ଜଗା ଦର୍ଶନ ପାଇଁ ଆଉ ବେଶୀ ସମୟ ଖରାରେ ହେବାକୁ ପଡ଼ିବନି ଠିଆ

ସର୍ବସାଧାରଣଙ୍କ ପାଇଁ ସହଜ ହେଲା ଜଗା ଦର୍ଶନ। ଆଜିଠାରୁ ଶ୍ରୀମନ୍ଦିର ପଶ୍ଚିମ ଦ୍ଵାର ଦେଇ ଭକ୍ତମାନେ କରୁଛନ୍ତି ମହାପ୍ରଭୁଙ୍କ ଦର୍ଶନ। ଭକ୍ତଙ୍କ ସୁବିଧା ଓ ଶୃଙ୍ଖଳିତ ଦର୍ଶନକୁ ଦୃଷ୍ଟିରେ ରଖି ପଶ୍ଚିମ ଦ୍ଵାର ନିକଟରେ ସ୍ଥାୟୀ ସେଡ୍ ନିର୍ମାଣ, ଜୋତା ଷ୍ଟାଣ୍ଡ, ପାନୀୟ ଜଳ ବ୍ୟବସ୍ଥା କରାଯାଇଛି। ପୂର୍ବରୁ କେବଳ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରୁଥିଲେ। ଯାହା ଫଳରେ ମହାପ୍ରଭୂଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଥିଲା। ଅନେକ ସମୟରେ ମରିଚିକୋଟ ଛକ ପର୍ଯ୍ୟନ୍ତ ମଧ୍ୟ ଭକ୍ତଙ୍କ ଲମ୍ୱା ଧାଡ଼ି ଲାଗୁଥିଲା। ଯାହାଫଳରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ନିରାଶ ହେଉଥିଲେ। ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ପାଇଁ ସେବାୟତ ଓ ଭକ୍ତଙ୍କ ଦାବିକୁ ଲକ୍ଷ୍ୟ ରଖି ଆଜିଠୁ ପଶ୍ଚିମ ଦ୍ୱାର ଦେଇ ଦର୍ଶନର ସୁବିଧା ଉପଲବ୍ଧ ହୋଇଛି।
ସେପଟେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ କାର୍ଯ୍ୟ ମେ ତିନି ତାରିଖରୁ ଆରମ୍ଭ ହେବ। ଏଥିରେ କୈାଣସି ବାଧା ସୃଷ୍ଟି ନହେବା ଲାଗି ପ୍ରଶାସନ ପକ୍ଷରୁ ଖୁବଶୀଘ୍ର ଶ୍ରୀମନ୍ଦିର ପାଖରେ ଥିବା ସେଡ୍କୁ ହଟାଯିବ। ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ବଢୁଥିବାରୁ ଶ୍ରୀମନ୍ଦିର ଦର୍ଶନକୁ ଅଧିକ ସହଜ ଓ ସରଳ କରାଯାଇଛି। ଡେରିରେ ହେଉ ପଛେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଂହଦ୍ୱାର ସହ ପଶ୍ଚିମ ଦ୍ଵାର ଖୋଲିଥିବାରୁ ଆଗକୁ ଅନ୍ୟ ଦୁଇ ଦ୍ୱାର ବି ଭକ୍ତଙ୍କ ପାଇଁ ଖୋଲିଯିବ ବୋଲି ଆଶା କରାଯାଉଛି।