ରାଜସ୍ୱ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍..

କୌଣସି କାମ ସଠିକ ଢଙ୍ଗରେ ଠିକ୍ ସମୟରେ ହୋଇପାରୁନି। ତଳସ୍ତରରେ ସମାଧାନ ହେଉଥିଲେ ଲୋକେ ଭୁବନେଶ୍ୱର କାହିଁକି ଆସନ୍ତେ। ସେଥିଲାଗି ଲୋକଙ୍କ ସମସ୍ୟା ଧୈର୍ଯ୍ୟର ସହ ଶୁଣନ୍ତୁ ଆଉ ସମୟସୀମାରେ ସମାଧାନ ଲାଗି ଚେଷ୍ଟା କରନ୍ତୁ। ମାସ ମାସ ଧରି ଅଭିଯୋଗ ପଡ଼ିରହୁଛି। ଶୁଣୁନାହାନ୍ତି ଅଫିସର। ଏମିତି କରନ୍ତୁନି କହି ରାଜସ୍ୱ ଅଧିକାରୀଙ୍କୁ ତାଗିଦ୍ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆରଆଇ, ଅମିନ ମୁଣ୍ଡରେ ଦୋଷ ଲଦି ଖସିପାରିବେନି ତହସିଲଦାର। ଏଣିକି କୌଣସି ଦୁର୍ନୀତି ଲାଗି ତହସିଲଦାର ବି ସମପରିମାଣରେ ଉତ୍ତରଦାୟୀ ରହିବେ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଲୋକସେବା ଭବନର କନଭେନସନ ହଲରେ ଆୟୋଜିତ ରାଜସ୍ୱ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀରେ ଏଭଳି ଚେତାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ତହସିଲ ଅଫିସ ଭୟ ନୁହେଁ, ବିଶ୍ୱାସର ସ୍ଥାନ ହେବା ଜରୁରୀ। ଜମି ଜବରଦଖଲ ସମସ୍ୟା ବଢ଼ିବାରେ ଲାଗିଛି। ଜମିଜମା ମାମଲାର କାହିଁକି ତ୍ୱରିତ ସମାଧାନ ହେଉନି। ଲଘୁଖଣିଜ ଦ୍ରବ୍ୟର ଚୋରାଚାଲାଣ ବଢ଼ିଚାଲିଛି  ଲଘୁ ଖଣିଜ ଦ୍ରବ୍ୟର ପରିଚାଳନା ଭାର ରାଜସ୍ୱ ବିଭାଗରୁ ଖଣି ଓ ଇସ୍ପାତ ବିଭାଗକୁ ଗଲା। ତଥାପି ଚୋରା ଚାଲାଣ ବନ୍ଦ ହେଉନି। ଆଗକୁ ଏହି ଭାର ରାଜସ୍ୱ ବିଭାଗକୁ ଫେରିବ। ରାଜସ୍ୱ ମନ୍ତ୍ରୀ  ସୁରେଶ ପୂଜାରୀ ବି ଅଧିକାରୀଙ୍କୁ ଦେଇଛନ୍ତି ଟାସ୍କ। ଲୋକଙ୍କୁ ଭିଆଇପି ସେବା ଦିଅ। ତହସିଲ ଅଫିସକୁ ପିପୁଲ୍ସ ଫ୍ରେଣ୍ଡଲି କର। ଲୋକଙ୍କ ପ୍ରତି ଭଲ ବ୍ୟବହାର ଦେଖାଅ। ୫୧ଟି ବିଭାଗର ମେରୁଦଣ୍ଡ ହେଉଛି ରାଜସ୍ୱ ବିଭାଗ। ଡିମାର୍କେସନରେ ଅହେତୁକ ବିଳମ୍ୱ ସାଙ୍ଗକୁ ଲୋକଙ୍କୁ ଦୌଡ଼ାଉଛନ୍ତି ତହସିଲଦାର। ମାଲକାନଗିରିରୁ ବି ଲୋକେ ମନ୍ତ୍ରୀଙ୍କ ପାଖକୁ ଫେରାଦ ହେବାକୁ ଆସୁଛନ୍ତି। ଏଣିକି ଏହା ଚଳିବନି। ମନ୍ତ୍ରୀଙ୍କ ପାଖକୁ ଲୋକେ ଆସିବା ଯେବେ ବନ୍ଦ କରିବେ, ସେବେ ହିଁ ରାଜସ୍ୱ ସେବା ଠିକ୍ ବାଟରେ ଚାଲିଛି ବୋଲି କୁହାଯିବ। ଦୁର୍ନୀତିକୁ ବରଦାସ୍ତ କରାଯିବନି। ବ୍ୟବସ୍ଥାକୁ ଅପଡେଟ୍ କରିବାକୁ ପଡ଼ିବ। ସରକାରଙ୍କ ପାଖରେ ସିନା ରାଜନୈତିକ ଇଛାଶକ୍ତି ଅଛି। ଅର୍ଥ ସହ ମାନବସମ୍ୱଳ ଅଛି। କିନ୍ତୁ ଅଧିକାରୀଙ୍କ ପାଖରେ ଆତ୍ମବିଶ୍ୱାସର ଅଭାବ ରହିଛି। ଏଭଳି କହି ଗୋହି ଖୋଳିଛନ୍ତି ମୁଖ୍ୟ ଶାସନ ସଚିବ। ରାଜସ୍ୱ ସେବା ଯୋଗାଇବାରେ କର୍ଣ୍ଣାଟକ ମଡେଲର ନଜିର ଦେଇଥିଲେ ମନୋଜ ଆହୁଜା ସେଠାରେ ୭୦ ପ୍ରତିଶତ ବନ୍ଦୋବସ୍ତ ସ୍ୱୟଂଶାସିତ ହୋଇଛି। ସେଥିଲାଗି ଆରଆଇରୁ ଉପରିସ୍ଥ ଅଧିକାରୀଙ୍କ ପର୍ଯ୍ୟନ୍ତ, ଏକ ଅନଲାଇନ ସିଷ୍ଟମ ଜରୁରୀ। ସମସ୍ତ ରାଜସ୍ୱ ଅଫିସରେ ହେଲ୍ପଡେସ୍କ ରଖିବାକୁ ପରାମର୍ଶ ଦେଇଛନ୍ତି। ରାଜସ୍ୱ ସେବାରେ ସଂସ୍କାର ଜରୁରୀ। ଅଧିକାରୀଙ୍କ ମାନସିକତା ବଦଳିବା ଦରକାର। ତା ନହେଲେ ସରକାର କେବଳ ତାଗିଦ୍ କରୁଥିବେ। ଆଉ ଅଧିକାରୀ ସେବା ବଦଳରେ ଲୋକଙ୍କୁ ହଇରାଣ କରିବା ସାର ହେବ। ଦୁଇ ଦିନିଆ କର୍ମଶାଳାର ପ୍ରଥମ ଦିନରେ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ତହସିଲଦାର ଉପସ୍ଥିତ ଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *