ରତ୍ନଭଣ୍ଡାର ପ୍ରସଙ୍ଗ : ହାଇକୋର୍ଟଙ୍କ ନୋଟିସ୍ ର ତୁରନ୍ତ ଜବାବ୍ ରଖନ୍ତୁ ରାଜ୍ୟ ସରକାର: ସମୀର ମହାନ୍ତି

Spread the love

ଭୁବନେଶ୍ୱର : ରତ୍ନଭଣ୍ଡାର ପ୍ରସଙ୍ଗରେ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ଅତ୍ୟନ୍ତ ସ୍ୱାଗତଯୋଗ୍ୟ । ଆଶା କରୁଛୁ ଜଗନ୍ନାଥପ୍ରେମୀଙ୍କୁ ବହୁ ଶୀଘ୍ର ନ୍ୟାୟ ମିଳିବ ବୋଲି ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି । ଏହାସହ ହାଇକୋର୍ଟଙ୍କ ନୋଟିସ୍ ର ଜବାବ୍ ରାଜ୍ୟ ସରକାର ତୁରନ୍ତ ଦେବାକୁ ସେ ଦାବି କରିଛନ୍ତି ।

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମହଣ ମହଣ ସୁନା ଅଳଙ୍କାର ରତ୍ନଭଣ୍ଡାରରେ ଗଛିତ ରହିଛି । ରତ୍ନ ଭଣ୍ଡାର ଖୋଲି ଏହା ଭିତରେ ଥିବା ସମସ୍ତ ଅଳଙ୍କାରର ବାସ୍ତବ ସ୍ଥିତି ସଂପର୍କରେ ଜଗନ୍ନାଥପ୍ରେମୀଙ୍କୁ ଅବଗତ କରାଇବାର ରାଜ୍ୟ ସରକାରଙ୍କ ଦାୟୀତ୍ୱ । ସମସ୍ତ ଜଗନ୍ନାଥପ୍ରେମୀ ଚାହିଁ ବସିଛନ୍ତି ଯେ, ସରକାର କେବେ ରତ୍ନଭଣ୍ଡାର ଖୋଲିବେ । ମାତ୍ର ବିଭିନ୍ନ ଆଳ ଦେଖାଇ ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲୁନାହାନ୍ତି । ରାଜ୍ୟ ସରକାର ଜଗନ୍ନାଥ ଭକ୍ତଙ୍କ ଆସ୍ଥା ଓ ବିଶ୍ୱାସ ସହ ଖେଳିବା ଘଟଣା ଜଗନ୍ନାଥପ୍ରେମୀଙ୍କୁ ବ୍ୟଥୀତ କରିଛି । ରାଜ୍ୟ ସରକାର ରତ୍ନଭଣ୍ଡାର ନଖୋଲିବାକୁ ନେଇ ଜଣେ ଭକ୍ତ ଭାବେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ମାନ୍ୟବର ହାଇକୋର୍ଟଙ୍କ ନିକଟରେ ଦ୍ୱାରସ୍ଥ ହୋଇଥିଲେ । ମାନ୍ୟବର ହାଇକୋର୍ଟ ଏହି ପ୍ରସଙ୍ଗକୁ ଅତ୍ୟନ୍ତ ଗୁରୁତ୍ୱର ସହ ଗ୍ରହଣ କରି ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରୀ କରିଛନ୍ତି । ଶ୍ରୀ ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ. ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଏଏସଆଇ ଡିଜି ଏବଂ ଏଏସଆଇ ଅଧୀକ୍ଷକ ୪ ଜଣଙ୍କୁ ନୋଟିସ ଜାରୀ କରି ଆସନ୍ତା ଅଗଷ୍ଟ ୭ ତାରିଖରେ ପରବର୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ।

ପ୍ରଥମେ ଚାବି ହଜିବା, ପରେ ଡୁପ୍ଲିକେଟ୍ ଚାବି ମିଳିବା, ଡୁପ୍ଲିକେଟ ଚାବି ମିଳିବା ସତ୍ୱେ ରତ୍ନଭଣ୍ଡାର ଖୋଲାଯାଇନପାରିବା ଘଟଣା ଜଗନ୍ନାଥପ୍ରେମୀଙ୍କୁ ବିବ୍ରତ କରିଥିଲା । ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ରିପୋର୍ଟକୁ ମଧ୍ୟ ରାଜ୍ୟ ସରକାର ବିଧାନସଭାରେ ଉପସ୍ଥାପିତ କରିଲେ ନାହିଁ । ରତ୍ନଭଣ୍ଡାର ଖୋଲିବା ଏବଂ ଏହାର ସୁରକ୍ଷାକୁ ନେଇ ଜଗନ୍ନାଥପ୍ରେମୀଙ୍କ ଚିନ୍ତା, ଭାବାବେଗ ଏବଂ ଅସନ୍ତୋଷକୁ ମାନ୍ୟବର ହାଇକୋର୍ଟ ହୃଦୟଙ୍ଗମ କରିଛନ୍ତି । ବର୍ତ୍ତମାନ ଆଇନଗତ ଲଢେଇ ପାଇଁ ବାଟ ଫିଟିଲା ଏବଂ ରାଜ୍ୟ ସରକାର ଜବାବ୍ ରଖିବା ପାଇଁ ବାଧ୍ୟ ହେବେ । ଏହା ପରେ ରାଜ୍ୟ ସରକାର ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ଯଥାଶୀଘ୍ର ରତ୍ନଭଣ୍ଡାର ଖୋଲାଯିବା ପାଇଁ ବିହୀତ ପଦକ୍ଷେପ ଗ୍ରହଣ କରିବେ ବୋଲି ମହାନ୍ତି ଆଶାବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *