ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ସମୀକ୍ଷା ବୈଠକ ଅନୁଷ୍ଠିତ, ସୁଖଦ ଅନୁଭୂତି ନେଇ ଭକ୍ତ ଫେରନ୍ତୁ – ମୁଖ୍ୟମନ୍ତ୍ରୀ

Spread the love

ପୁରୀ : ଚଳିତବର୍ଷ ମହାପ୍ରଭୁଙ୍କ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସ୍ଵତନ୍ତ୍ର ସମୀକ୍ଷା ବୈଠକ ଆଜି ସ୍ଥାନୀୟ ପୌରସଦନ ଠାରେ ଅନୁଷ୍ଠିତ ହୋଇଯାଇଛି । ଭିଡ଼ିଓ କନଫରନେସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ପାଖରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ବୈଠକକୁ ସମ୍ବର୍ଦ୍ଧିତ କରି କହିଲେ, ମହାପ୍ରଭୁ ଓଡ଼ିଆ ଜାତିର ଶ୍ରେଷ୍ଠ ପରିଚୟ । ସାରା ଦେଶ ପୁରୀ ରଥଯାତ୍ରାକୁ ଦେଖିବା ପାଇଁ ଚାହିଁ ବସିଥାନ୍ତି । ରଥଯାତ୍ରାକୁ ସୁରୁଖୁରୁରେ ଶେଷ କରିବା ଆମ ସମସ୍ତଙ୍କ ଲକ୍ଷ୍ୟ । ଭକ୍ତ ମାନଙ୍କ ସୁରକ୍ଷା ଓ ସୁବିଧା ପାଇଁ ସ୍ଵତନ୍ତ୍ର ଧ୍ୟାନ ଦିଆଯାଉଛି । ସେବାୟତମାନେ ନୀତି ପାଳନ ଠିକ୍ ସମୟରେ କରିବା ପାଇଁ ଅନୁରୋଧ କରିଥିଲେ । ଦେଶ ବିଦେଶରୁ ଆସୁଥିବା ଭକ୍ତମାନେ ସୁଖଦ ଅନୁଭୂତି ନେଇ କିପରି ଫେରିବେ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଉଛି । ପୁରୀବାସୀ ଓ ସେବାୟତମାନଙ୍କ ସମର୍ପଣ ମନଭାବ ଯୋଗୁଁ ମହାପ୍ରଭୁଙ୍କ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ସୁରୁଖୁରୁରେ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଥିଲେ । ମହାପ୍ରଭୁଙ୍କ ଆର୍ଶିବାଦ ଆମ ସମସ୍ତଙ୍କ ଉପରେ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା ସ୍ଵାଗତ ଭାଷଣ ଦେଇଥିଲେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଆଲୋଚନାରେ ଅଂଶଗ୍ରହଣ କରି କହିଲେ, ମହାପ୍ରଭୁ ଓଡ଼ିଶା ମାଟିର ଗର୍ବ ଓ ଗୌରବ । ମହାପ୍ରଭୁଙ୍କ ଅପାର କରୁଣାରୁ ରଥ ନିର୍ମାଣ କାର୍ଯ୍ୟ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଆଗରେ ରହିଛି । ତିନୋଟି ରଥ ପାଇଁ ୩ ହଜାର ମିଟର କନା ଆସି ଦରଜି ସେବାୟତ ମାନେ କାର୍ଯ୍ୟ କରୁଛନ୍ତି । ରଥ ଦଉଡ଼ି, ଝୁଣା, ଚେହେଲି, ବାସୁଙ୍ଗା ପାଟ, କସ୍ତୁରି ଓ ଲାଗି ଲୁଗା ଇତ୍ୟାଦି ଦ୍ରବ୍ୟ ମହଜୁଦ ରହିଛି । ରଥଯାତ୍ରା ବ୍ୟବସ୍ଥାବଳି, ନୀତି ନିର୍ଘଂଟ ଓ ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ଵାରା ଅନୁମୋଦନ କରାଯାଇଛି । ଭକ୍ତମାନଙ୍କ ପାଇଁ ୫ ଲକ୍ଷ ଟଙ୍କାର ବୀମା ବ୍ୟବସ୍ଥା କରାଯାଇଛି । ଜଗନ୍ନାଥଙ୍କ ଆର୍ଶିବାଦ ଓ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ରଥଯାତ୍ରା ସମ୍ପର୍କିତ ସମସ୍ତ କାର୍ଯ୍ୟ ଆଗେଇ ଚାଲିଛି ବୋଲି ଶ୍ରୀ ଦାସ କହିଥିଲେ । ରାଜ୍ୟ ପୋଲିସ ଡ଼ିଜି ସୁନିଲ ବଂଶଲ ଲକ୍ଷ ଲକ୍ଷ ଭକ୍ତଙ୍କ ସୁରକ୍ଷା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶୃଙ୍ଖଳିତ ରଥଯାତ୍ରା ଓ ଭକ୍ତଙ୍କ ସୁରକ୍ଷା ଉପରେ ଗୁରୁତ୍ଵାରୋପ କରାଯାଇଛି । ୧୬୦ ପ୍ଲାଟୁନ ପୋଲିସ ଫୋର୍ସ ଭକ୍ତଙ୍କ ସୁରକ୍ଷା ଦାୟୀତ୍ଵରେ ନିୟୋଜିତ ହେବେ । ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ରାଜ୍ୟ ପୋଲିସ ରଥଯାତ୍ରା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରିଛନ୍ତି ବୋଲି ଡ଼ିଜି କହିଥିଲେ । ମୁଖ୍ୟ ଶାସନ ସଚିବ ପ୍ରଦିପ କୁମାର ଜେନା କହିଲେ, ରଥଯାତ୍ରା ପାଇଁ ସମସ୍ତ ବ୍ୟବସ୍ଥାବଳି ଚୂଡ଼ାନ୍ତ ହୋଇଛି । ଛତିଶା ନିଯୋଗ ବୈଠକ ଓ ପରିଚାଳନା କମିଟି ବୈଠକରେ ନୀତି ନିର୍ଘଂଟ ସମ୍ପର୍କରେ ସ୍ଵତନ୍ତ୍ର ଧ୍ୟାନ ଦିଆଯାଇଛି । ସୁରୁଖୁରୁରେ ସ୍ନାନପୂର୍ଣ୍ଣମୀ ଯାତ୍ରା ଶେଷ ହୋଇଛି । ବିଶ୍ଵକର୍ମା ମହାରଣାମାନେ ରଥ ନିର୍ମାଣ କାର୍ଯ୍ୟରେ ବେଶ୍ ଅଗ୍ରଗତି କରିଛନ୍ତି । ସୁରକ୍ଷା ପାଇଁ ପୋଲିସ କ୍ରାଉଡ଼ କଂଟ୍ରୋଲ କରିବେ । ଆଇନମନ୍ତ୍ରୀ ଜଗନ୍ନାଥ ସାରକା ସମସ୍ତଙ୍କ ସହଯୋଗ ଲୋଡ଼ିବା ସହ ଶ୍ରୀଗୁଣ୍ଡିଚା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ସବୁ କାର୍ଯ୍ୟକୁ ସମସ୍ତେ ସହଯୋଗ କରିବା ପାଇଁ ନିବେଦନ କରିଥିଲେ ।

ଏହି ବୈଠକରେ ଶକ୍ତିମନ୍ତ୍ରୀ ପ୍ରତାପ ଦେବ, ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ପୂର୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଉଚ୍ଚଶିକ୍ଷା ମନ୍ତ୍ରୀ ଅତୁନ ସବ୍ୟସାଚୀ ନାୟକ, କେନ୍ଦ୍ରାଚଂଳ ଆଇଜି ଆଶିଷ ସିଂହ, ଅତିରିକ୍ତ ଡ଼ିଜି ସଞ୍ଜିବ ପଣ୍ଡା, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ସଂସ୍କୃତି ମନ୍ତ୍ରୀ ଅଶ୍ଵିନୀ ପାତ୍ର, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଅତିରିକ୍ତ ଶାସନ ସଚିବ ଅନୁ ଗର୍ଗ, ଏସପି କେ.ବିଶାଲ ସିଂହ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କ ସମତେ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ଶ୍ରୀମନ୍ଦିର ସେବାୟତଗଣ, ବିଭିନ୍ନ ବିଭାଗ ଅଧିକାରୀ, ବୁଦ୍ଧିଜୀବୀ ଓ ସାମ୍ବାଦିକମାନେ ଯୋଗ ଦେଇଥିଲେ । ଶେଷରେ କେନ୍ଦ୍ରାଚଂଳ ରାଜସ୍ବ ଆୟୁକ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *