ଶୃଙ୍ଖଳିତ ହୁଅ। ଯେଉଁ ବିଷୟରେ ଜାଣିବାର ଜିଜ୍ଞାସା ଅଛି। ସେ ବାବଦରେ ଅଧ୍ୟୟନ କର। ଜଣେ କହିଲେ ତା ପଛରେ ଅନ୍ଧ ଭାବେ ମାଡ଼ିଚାଲନି। ଏମିତି ହେଲେ ଚତୁର୍ଥସ୍ତମ୍ଭ ଭାବେ ଯେଉଁ ଗୁରୁଦାୟିତ୍ୱ କାନ୍ଧରେ ବହନ କରିଛ, ତାହା ଦାୟିତ୍ୱହୀନତାର ପରିଚୟ ଦେବ ସମାଜରେ। ଗଣମାଧ୍ୟମ ଉଦ୍ଦେଶ୍ୟରେ କିଛି ଏଭଳି ପରାମର୍ଶ ରଖିଛନ୍ତି ପୂଜାରୀ। ଆମେ କହୁଛୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ କଥା। ଜଣେ ଆଇନଜୀବି। ବରଗଡ଼ର ସାଂସଦ ଭାବେ ସଂସଦରେ ଯେଭଳି ପ୍ରଭାବୀ ଢଙ୍ଗରେ ଯୁକ୍ତି ଉପସ୍ଥାପନ କରି ଚର୍ଚ୍ଚାରେ ଥିଲେ ପୂଜାରୀ। ଏବେ ରାଜ୍ୟ ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଆରମ୍ଭରୁ ତାଙ୍କର କାର୍ଯ୍ୟଶୈଳୀ ବି ଚର୍ଚ୍ଚାରେ। ସେ ଯେତେ ମିଷ୍ଟଭାଷୀ। ସେତିକି ବି କ୍ଷଣକୋପୀ। କୌଣସି ପ୍ରସଙ୍ଗର ଗଭୀରତାକୁ ଅନୁଧ୍ୟାନ ପରେ ହିଁ ଗଣମାଧ୍ୟମରେ କୁହନ୍ତି। ଯଦିଓ ପୂଜାରୀଙ୍କୁ ମିଡିଆ ମ୍ୟାନ୍ ଭାବେ ସମସ୍ତେ ଜାଣନ୍ତି। ଗଣମାଧ୍ୟମକୁ ସେ କେବେ ବି ନିରାଶ କରନ୍ତିନି। ଯେ କୌଣସି ପ୍ରସଙ୍ଗରେ ତାଙ୍କର ଦଖଲ ରହିଛି କହିଲେ ଭୁଲ୍ ହେବନି। ଗଣମାଧ୍ୟମରେ ସେ କହିବାକୁ ମନା କରନ୍ତିନି। କିନ୍ତୁ ଏହା ସହ ମିଡିଆକୁ ବି ପରାମର୍ଶ ଦିଅନ୍ତି। ଅସଲ କଥା ବାହାର କର। ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ କର। ସରକାରଙ୍କ ଭୁଲ୍ ଭଟକାକୁ ବି ସାମ୍ନାକୁ ଆଣ। କିନ୍ତୁ ନକରାତ୍ମକ ଖବର ବଦଳରେ ସକରାତ୍ମକ ଚିନ୍ତାଧାରାରେ ମିଡିଆ ରହିଲେ, ଏହା ସରକାର ଓ ସମାଜ ପାଇଁ ମଙ୍ଗଳ ହେବ। ଭୁଲଭଟକା ଖୋଜ। କିନ୍ତୁ ଭୁଲର ଯେଭଳି ପୁନରାବୃତ୍ତି ହେବନି। ଦୋଷୀ ଯେମିତି ନିସ୍ତାର ପାଇବନି। ସମସ୍ୟା ବଦଳରେ କେମିତି ଲୋକେ ସମାଧାନ ପାଇ ଫେରିବେ। ଏ ସବୁ ଦୃଷ୍ଟିଭଙ୍ଗୀ ରଖିଲେ ସମାଜର ପ୍ରଭୂତ ମଙ୍ଗଳ ହେବ। ଦେଖୁ ଦେଖୁ ୫ ବର୍ଷ ଚାଲିଯିବ। କାମ କରିବାକୁ ମିଳିଥିବା ସମୟର ସଦୁପଯୋଗ କରିବାକୁ ପଡ଼ିବ। ୨୪ ବର୍ଷ ପରେ ବିଜେଡିକୁ ହଟାଇ ବିଜେପିକୁ ଶାସନ ଭାର ଦେଇଥିବା ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ପ୍ରତି ଯେଉଁ ଦାୟିତ୍ୱ ଅଛି, ତାକୁ ନିର୍ବାହ କରିବା ପ୍ରାଥମିକତା। ଆଗ ଜନତା ପଛରେ ଗଣମାଧ୍ୟମ ବୋଲି କହିଛନ୍ତି ପୂଜାରୀ। ଜନତାର ସେବକ ଭାବେ ଆଗ ଜନତାଙ୍କୁ ଶୁଣିବା ମନ୍ତ୍ରୀ ଭାବେ ତାଙ୍କର ପ୍ରାଥମିକତା। ଗଣମାଧ୍ୟମ ଗଣଙ୍କର କଥା କହୁ। ଜଣଙ୍କର ନୁହେଁ। ନିର୍ଦିଷ୍ଟ ବର୍ଗର ଏଜେଣ୍ଡାକୁ ଚରିତାର୍ଥ ଲାଗି ଗଣମାଧ୍ୟମ ନ ଦୌଡ଼ୁ ବୋଲି ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ। ଲୋକଙ୍କୁ ଆଗ ବାଟ ଛାଡ଼। ଗଣମାଧ୍ୟମ ବୋଲି ସମସ୍ତଙ୍କ ଉପରେ ଆଉ ସମସ୍ତଙ୍କ ଆଗରେ ବୋଲି ଦର୍ଶାଇବା ମନୋବୃତ୍ତି ପରିହାର କର ବୋଲି ଅନୁରୋଧ କରିଛନ୍ତି ପୂଜାରୀ।
Naxatra News is now on Whatsapp
Join and get latest news update delivered to you via whatsapp
Join Now