ଫେବୃଆରି ପହିଲାରୁ ଧାଡ଼ି ଦର୍ଶନ

ଫେବୃଆରି ପହିଲାରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ। ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହେଲାଣି ପ୍ରସ୍ତୁତି। ଭକ୍ତଙ୍କ ସୁବିଧାକୁ ଦୃଷ୍ଟିରେ ରଖିବା ସହ ଶୃଙ୍ଖଳିତ ଓ ବ୍ୟବସ୍ଥିତ ଦର୍ଶନକୁ ପ୍ରାଧାନ୍ୟ ଦିଆଯାଇଛି । ଶ୍ରୀ ମନ୍ଦିର ପ୍ରଶାସନ, ଜିଲ୍ଲାପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ମିଳିତ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି । ଧାଡି ଦର୍ଶନ ରେ ବ୍ୟବହୃତ ହେବାକୁ ଥିବା ରାମ୍ପର କାର୍ଯ୍ୟ ଶେଷ ହେବା ସହ ତାହାର ପରୀକ୍ଷଣ ବି ଶେଷ ହୋଇସାରିଛି କହିଛନ୍ତି ଶ୍ରୀ ମନ୍ଦିର ଉପମୁଖ୍ୟପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ।

କେବେ ହେବ ଶ୍ରୀମନ୍ଦିର ଭିତର ଦର୍ଶନ ଶୃଙ୍ଖଳା । ନାଟମଣ୍ଡପ ଦର୍ଶନ ବେଳେ ଉପୁଜୁଛି ଠେଲାପେଲା । ନାଟ ମଣ୍ଡପ ଧାଡ଼ି ଦର୍ଶନ ପୂର୍ବରୁ ସେଠାରେ ଥିବା ଅବରୋଧ ଗୁଡ଼ିକ ହଟା ଯାଇଥିବା ବେଳେ ହୁଣ୍ଡି ହଟାଇବାକୁ କିନ୍ତୁ ସ୍ୱତନ୍ତ୍ର ଗାଇଡ ଲାଇନ୍ ରହିଛି।ହୁଣ୍ଡି ହଟେଇବା ପାଇଁ ସରକାରଙ୍କ ଅନୁମତି ର ଆବଶ୍ୟକତା ରହିଛି । ଧାଡ଼ି ଦର୍ଶନ କଲେ ଭକ୍ତ ସୁବିଧାରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଏବଂ ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ ହେବ ବୋଲି ସେବାୟତ ମତ ଦେଇଛନ୍ତି । ଅନ୍ୟପଟେ ବାହାର ରାଜ୍ୟ ରୁ ଆସିଥିବା ଭକ୍ତ ମଧ୍ୟ ଧାଡି ଦର୍ଶନ ବ୍ୟବସ୍ଥାକୁ ସ୍ୱାଗତ କରୁଛନ୍ତି । ପ୍ରଶାସନ ପକ୍ଷରୁ ଘନ ଘନ ବୈଠକ ଶ୍ରୀ ମନ୍ଦିର କାର୍ଯ୍ୟାଳୟ ରେ ଅନୁଷ୍ଠିତ ହେଉଛି। ଶ୍ରୀ ମନ୍ଦିର ପ୍ରଶାସନ, ଜିଲ୍ଲାପ୍ରଶାସନ, ପୋଲିସ ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ସମନ୍ୱୟ ରଖିବା ପାଇଁ ଗୋଟେ ପରେ ଗୋଟେ ବୈଠକ ଚାଲିଛି । ଭକ୍ତ ଶ୍ରୀମନ୍ଦିର ମଧ୍ୟକୁ କେମିତି ପ୍ରବେଶ ଓ ପ୍ରସ୍ଥାନ କରିବେ ତାର ସମ୍ପୂର୍ଣ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଧାଡି ଦର୍ଶନ ସମୟରେ କିପରି ବରିଷ୍ଠ ନାଗରିକ, ମହିଳା ଓ ଛୋଟ ପିଲା ବ୍ୟବସ୍ଥିତ ଭାବେ ମହାପ୍ରଭୁ ଙ୍କ ଦର୍ଶନ କରିପାରିବେ ସେ ନେଇ ବୈଠକରେ ପ୍ରାଧାନ୍ୟ ଦିଆଯାଇଛି । ଅନ୍ୟପଟେ ଗ୍ରୀଷ୍ମ ମାସକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି l ଶ୍ରୀମନ୍ଦିର ଭିତରେ RO plant ସ୍ଥାପନ କରାଯାଇ ୫୦ଟି ଯାଗାରେ ଲଗାଯିବ ପାନୀୟ ଜଳ ଷ୍ଟାଣ୍ଡ ପୋଷ୍ଟ l ସେପଟେ ରତ୍ନଭଣ୍ଡାର ମରାମତି ପାଇଁ ଦିନକୁ ୫ ରୁ ୬ ଘଣ୍ଟା ସମୟ ପ୍ରଦାନ ନିମନ୍ତେ ଶୀଘ୍ର ଦ୍ୱାର ଫିଟା ନୀତି ନେଇ ସେବାୟତ ମାନଙ୍କ ସହ କରାଯାଇଛି ଆଲୋଚନା l ସୁରକ୍ଷା ବ୍ୟବସ୍ଥାକୁ ନେଇ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ବିଶେଷ ଧ୍ୟାନ ଦିଆଯାଇଛି । ମୋବାଇଲ ଓ ଡିଜିଟାଲ ସାମଗ୍ରୀ କିପରି ଶ୍ରୀ ମନ୍ଦିର ମଧ୍ୟରେ ସମ୍ପୂର୍ଣ ଭାବେ ନିଷେଧ ରହିବ ସେ ନେଇ ପ୍ରଶାସନ ତତ୍ପରତା ପ୍ରକାଶ କରିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *