କାହା ପାଇଁ କାମ କରୁଛନ୍ତି ତହସିଲଦାର- ସରକାର ନା କମ୍ପାନୀ ପାଇଁ- ପ୍ରଶ୍ନ କଲେ ରାଜସ୍ୱ ସଚିବ

ସରକାର କି ଲୋକଙ୍କ ପାଇଁ ନୁହେଁ। କମ୍ପାନୀ ପ୍ରୀତିରେ ଉବୁଟୁବୁ ଅଫିସର। ଲୋକଙ୍କ ସ୍ୱାର୍ଥ ଓ ସରକାରୀ ସର୍କୁଲାର ଲାଗି ଯେତିକି ଚିନ୍ତା ନାହିଁ। ସେତିକି ଚିନ୍ତା କମ୍ପାନୀ ଲାଗି। ଏହାର ଜ୍ୱଳନ୍ତ ନଜିର ଲୋକସେବା ଭବନରେ ଦୁଇଦିନିଆ ରାଜସ୍ୱ ଅଧିକାରୀଙ୍କ ସମ୍ମିଳନୀରେ ଦେଖିବାକୁ ମିଳିଛି। ମଞ୍ଚରେ ବସିଥାଆନ୍ତି ଉପ-ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବ ଓ ରାଜସ୍ୱ ସଚିବ। ପ୍ରଶ୍ନ କରିଥିଲେ ରାଇରଙ୍ଗପୁର ତହସିଲଦାର। ଗ୍ରାମସଭା ଓ ଜମି ଅଧିଗ୍ରହଣ ସମ୍ପର୍କିତ ପ୍ରଶ୍ନ ପଚାରୁ ପଚାରୁ ଆଗ ତହସିଲଦାର ଆରମ୍ଭ କରିଥିଲେ କମ୍ପାନୀ କହୁଛି ଫର୍ମାଟରୁ। ରାଇରଙ୍ଗପୁରରେ ରୁଙ୍ଗଟା କମ୍ପାନୀ କୁଆଡ଼େ ବାରମ୍ୱାର ଗ୍ରାମସଭା ଜଲଦି କରାଇବାକୁ କହୁଛି। ଆଗ ସରକାରୀ ଜମି ଅଧିଗ୍ରହଣ କରାଇଦିଅନ୍ତୁ। ପଛେ ପ୍ରାଇଭେଟ୍ ଜମି ଅଧିଗ୍ରହଣ କଥା ଭାବିବା କହି ତହସିଲଦାରଙ୍କୁ ଫେରାଦ୍ ହେଉଛନ୍ତି। ତେବେ ପ୍ରଶ୍ନ ସରିନି। ଏ କଥା ଶୁଣୁଶୁଣୁ ରାଗିବା ସହ ତୀବ୍ର ଅସନ୍ତୋଷ ଝାଡ଼ିଥିଲେ ରାଜସ୍ୱ ସଚିବ ଦେଓରଞ୍ଜନ ସିଂ। ସଂପୃକ୍ତ ତହସିଲଦାରଙ୍କୁ ରାଜସ୍ୱ ସଚିବ ପଚାରିଥିଲେ, ସେ ବାସ୍ତବରେ କାହା ପାଇଁ କାମ କରନ୍ତି। ଲୋକ, ସରକାର ନା କମ୍ପାନୀ ଲାଗି। ଏତିକିରେ ସରିନଥିଲା ସଚିବଙ୍କ ରୋଷ। ତହସିଲଦାରଙ୍କ ମନୋଭାବରେ ଏଭଳି ବିଷର ମଞ୍ଜି କିଏ ବୁଣିଛି ବୋଲି ଜାଣିବାକୁ ଚାହିଁଥିଲେ। କାରଣ ତହସିଲଦାରଙ୍କ ଏ ପ୍ରଶ୍ନରେ ସେତେବେଳକୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବି ବିଚଳିତ ହୋଇସାରିଥିଲେ। ଆଉ ମନ୍ତ୍ରୀ କହିବା ମାତ୍ରେ ତାଙ୍କୁ ଅନୁମତି ମାଗି ମଝିରେ ହସ୍ତକ୍ଷେପ କରି ସଚିବ ଯେଉଁ ଅନ୍ଦାଜରେ ତହସିଲଦାରଙ୍କୁ ବୁଝାଇଥିଲେ, ସେଠାରେ କେବଳ ରାଇରଙ୍ଗପୁର ତହସିଲଦାର ନୁହଁନ୍ତି। ବାକି ଯେଉଁ ତହସିଲଦାର ବି ନାନା ପ୍ରାଇଭେଟ୍ କମ୍ପାନୀ ପ୍ରୀତି ପାଇଁ ବିକଳ ହେଉଥିଲେ। ସେମାନେ ବି ବେଶ୍ ବୁଝିସାରିଥିଲେ ସରକାରଙ୍କ ସ୍ପଷ୍ଟ ବାର୍ତ୍ତାକୁ। ବିଭିନ୍ନ କମ୍ପାନୀ ପାଇଁ ଜମି ଅଧିଗ୍ରହଣ ବେଳେ ନାନା ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଅନେକ ନଜିର ରହିଛି। ଗ୍ରାମବାସୀଙ୍କ ବିନା ସହମତିରେ ନାମକୁ ମାତ୍ର ପଲ୍ଲୀସଭା କରି କମ୍ପାନୀକୁ ଅଫିସରଙ୍କ ଅନୁଚିତ ଅନୁଗ୍ରହ ଦେଖାଇବାର ଅନେକ ଦୃଷ୍ଟାନ୍ତ ବି ରହିଛି। ରୁଙ୍ଗଟା ରାଇରଙ୍ଗପୁର ସବଡିଭିଜନରେ ମେଗା ଷ୍ଚିଲ ପ୍ଲାଣ୍ଟ ଲାଗି ଯୋଜନା କରିଛି। ଆନନ୍ଦପୁର, କଣ୍ଟାବଣି, ଦଣ୍ଡାବୋଷ, ପୁରୁଣାପାଣି ପଞ୍ଚାୟତବାସୀ ଏହାକୁ ବିରୋଧ କରୁଥିଲେ। ଆଉ ରାଇରଙ୍ଗପୁର ତହସିଲଦାରଙ୍କ ରୁଙ୍ଗଟାକୁ ନେଇ ପ୍ରଶ୍ନ ସରକାରୀ ସିଷ୍ଟମରେ କେତେ ଘଳିଆ ଅଛି, ତାକୁ ଯେମିତି ଉଜାଗର କରୁଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *