ଓଡ଼ିଶାରାଜନୀତି

ଚର୍ଚ୍ଚାରେ ଦେବଗଡ ବିଧାୟକ

()  ପୁଣି ଚର୍ଚ୍ଚାରେ ଦେବଗଡ ବିଧାୟକ ସୁବାଷ ପାଣିଗ୍ରାହୀ। ଦେବଗଡ ପୌରପରିଷଦ ପକ୍ଷରୁ ମୁକ୍ତା ଯୋଜନାରେ ନିର୍ମାଣଧୀନ ପ୍ରକଳ୍ପକୁ ବିଧାୟକଙ୍କ ସମର୍ଥକଙ୍କ ଭଙ୍ଗାରୁଜା ଘଟଣାକୁ ନେଇ ରାଜନୀତି ତେଜିଛି। ବିଧାୟକଙ୍କୁ ଗିରଫ କରିବା ଦାବିରେ ବିଜେଡି ରାଜରାସ୍ତାକୁ ଓହ୍ଲାଇଛି। ସେପଟେ ବିଧାୟକଙ୍କ  କିଛି ସମର୍ଥକଙ୍କୁ ଗିରଫ କରିଛି ପୁଲିସ। ତେବେ ବିଧାୟକଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି।

ସୁବାଷ ପାଣିଗ୍ରାହୀ। ଦେବଗଡ଼ର ବିଜେପି ବିଧାୟକ। ହେଲେ ନିଜ ଆଚରଣ ଲାଗି ସବୁବେଳେ ଚର୍ଚ୍ଚାରେ। ନିର୍ବାଚନମଣ୍ଡଳୀରୁ ନେଇ ବିଧାନସଭା ଯାଏ। ଆଉ ଏବେ ଦେବଗଡ଼ ପୌରପରିଷଦ ପକ୍ଷରୁ ମୁକ୍ତା ଯୋଜନାରେ ମହିଳା ଏସଏଚଜିଙ୍କ ଦ୍ୱାରା ନିର୍ମାଣାଧୀନ ପ୍ରକଳ୍ପକୁ ଭାଙ୍ଗି ଚର୍ଚ୍ଚାରେ। ବିଧାୟକଙ୍କ ଉପସ୍ଥିତିରେ ତାଙ୍କ ସମର୍ଥକ ଟାଉନ ହଲ ସମ୍ମୁଖ ପାଚେରୀକୁ ଭାଙ୍ଗି ହରଡ଼ଘଣାରେ। ଆଉ ଭଙ୍ଗାରୁଜା ହେଉଥିଲା ବେଳେ ଖବର ପାଇ ଗଣମାଧ୍ୟମ ପ୍ରତିନିଧି ପହଞ୍ଚିବା ପରେ ସେମାନେ ବି ବିଧାୟକ ଓ ସେମାନଙ୍କ ସମର୍ଥକଙ୍କ ଆକ୍ରୋଶର ଶୀକାର ହୋଇଥିଲେ। ଫଟୋ ଉଠାଇବାକୁ ବାରଣ କରିବା ସହ ମୁହଁ ଖୋଲିନଥିଲେ କ୍ୟାମେରା ଆଗରେ ବିଧାୟକ। ତେବେ ସର୍ବସମ୍ମୁଖରେ ବିଧାୟକଙ୍କ ଏଭଳି ଦାଦାଗିରିକୁ କେବଳ ଏସଏଚଜି ଦଳ ନିନ୍ଦା କରିନାହାନ୍ତି। ଖୋଦ୍ ବିଜେପି ସାଂସଦ ନୀତେଶ ଗଙ୍ଗଦେବଙ୍କ ପତ୍ନୀ  ଅରୁନ୍ଧତୀ ଦେବୀ ବି ନିନ୍ଦା କରିଛନ୍ତି। ଜିଲ୍ଲାର ବିକାଶରେ ଏଭଳି ବାଧକ ସାଜିବାକୁ ନାପସନ୍ଦ କରିଛନ୍ତି।

ସେପଟେ ଜିଲ୍ଲା ବିଜେଡି ପକ୍ଷରୁ ବିଧାୟକଙ୍କ ସମେତ ସମସ୍ତ ଦୋଷୀଙ୍କ ବିରୁଦ୍ଧରେ ଆକ୍ସନ ଲାଗି ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଛି। ମଠସାହି ସ୍ଥିତ କନକଦୁର୍ଗା ମନ୍ଦିରରୁ ବାହାରି ଶତାଧିକ ବିଜେଡି କର୍ମୀ ଓ ଏସଏଚଜି ସଦସ୍ୟା ନଗର ପରିକ୍ରମା କରି ବିଧାୟକଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଆଉ ରାଜ୍ୟ ମୁଖ୍ୟାଳୟରେ ବି ପ୍ରେସମିଟ୍ କରି ବିଧାୟକଙ୍କ ବିରୁଦ୍ଧରେ ବର୍ଷିଛି ବିଜେଡି। ବିଧାୟକଙ୍କୁ ଅଭ୍ୟାସଗତ ଅପରାଧୀ କହିଛି ବିଜେଡି। ଏସଏଚଜି ମହିଳାଙ୍କୁ ଭୁଲ୍ ନ ମାଗିଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାଇଦେଇଛି। ଏହାରି ଭିତରେ ଭଙ୍ଗାରୁଜା ଘଟଣାରେ ସଂଶ୍ଳିଷ୍ଟ ବିଧାୟକଙ୍କ କିଛି ସମର୍ଥକଙ୍କୁ ଗିରଫ କରିଛି ପୁଲିସ। ସିସିଟିଭି ଫୁଟେଜ ଆଧାରରେ ଗିରଫଦାରି ସଂଖ୍ୟା ବଢ଼ିବ ବୋଲି କୁହାଯାଉଛି।

ବିଧାୟକ ସୁବାଷ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା ମିଳିପାରିନି। ତେବେ ଠିକା କାମକୁ ନେଇ ଏମିତି କାଣ୍ଡ କାରଖାନା ହେଲା ବୋଲି ସବୁଠି ଚର୍ଚ୍ଚା। ଦେଖିବାର କଥା, ଆଗକୁ ଏ ଘଟଣା କି ମୋଡ଼ ନେଉଛି।

ଭୁବନେଶ୍ୱରରୁ ସିମ୍ପୁଲ ନାୟକଙ୍କ ସହ ଦେବଗଡ଼ରୁ ପ୍ରତାପ କିଶୋର ନାୟକଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button