ମନ୍ତ୍ରଧ୍ବନିରେ ପ୍ରକମ୍ପିତ ଖଣ୍ଡଗିରି

() ଐତିହ୍ୟ ଖଣ୍ଡଗିରି ପାହାଡ଼ରେ ପ୍ରସିଦ୍ଧ ନବଦିନାତ୍ମକ କୁମ୍ଭମେଳା ଶନିବାରଠୁ ଆରମ୍ଭ ହୋଇଛି। ସାଧୁସନ୍ଥଙ୍କ ମନ୍ତ୍ରଧ୍ୱନି ସହ ଭଜନକୀର୍ତ୍ତନରେ ପୁରା ଅଞ୍ଚଳ ଆଧ୍ୟାତ୍ମିକତାରେ ଗୁଞ୍ଜରିତ ହେଉଛି। ସେପଟେ ୩୦ ରୁ ଜମିବ ଯାତ୍ରା ଲଢ଼େଇ। ଏଥର କୋଭିଡ୍ ଗାଇଡଲାଇନ ସହ ଯାତ୍ରାରେ ଅଶ୍ଳୀଳତାକୁ ନା ଆଧାରରେ ୯ ଦିନ ଧରି ତପୋଭୂମି କମ୍ପିବ।
ପବିତ୍ର ମାଘସପ୍ତମୀରୁ ଆରମ୍ଭ ହୋଇଛି ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା। କିମ୍ୱଦନ୍ତୀ ଅନୁସାରେ ଅର୍କକ୍ଷେତ୍ର କୋଣାର୍କର ଚନ୍ଦ୍ରଭାଗା କୂଳରେ ବୁଡ଼ ପକାଇ ସୂର୍ଯ୍ୟ ଉପାସନା ଲାଗି ଶ୍ରୀକୃଷ୍ଣଙ୍କ ପୁତ୍ର କୁଷ୍ଠ ବ୍ୟାଧିରୁ ମୁକ୍ତି ପାଇଥିଲେ। ଏହି ଉପାସନା ବ୍ରତ ଭିତରେ ସେ ଖଣ୍ଡଗିରିରେ କିଛିଦିନ ଅବସ୍ଥାନ କରିଥିବାର କଥାବସ୍ତୁର ପୃଷ୍ଠଭୂମିରୁ ଖଣ୍ଡଗିରୁ ମେଳାର ଆରମ୍ଭ ବୋଲି କୁହାଯାଏ। ଚନ୍ଦ୍ରଭାଗାରେ ସୂର୍ଯ୍ୟୋଦୟର ପ୍ରଥମ ରଶ୍ମି ଉଦୟଗିରିରେ ଝଲସି ଉଠୁଥିଲା। କୁମ୍ଭମେଳା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ସାଧୁସନ୍ଥଙ୍କ ସମାଗମ ଦେଖିବାକୁ ମିଳିଛି। ପାହାଡ଼ ତଳେ ମେଳା, ବଜାର ସହ ୩୦ରୁ ଯାତ୍ରା ମହାସମରର ମଜ୍ଜା ନେବେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ। ଦୂର ଦୂରାନ୍ତରୁ ଆସିଥିବା ସାଧୁସନ୍ଥ ଆସ୍ଥାନ ଜମେଇ ସାରିଛନ୍ତି। ଯଜ୍ଞକୁଣ୍ଡ ସ୍ଥାପନ ସହ ଆନୁସଙ୍ଗିକ ବନ୍ଦୋବସ୍ତ କାମକୁ ସନ୍ୟାସୀ ସମ୍ପନ୍ନ କରିଛନ୍ତି।
ପବିତ୍ର ଗୁପ୍ତଗଙ୍ଗା ଓ ଆକାଶଗଙ୍ଗାରେ ସାଧୁ ରହିଛନ୍ତି। କାଶୀ, ହରିଦ୍ୱାରରୁ ଆସିଥିବା ଷ୍ଟାଣ୍ଡିଂ ବାବା, ରୁଦ୍ରାକ୍ଷ ବାବା, ଡାକ୍ତର ବାବା, ଜଟିଆ ବାବା ତପସ୍ୟା ଆରମ୍ଭ କରିସାରିଲେଣି। ଅନେକ ବିଦେଶୀ ଭକ୍ତଙ୍କୁ ବି ବାବାଙ୍କ ଆଶୀର୍ବାଦ ନେଉଥିବାର ଦେଖିବାକୁ ମିଳିଛି। ବିଏମସି ପକ୍ଷରୁ ଅନୁମତି ପାଇବା ପରେ ବ୍ୟବସାୟୀ ଷ୍ଟଲ ପକାଇଛନ୍ତି। ୨୫୦ରୁ ଅଧିକ ଷ୍ଟଲ୍ ରେ କିଣାବିକା ଜମିବ ଏଥର। ଖଣ୍ଡଗିରି ମେଳାର ଅନ୍ୟତମ ଆକର୍ଷଣ ରାମଦୋଳି, ବ୍ରେକ୍ ଡ୍ୟାନ୍ସ, ଡ୍ରାଗନ୍, ମିକି ମାଉସ୍ ଭଳି ଦୋଳି ପ୍ରସ୍ତୁତ। ଆଉ ୩୦ ତାରିଖରୁ ୬ଟି ପେଣ୍ଡାଲରେ ଯାତ୍ରା ମହାସମର ଆରମ୍ଭ ହେବ। ମଞ୍ଚ ପ୍ରସ୍ତୁତି ବି ଶେଷ ପର୍ଯ୍ୟାୟରେ। ମହାମାରୀ ଲାଗି ଦୁଇ ବର୍ଷର କଟକଣା ପରେ ପୁଣିଥରେ ମାଘ ମେଳାରେ ଜମିବ ଯାତ୍ରା କଳାକାରଙ୍କ ମନମତାଣିଆ ସଂଳାପ। ତେବେ ଏଥର ଯାତ୍ରାରେ ଅଶ୍ଳୀଳତାକୁ ପ୍ରଶ୍ରୟ ଦିଆଯିବନି ବୋଲି ସ୍ପଷ୍ଟ କରିଦିଆଯାଇଛି।
ସେପଟେ ଖଣ୍ଡଗିରି ମେଳାକୁ ଶୃଙ୍ଖଳିତ କରିବାକୁ ପୁଲିସ ବି ବ୍ୟାପକ ବନ୍ଦୋବସ୍ତ କରିଛି। ପାର୍କିଂରୁ ନେଇ ଭିଡ଼ ନିୟନ୍ତ୍ରଣ। ପକେଟମାର୍, ଛିନତାଇକୁ ରୋକିବାକୁ ସ୍ୱତନ୍ତ୍ର ସ୍କ୍ୱାର୍ଡ ହୋଇଛି। ସିସିଟିଭି ସ୍କାନରରେ ରହିବ ପୁରା ମେଳା।
ଗିରି ଗହ୍ୱରରେ ଜପତପ ଆରମ୍ଭ ହୋଇଛି। ସାଧୁସନ୍ଥଙ୍କ ତପସ୍ୟା, ଯଜ୍ଞ ଓ ମନ୍ତ୍ରଧ୍ୱନିରେ କେବଳ ଗୁଞ୍ଜରିତ ହେଉନି ତପୋଭୂମି। ତା ସହ ମେଳା, ବଜାର ବୁଲିବାର ଆନନ୍ଦ ସହ ୩୦ରୁ ଯାତ୍ରା ଦେଖି ଉଲ୍ଲସିତ ହେବେ ଲୋକେ। ଦୀର୍ଘ ୪୧ ବର୍ଷ ଧରି ବାରଭୂଜା ପୀଠରେ ନବରାତ୍ର କୁମ୍ଭମେଳାରେ ଦୈନିକ ୫୦ ହଜାରରୁ ବେଶୀ ଲୋକଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି। ନାଗାସାଧୁଙ୍କ ସମେତ ଶତାଧିକ ସନ୍ୟାସୀଙ୍କ ସମାବେଶ ଭିନ୍ନ ପରିବେଶ ସୃଷ୍ଟି କରିଛି ମାଘସପ୍ତମୀ ଆରମ୍ଭରୁ। ପୂର୍ଣ୍ଣିମାରେ ପୂର୍ଣ୍ଣାହୁତି ପଡ଼ିବ କୁମ୍ଭମେଳାର।
ଅକ୍ଷୟ ମହାରଣା, ସ୍ୱରୂପା ମହାପାତ୍ର ଓ ପ୍ରଦୀପ ନାୟକଙ୍କ ରିପୋର୍ଟ