ଜାତୀୟ

ଅଯୋଧ୍ୟା ଶ୍ରୀରାମ ମନ୍ଦିରର ଗ୍ରାଉଣ୍ଡ ଫ୍ଲୋରରେ ବିରାଜମାନ କରିବେ ବାଳକ ଶ୍ରୀରାମ

ଅଯୋଧ୍ୟା : ଅଯୋଧ୍ୟାରେ ପବିତ୍ର ଜନ୍ମଭୂମି ଠାରେ ନିର୍ମାଣାଧୀନ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ମନ୍ଦିର ନିର୍ମାଣର କାମ ଚଳିତ ବର୍ଷ ଡିସେମ୍ବର ମାସ ସୁଦ୍ଧା ସମାପ୍ତ ହୋଇଯିବ । ବିଶ୍ୱ ହିନ୍ଦୁ ପରିଷଦର ଆନ୍ତର୍ଜାତିକ ଉପାଧ୍ୟକ୍ଷ ଚମ୍ପତ ରାୟ ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ମନ୍ଦିରରେ ଯେଉଁ ମୂର୍ତ୍ତି ସ୍ଥାପିତ ହେବ ତାହା ବାଳକ ଶ୍ରୀରାମଙ୍କ ରୁପେ ହେବ । ମୂର୍ତ୍ତି ର ପ୍ରାଣ ପ୍ରତିଷ୍ଠା ନିମନ୍ତେ ୨୦୨୪ ମସିହା ଜାନୁଆରୀ ମାସ ୧୫ ତାରିଖ ଠାରୁ ଆରମ୍ଭ କରି ଜାନୁଆରୀ ୨୬ ତାରିଖ ଯାଏ ଯେଉଁ ଶୁଭ ତିଥି ବାହାରିବ ସେହି ଦିନ ପ୍ରାଣ ପ୍ରତିଷ୍ଠା ହେବ ।

ସେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହ ଆଲୋଚନା ବେଳେ କହିଛନ୍ତି ଯେ ମନ୍ଦିରର ଗର୍ଭ ଗୃହରେ ସ୍ଥାପିତ ହେଉଥିବା ମୂର୍ତ୍ତି ପ୍ରଭୁ ଶ୍ରୀରାମଙ୍କ ପାଞ୍ଚ ବର୍ଷୀୟ ବାଳକ ରୁପେ ହେବ । ଏହି ମୂର୍ତ୍ତି ଗ୍ରାଉଣ୍ଡ ଫ୍ଲୋରରେ ରହିବ । ମୂର୍ତ୍ତି ମାନଙ୍କର ନିର୍ମାଣ କାମ ଅଯୋଧ୍ୟାରେ ଜାରୀ ରହିଛି । ଏହାର ନିର୍ମାଣ କାମ ଅକ୍ଟୋବର ମାସ ସୁଦ୍ଧା ଶେଷ ହେବ । ରାମ ମନ୍ଦିରରର ଫିନିସିଂ ଟଚ୍ ଭଳି କାମ ଡିସେମ୍ବର ମାସ ଶେଷ ସୁଦ୍ଧା ଶେଷ ହେବ ।

ଚମ୍ପତ ରାୟ କହିଛନ୍ତି, ଆଗାମୀ ବର୍ଷ ଜାନୁଆରୀ ମାସ ୧୫ ତାରିଖ ପର ଠାରୁ ୨୪ ତାରିଖ ଯାଏ ସମୟ ପ୍ରାଣ ପ୍ରତିଷ୍ଠା ପାଇଁ ଉପଯୁକ୍ତ ସମୟ । ୧୫ ଜାନୁଆରୀ ମକର ସଂକ୍ରାନ୍ତି ଓ ୨୬ ଜାନୁଆରୀ ଗଣତନ୍ତ୍ର ଦିବସ ମଧ୍ୟରେ ତାରିଖ ମଧ୍ୟରେ କୌଣସି ତିଥି ବାହାର କରାଯିବ । ମନ୍ଦିରର ଫାଷ୍ଟ ଫ୍ଲୋରରେ ପ୍ରଭୁ ଶ୍ରୀରାମଙ୍କ ପରିବାର ବିରାଜମାନ ହେବେ । ଦ୍ୱିତୀୟ ମହଲାରେ ଏବେ ସୁଦ୍ଧା କାହାର ପ୍ରତିମା ସ୍ଥାପନା କରିବାର ଯୋଜନା ନାହିଁ । ମନ୍ଦିରକୁ ଉଚ୍ଚତା ଦେବାକୁ ଏହାକୁ ତିଆରି କରାଯାଉଛି ।

ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ଗତ ଜୁନ ମାସ ୨୨ ତାରିଖ ଦିନ ଚମ୍ପତ ରାୟ ଅଯୋଧ୍ୟାରେ ନିର୍ମାଣାଧୀନ ମନ୍ଦିରର କିଛି ଅଂଶର ଫଟୋକୁ ନିଜର ସୋସିଆଲ ମିଡିଆ ଏକାଉଣ୍ଟରେ ଶେୟାର କରିଥିଲେ । ଚମ୍ପତ ରାୟ ଆହୁରି କହିଛନ୍ତି ଯେ ଏକ ଅନୁମାନ ଅନୁସାରେ ମନ୍ଦିର ନିର୍ମାଣରେ ପାଖାପାଖି ୨୧ ଲକ୍ଷ ଗ୍ରାନାଇଟ, ଘନଫୁଟ ସ୍ୟାଣ୍ଡ ଷ୍ଟୋନ ଓ ମାର୍ବଲର ପ୍ରୟୋଗ କରାଯାଉଛି । ସେ କହିଛନ୍ତି ଯେ ଏହି ମନ୍ଦିରକୁ ଅତ୍ୟନ୍ତ ମଜବୁତ ଭାବେ ତିଆରି କରାଯାଉଛି । ଏହାକୁ ଏତେ ମଜବୁତ ଭାବେ ତିଆରି କରାଯାଉଛି ଯେ ଆଗାମୀ ଏକ ହଜାର ବର୍ଷ ଯାଏ ଏଥିରେ ମରାମତି କରିବାର ଆବଶ୍ୟକତା ପଡିବ ନାହିଁ ।

Related Articles

Leave a Reply

Your email address will not be published.

Back to top button