ସୂଚନା ଅଧିକାର କର୍ମୀଙ୍କ ସୁରକ୍ଷାକୁ ନେଇ ରାଜ୍ୟ ସ୍ତରୀୟ ଜନ ଶୁଣାଣି

ଭୁବନେଶ୍ବର: ସୂଚନା ଅଧିକାର କର୍ମୀଙ୍କ ସୁରକ୍ଷାକୁ ନେଇ ରାଜ୍ୟ ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ରାଜ୍ୟର ଶହ ଶହ ସଂଖ୍ୟାରେ ସୂଚନା ଅଧିକାରୀ କର୍ମୀମାନେ ଯୋଗ ଦେଇଛନ୍ତି। ଏହାସହ ମୁଖ୍ୟ ଅତିଥି ଭାବେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ମଦନ ବି ଲୋକୁର ଯୋଗ ଦେଇଛନ୍ତି । ରାଜ୍ୟର ବିଭିନ୍ନ ସୂଚନା ଅଧିକାରୀ କର୍ମୀମାନଙ୍କୁ ବିଭିନ୍ନ ସମୟରେ ଆକ୍ରମଣ କରାଯାଉଛି। ତେଣୁ ତାଙ୍କ ପାଇଁ ସ୍ୱତନ୍ତ୍ର ଆଇନ ଆଣି ସୁରକ୍ଷା ଦାବି କରିଛନ୍ତି ସୂଚନା ଅଧିକାର କର୍ମୀମାନେ।
ଏନଆରଜିଏସ କାମରେ ଅନିୟମିତତା । ଦୁର୍ନୀତିର ପର୍ଦ୍ଦାଫାସ କଲେ ସୂଚନା ଅଧିକାର କର୍ମୀ । ଫଳରେ କିଛି ରାଜନୈତିକ ବ୍ୟକ୍ତିଙ୍କ ଆକ୍ରମଣର ହେଲେ ଶିକାର । ଆକ୍ରମଣରେ ତାଙ୍କ ହାତ ଭାଙ୍ଗିଥିଲେ ମଧ୍ୟ ପୋଲିସ କେଶ ନେଉ ନଥିବାର ଅଭିଯୋଗ କରିଛନ୍ତି ପୁରୀ ଜିଲ୍ଲାର ସନ୍ତୋଷ ମହାନ୍ତି । ଏ ହେଉଛି ରାଜ୍ୟରେ ସୂଚନା ଅଧିକାରୀଙ୍କ ଭାଗ୍ୟ ।
ଏହି ଗୋଟିଏ କେସ୍ ନୁହଁ । ଏମିତି ଅନେକଙ୍କୁ ମିଛ ମାମଲାରେ ଫସାଉଛନ୍ତି ପ୍ରଭାବଶାଳୀ ଗୋଷ୍ଠି । ଏମିତି ବିଭିନ୍ନ ରାଜ୍ୟନୈତିକ ଦଳ ତାଙ୍କ ଉପରେ ଚାପ ପ୍ରୟୋଗ କରୁଥିବାର ଅଭିଯୋଗ ମଧ୍ୟ ହୋଇଛି । ଏହା ସହ ଏ ଯାଏଁ ୪ ଜଣଙ୍କୁ ହତ୍ୟା ମଧ୍ୟ କରାଗଲାଣି । ଦୁର୍ନିତି କରୁଥିବା ଲୋକ ବାହାରେ ବୁଲୁଥିବା ବେଳେ ଏହାକୁ ପଦାକୁ ଆଣୁଥିବା ଲୋକଙ୍କୁ ସୁରକ୍ଷା ଦେବା ବଦଳରେ କଣ୍ଠରୋଧର ଅଭିଯୋଗ ହୋଇଛି ।
ଶନିବାର ଓଡ଼ିଶା ସୂଚନା ଅଧିକାର ଅଭିଯାନର ରାଜ୍ୟସ୍ତରୀୟ ଜନଶୁଣାଣି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ମଦନ ବି ଲୋକୁର ଯୋଗ ଦେଇ ସୂଚନା ଅଧିକାରୀଙ୍କ ବିଭିନ୍ନ ସମସ୍ୟା ବାବଦରେ ଅବଗତ ହୋଇଛନ୍ତି । ଏମିତି କି ରାଜ୍ୟରେ ଆରଟିଆଇ କର୍ମୀଙ୍କ ଉପରେ ଆକ୍ରମଣ ଓ ମିଛ କେଶ ଲଗାଯିବା ପ୍ରସଙ୍ଗକୁ ଗୁରୁତର ସହ ନେଇଛନ୍ତି । ସତ ପଦାକୁ ଆଣିବାକୁ ପ୍ରୟାସ କରୁଥିବା ସୂଚନା ଅଧିକାର କର୍ମୀଙ୍କୁ କାହିଁକି ସରକାରଙ୍କର ଏତେ ଭୟ ବୋଲି ମତବ୍ୟକ୍ତ କରିଛନ୍ତି ବରିଷ୍ଠ ସାମ୍ୱାଦିକ। ବିଭିନ୍ନ ଦୁର୍ନୀତିର ପର୍ଦାଫାସ ସୂଚନା ଅଧିକାର ବଳରେ ହେବାର ନଜିର ରହିଛି। କିନ୍ତୁ ତାକୁ ତାଳ ଦେଇ ସୂଚନା ମାଗୁଥିବା ଲୋକଙ୍କ ଉପରେ ମରଣାନ୍ତକ ଆକ୍ରମଣ, ହତ୍ୟା, ଧମକ ବି ବଢ଼ିବାରେ ଲାଗିଛି। ସେଥିଲାଗି ସୂଚନା ଅଧିକାରୀଙ୍କ ସୁରକ୍ଷାକୁ ନେଇ ସବୁଠି ଚିନ୍ତା।
ନବ କିଶୋର ସାହୁଙ୍କ ରିପୋର୍ଟ