ନୂଆଣିଆ ଚାଳ ଛପର ଘରେ ଏକୁଟିଆ ବୁଢ଼ୀ ମାଉସୀ ବଂଚିବାକୁ କରୁଛି ସଂଗ୍ରାମ। ଦିନ ବେଳା ଘର ଭିତରେ କୀଟ କୀଟ ଅନ୍ଧାର ସାଙ୍ଗକୁ ଟର୍ଚ୍ଚ ସାଜୁଛି ଜୀବନ ସାଥି। ସେପଟେ କଣ୍ଟ୍ରୋଲରେ ମିଳିଥିବା ଅରୁଆ ଚାଉଳ ବିକିଲେ ସେଥିରେ ଲୁଣ ଆଳୁ କିଣି ରୋଷେଇ କରି ଖାଇବା ପାଇଁ ପ୍ରୟାସ। ହାଡ ଭଙ୍ଗା ଶୀତ କେଇଖଣ୍ଡ ପିନ୍ଧା ଲୁଗା ସାଜିବ ଜୀବନ ସାଥି।
ବୟସର ଅପରାହ୍ନରେ ବଂଚିବାକୁ ସଂଗ୍ରାମ କରୁଛନ୍ତି ୭୦ବର୍ଷୀୟ ବୃଦ୍ଧା। ନୂଆଣିଆ ଚାଳ ଛପର ଘରେ ଜୀବନ କାଟୁଛନ୍ତି ଏହି ବୃଦ୍ଧା ଜଣଙ୍କ। କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଜୟନଗର ପଞ୍ଚାୟତ ଏଣ୍ଡୁଳାପୁର ଗାଁର ବୃଦ୍ଧା ହେଉଛନ୍ତି ପାସୋରି ମାଉସୀ । ଆଖିକୁ ଭଲ ଭାବରେ ଦିଶୁ ନଥିବା ବେଳେ ସେପଟେ ଦେହ ହାତ ଥରୁଛି। ଦିନ ବେଳା ଘର ଭିତରେ କୀଟ କୀଟ ଅନ୍ଧାର ସାଙ୍ଗକୁ ଟର୍ଚ୍ଚ ଲାଇଟ ସାଜୁଛି ଜୀବନ ସାଥି। ବେଳେ ଖାଇଲେ ଆଉ ଦୁଇବେଳା ଓପାସ ରହିବାକୁ ପଡୁଛି। ସେପଟେ କଣ୍ଟ୍ରୋଲରେ ମିଳିଥିବା ଚାଉଳ ବିକିଲେ ସେଥିରେ ଲୁଣ ଆଳୁ କିଣି ରୋଷେଇ କରି ଖାଇବାକୁ ପଡୁଛି। ଏବେ ହାଡ ଭଙ୍ଗା ଶୀତରେ ବଞ୍ଚିବା କଷ୍ଟକର ହୋଇପଡିଛି ଏହି ବୃଦ୍ଧାଙ୍କ ପାଇଁ ।
ନିର୍ବାଚନ ଆସିଲେ ମାଳ ମାଳ ନେତା ଭୋଟ ପାଇଁ ଦୁଆରେ ଦୁଆରେ ବୁଲି ଭୋଟ ଭିକ୍ଷା କରିଥାନ୍ତି। ହେଲେ ଏବେ ପାସୋରି ମାଉସୀଙ୍କୁ କିଏ ପଚାରେ। ସ୍ୱାମୀ ଚାଲିଯିବା ପରେ ଝିଅଟିର ମୁହଁ ଚାହିଁ ବଞ୍ଚି ଥିଲା।ଏବେ ଝିଅ ବାହା ହେଇଯିବା ପରେ ଏକୁଟିଆ ହୋଇଯାଇଛି ପାସୋରି ମାଉସୀ ।ଏମିତି ଦିନ ଦୁଃଖିଙ୍କୁ ସାହାଯ୍ୟ ପାଇଁ ସରକାରଙ୍କ ନିକଟରେ ଆକୁଳ ନିବେଦନ କରିଛନ୍ତି ଗ୍ରାମର ଲୋକେ । ଯଦି ସରକାର କିମ୍ୱା ସ୍ଥାନୀୟ ପ୍ରଶାସନ ପକ୍ଷରୁ କିଛି ସାହାଯ୍ୟ ସହଯୋଗ ମିଳିପାରନ୍ତା ତାହା ହେଲେ ବାକି ଜୀବନଟା ସୁରୁଖୁରୁରେ କଟିଯିବ ବୋଲି ଆଶା।
ତେବେ ସରକାର ଏହି ବୃଦ୍ଧାଙ୍କ ପାଇଁ କି ପଦକ୍ଷେପ ନେଉଛନ୍ତି ତାକୁ ହିଁ ଅପେକ୍ଷା।
Naxatra News is now on Whatsapp
Join and get latest news update delivered to you via whatsapp
Join Now