ଓଡ଼ିଶା

ସଂଜୀବ: ଅକ୍ଷମତା ଯାହାଙ୍କ ପାଖେ ମାନିଛି ହାର

ଜୟପୁର: ଲକ୍ଷ୍ୟ ଆଗରେ ହାର ମାନିଛି ଅକ୍ଷମତା। ଦିବ୍ୟାଙ୍ଗ ହୋଇ ଖେଳୁଛନ୍ତି ଫୁଟବଲ। ସ୍ବପ୍ନ ଭଲ ଖେଳାଳି ହେବେ। ଫୁଟବଲ ଦେଖିଲେ ଗୋଡ ଆପେ ଆପେ ଦୌଡ଼ିବାକୁ ଲାଗେ। ଥରେ ପଡିଆକୁ ଓହ୍ଲାଇଲେ ଖାଲି ଗୋଲ ଉପରେ ଗୋଲ। ସଞ୍ଜ ବୁଡିଲେ ବି ଖେଳ ସରିନି ତାଙ୍କର। ମନରେ ଦୃଢ ଇଚ୍ଛା, ଆଗକୁ ଭଲ ଖେଳି ଦେଶ ପାଇଁ ପଦକ ଆଣିବେ। ଏଭଳି  ଦିବ୍ୟଙ୍ଗ  ବାଳକ ହେଲେ ଜୟପୁର ସହରର ୧୧ ବର୍ଷୀୟ ସଂଜୀଵ ।

ଫୁଟବଲ ଖେଳିବାକୁ ପ୍ରତି ଦିନ ଦଉଡି ଆସନ୍ତି ୧୧ ବର୍ଷୀୟ ସଂଜୀବ। ଶାରୀରିକ ଅକ୍ଷମତା ତାଙ୍କ ଆଗରେ ହାର୍ ମାନିଛି ଯେମିତି । ତାଙ୍କୁ ଅଟକାଇ ପାରେନି କୌଣସି ବାଧା ବିଘ୍ନ। ସାଧାରଣ ପିଲା ବି ତାଙ୍କ ଆଗରେ କିଛି ନୁହଁ । ସମସ୍ତଙ୍କୁ ପଛରେ ପକାଇ ଫୁଟବଲ ପଛରେ ଦୌଡ଼ୁଛନ୍ତି ଜୟପୁରର ଷଷ୍ଠ ଶ୍ରେଣୀର ଛାତ୍ର ସଂଜୀବ । ଜାତୀୟ କ୍ରୀଡା ଦିବସରେ ତାଙ୍କୁ ଦେଖିଲେ ଗୋଟିଏ କଥା ମନେ ପଡେ ଜବ ତକ୍ ଗୋଲ ନେହିଁ ତଵ ତକ ଛୋଡ଼େଙ୍ଗେ ନେହିଁ। ଷ୍ଟ୍ରୋକ, ଡିଫେନ୍ସ  ସବୁଥିରେ ମାହିର ସଂଜୀବ।  ବଲକୁ ଗୋଲ ପୋଷ୍ଟରେ ପହଞ୍ଚାଇବା ଯାଏ ଲକ୍ଷ୍ୟରେ ଏମିତି ମାଡ଼ି ଯାଆନ୍ତି ଯେ, ଯିଏ ଦେଖିବ ସେ ଜାଣିବ ପିଲାଟିର ପଣରେ କେତେ ଶକ୍ତି।

ସେପଟେ ସଂଜୀବ ଙ୍କୁ ସରକାରୀ ସ୍ତରରେ ତାଲିମର ସହାୟତା ମିଳିପାରିଲେ ସେ ଆହୁରି ଆଗକୁ ଯାଇପାରନ୍ତେ ବୋଲି  ସ୍ଥାନୀୟ କ୍ରୀଡାବିତ  କହିଛନ୍ତି।

ସଂଜୀବଙ୍କ ଏଭଳି ଖେଳ ଅନ୍ୟଙ୍କୁ ତାଜୁବ କରିଛି। ଏତେ ଅଳ୍ପ ବୟସରୁ ତାଙ୍କର ଶାରୀରିକ ଅକ୍ଷମତା ଫୁଟବଲ ଖେଳିବାରେ ପ୍ରତିବନ୍ଧକ ସାଜିପାରିନି। ସେ ଖାଲି ଫୁଟବଲ ଖେଳୁଛନ୍ତି ତାହା ନୁହେଁ ମଝିରେ ମଝିରେ ସୁନ୍ଦର ସୁନ୍ଦର ପଲଟି ମାରିବାରେ ଓସ୍ତାଦ୍। ସଞ୍ଜୀବଙ୍କ ସ୍ୱପ୍ନ ସାକାର ହେଉ, ଏତିକି କାମନା।

ରଞ୍ଜନ କୁମାର ମିଶ୍ରଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button