବାକି ଅଛି । କାରଣ ମହିଳା ଜନସଂଖ୍ୟାର ଏକ ଛୋଟ ଅଂଶ ଏହାଦ୍ୱାରା ଉପକୃତ ହେଉଛନ୍ତି ।

ସମୟ ଥିଲା ଦେଶର ୪ ଦିଗରେ ୪ ମହିଳା ମୁଖ୍ୟମନ୍ତ୍ରୀ ଅଛନ୍ତି ବୋଲି ଆମେ କହି ଚାଲିଲୁ। ଆଜି ମହିଳା ରାଷ୍ଟ୍ରପତି କରିଦେଲୁ ବୋଲି ମତପ୍ରକାଶ ପାଉଛି। କିନ୍ତୁ ଗଣତାନ୍ତ୍ରିକ ବ୍ୟବସ୍ଥାରେ କିଛି ମହିଳାଙ୍କ ପ୍ରତିନିଧତ୍ୱ ସମ୍ପୂର୍ଣ୍ଣ ବର୍ଗର ପ୍ରଗତୀ ସୂଚକାଙ୍କ ନୁହେଁ । ଏଥିପାଇଁ ଆର୍ଥିକ ସ୍ୱାଧୀନତା ମଧ୍ୟ ଅପରିହାର୍ଯ୍ୟ। ନିର୍ବାଚନରେ ​​ମହିଳାମାନେ ବହୁ ସ୍ତରରେ ଅଂଶଗ୍ରହଣ କରିଥିଲେ ଏବଂ ବିଭିନ୍ନ ସ୍ତରରେ ବିଭିନ୍ନ ରାଜନୈତିକ ପଦବୀରେ ପ୍ରତିଦ୍ୱନ୍ଦ୍ୱୀ ହୋଇଥିଲେ। କିନ୍ତୁ ଏହା ଦେଖାଗଲା ଯେ ମହିଳା ପ୍ରାର୍ଥୀ ମହିଳାମାନଙ୍କର ପ୍ରସଙ୍ଗକୁ ନେଇ ଲଢିବାର ଆଗ୍ରହ ଦେଖାଇନଥିଲେ । ତେବେ ତାରି ଭିତରେ ବି ଦେଶକୁ ଓଡ଼ିଶା ଏକ ବଡ ବାର୍ତ୍ତା ଦେଇଛି। ଯାହା ଅନ୍ୟମାନେ ଅନୁସରଣ କରିବା ଉଚିତ । ସମୟ ଥିଲା ମହିଳା କାହାକୁ ଭୋଟ ଦେବେ ତାହା ପୁରୁଷ ନିଷ୍ପତ୍ତି ନେଉଥିଲା। ପରେ ସଂରକ୍ଷଣ ଆସିଲା ତାହା ନାମକୁ ମାତ୍ର ମହିଳାକୁ ଆସନରେ ବସେଇଲା। ଏବେ ଶିକ୍ଷା, ସଚେତନତା ଏବଂ ପ୍ରଶ୍ନ କରିବାକୁ ସାହସ ଥିବା ମହିଳାଙ୍କ ସଂଖ୍ୟା ବୃଦ୍ଧି ଏକ ସକରାତ୍ମକ ସଙ୍କେତ। ରାଜନୀତିରେ ଅଂଶଗ୍ରହଣ, ବିଶେଷକରି ଶିକ୍ଷିତ ମହିଳାଙ୍କ ରାଜନୀତିରେ ପ୍ରବେଶ ଏକ ନୂଆ ମୋଡ଼ ଆଣିଛି। ତଥାପି ଗୁଣାତ୍ମକ ଅଂଶଗ୍ରହଣ ଦୃଷ୍ଟିରୁ ପରବର୍ତ୍ତୀ ପିଢି ଠାରୁ ବେଶ କିଛି ଆଶା କରାଯାଇପାରେ। କିଛି ମହିଳାଙ୍କର ତୃଣମୂଳର ରାଜନୀତିରେ ଭାଗିଦାରୀତା ସମସ୍ତଙ୍କ ଉତ୍ଥାନ ନୁହେଁ। ଏହା ନେତୃତ୍ୱ ଏବଂ ଶାସନରେ ମହିଳାମାନଙ୍କର ସମାନ ଅଂଶଗ୍ରହଣ ନିଶ୍ଚିତ କରେ ନାହିଁ । ଏହି କ୍ଷେତ୍ରର ଆହ୍ୱାନ ସହ ଲଢେଇ ପାଇଁ ମଧ୍ୟ ପ୍ରସ୍ତୁତ ରହିବା ଆବଶ୍ୟକ ।

-ଆଜି ମଧ୍ୟ ଯେଉଁଠି ସଂରକ୍ଷଣ କାରଣରୁ ପୁରୁଷ ନିର୍ବାଚନ ଲଢିପାରେ ନାହିଁ, ସେଠି ମହିଳାମାନେ ପୂର୍ବତନ ପୁରୁଷ ପ୍ରାର୍ଥୀଙ୍କ ବିକଳ୍ପ ପ୍ରାର୍ଥୀ ଭାବରେ ମନୋନୀତ ହୁଅନ୍ତି । ଯାହା ରାଜନୀତିରେ ମହିଳାଙ୍କ ବାସ୍ତବ ଭାଗିଦାରୀ ନୁହେଁ ।

-ନିର୍ବାଚନ ଜିତିବା ପରେ ମଧ୍ୟ ମହିଳା ସେମାନଙ୍କର ପୁରୁଷ ସାଥୀ କିମ୍ୱା ସମ୍ପର୍କୀୟଙ୍କ ଦ୍ୱାରା ନିୟନ୍ତ୍ରିତ ହୁଅନ୍ତି ।

-ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ମହିଳାମାନଙ୍କ ପାଖରେ ଅର୍ଥ ଖର୍ଚ୍ଚର ସ୍ୱାଧୀନତା ନଥାଏ। ଫଳରେ ସେ ଅନ୍ୟ ଉପରେ ନିର୍ଭରଶୀଳ ହୁଏ ।

-ରାଜନୈତିକ ଦଳଗୁଡ଼ିକ ପ୍ରାୟତଃ ପୁରୁଷମାନଙ୍କ ଦ୍ୱାରା ପରିଚାଳିତ ।

-ଦଳିତ, ଆଦିବାସୀ ଏବଂ ଗରିବ ପରିବାର ପରି ଦୁର୍ବଳ ବର୍ଗର ମହିଳାମାନେ ଉଚ୍ଚ ଜାତି ଏବଂ ଉଚ୍ଚ ବର୍ଗର ମହିଳାମାନଙ୍କ ଅପେକ୍ଷା ଅଧିକ ଅସମାନତା ଏବଂ ଭେଦଭାବର ସମ୍ମୁଖୀନ ହୁଅନ୍ତି ।

-ଏକ ପିତୃତାନ୍ତ୍ରିକ ସମାଜରେ ମହିଳାମାନଙ୍କୁ ସ୍ଥାନୀୟ ଶାସନରେ ନେତା ଭାବରେ ଗ୍ରହଣ କରିବା ମହିଳାମାନଙ୍କ ଦ୍ୱାରା ମଧ୍ୟ ଗ୍ରହଣୀୟ ନୁହେଁ ।

-ଶାସନରେ ମହିଳାମାନଙ୍କର ଦକ୍ଷତା ବୃଦ୍ଧି ପ୍ରାୟ ଅନୁପସ୍ଥିତ କିମ୍ୱା ସୀମିତ ।

-ନିର୍ବାଚିତ ମହିଳା ପ୍ରତିନିଧୀମାନେ ମଧ୍ୟ ସ୍ୱତଃ ଘରୋଇ ଦାୟିତ୍ୱରୁ ମୁକ୍ତ ହୁଅନ୍ତି ନାହିଁ । ତେଣୁ ସେମାନେ ପୁରୁଷଙ୍କ ଉପରେ ନିର୍ଭରଶୀଳ ହୁଅନ୍ତି ।

-ସାଧାରଣତଃ ମହିଳାମାନେ ରାଜନୀତିକୁ କ୍ୟାରିୟର ଭାବେ ବାଛନ୍ତି ନାହିଁ। ପୁରୁଷମାନଙ୍କ ନିଷ୍ପତ୍ତିରୁ ସେମାନେ ବାଧ୍ୟ ହୋଇ ଏ କ୍ଷେତ୍ରକୁ ଆସନ୍ତି ।

– ଏହି ସୀମାବଦ୍ଧତା ସତ୍ତେ ସକରାତ୍ମକ ପରିବର୍ତ୍ତନର ସ୍ତର ବୃଦ୍ଧି ପାଉଛି ।

 ମହିଳା ନେତୃତ୍ୱ ରାଜନୀତିରେ ଥିବା ପ୍ରଭେଦ ଦୂର କରିବ । ରାଜନୀତିର ଅନେକ କାର୍ଯ୍ୟକ୍ରମ ଯେମିତି କି, ଘର ଘର ବୁଲି ଭୋଟ ମାଗିବାରୁ ଆରମ୍ଭ କରି ସଭା,ସମିତି,ରାଲି ଯାଏଁ ସବୁଠି ପୁରୁଷପ୍ରାଧାନ୍ୟ କାର୍ଯ୍ୟକ୍ରମ ହୋଇ ରହିଆସିଛି। ଯାହା ସମ୍ଭବତଃ ମହିଳାଙ୍କ ଭାଗିଦାରୀ ପରେ ପରିବର୍ତ୍ତନ ହେବ ବୋଲି ଆଶା କରାଯାଇପାରେ। ରାଜନୀତିରେ ଯେଉଁ ପଦପଦବୀର ପ୍ରାଧାନ୍ୟ ଅଛି ସେଠି ମହିଳାଙ୍କ ସଂଖ୍ୟା ବୃଦ୍ଧି ଆଗାମୀ ସମୟ ପାଇଁ ଆଶା କରାଯାଇପାରେ । କିନ୍ତୁ ଏବେ ସେ ସଂଘର୍ଷ ଲକ୍ଷ୍ୟସ୍ଥଳରେ ପହଞ୍ଚିନାହିଁ। ଯେତେବେଳେ ମହିଳା ନିର୍ବାଚନୀ ରଣାଙ୍ଗନକୁ ଓହ୍ଲାଉଛି ସେଠି ତାର ସାଥୀ ମହିଳା ତା ସହ ପ୍ରଚାର କାମରେ ଯାଉଛନ୍ତି ଯାହା ଅନ୍ୟ ମହିଳାଙ୍କୁ ମଧ୍ୟ ଉତ୍ସାହିତ କରୁଛି।  ରାଜନୀତିକୁ ଜାଣି, ବୁଝି, ପ୍ରବେଶ କରିବାର ସୁଯୋଗ ମହିଳା ପାଇ ପାରୁଛନ୍ତି। ମହିଳା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନେଇ ଯେଉଁ ମାନସିକ ପ୍ରତିବନ୍ଧକ ଥିଲା ତାହା ଧିରେ ଧିରେ ଦୂର ହେଉଛି। ତାହା ଦଳ ସ୍ୱାର୍ଥରେ ହୋଇପାରେ କିନ୍ତୁ ମହିଳା ସେ ସୁଯୋଗରେ ପ୍ରତିଷ୍ଠିତ ହେଉଛି। ଅନ୍ୟ ମହିଳାଙ୍କ ପାଇଁ ପ୍ରେରଣା ହୋଇପାରୁଛି। କୌଣସି ଆଇନ ଦ୍ୱାରା ନୁହେଁ ବରଂ ଅଭ୍ୟାସ ଦ୍ୱାରା ମାନସିକତା ବଦଳିବ ଓ ମହିଳାଙ୍କ ଯୋଗଦାନ ରାଜନୀତିରେ ବଢିବ। ରାଜନୈତିକ ଭାଗିଦାରୀ ସାମାଜିକ ଓ ଆର୍ଥିକ କ୍ଷେତ୍ରକୁ ପ୍ରଶସ୍ତ କରିବ। କାରଣ ମହିଳା ସ୍ୱାଧୀନତା ପାଇଁ ନିଆଯାଉଥିବା ପ୍ରତିଟି ପଦକ୍ଷେପ ସଭ୍ୟତାକୁ ସମୃଦ୍ଧ କରିବାର ଉଦ୍ୟମ ବୋଲି ବିଚାର କରାଯାଏ।

  • ସୁପ୍ରିୟା ଦାଶଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *