ଅନେକଙ୍କ ପାଇଁ ପ୍ରେରଣା ସରସ୍ୱତୀ ରାଉତ

ଭଦ୍ରକ: ମହିଳାଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ପାଇଁ ଅନେକ ଯୋଜନା କରୁଛନ୍ତି ସରକାର। ମିଶନ ଶକ୍ତି ଜରିଆରେ ଗ୍ରାମୀଣ ମହିଳା ମାନଙ୍କୁ ସର୍ବାଧିକ ଆର୍ଥିକ ସହାୟତା ଯୋଗାଯାଉଛି। ହେଲେ ସରକାରୀ ସହାୟତା ବିନା ନିଜକୁ ସ୍ୱାବଲମ୍ବୀ କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଭଦ୍ରକର ସରସ୍ବତୀ ରାଉତ ।
ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ହାଜିପୁର ଗାଁର ସରସ୍ୱତୀ ରାଉତ । ବିନା ସରକାରୀ ସହାୟତାରେ ସ୍ୱାବଲମ୍ବୀ ହୋଇପାରିଛନ୍ତି ସରସ୍ବତୀ । ଜିଲ୍ଲା ଶିଳ୍ପକେନ୍ଦ୍ର ଜରିଆରେ କ୍ଷୁଦ୍ର ଉଦ୍ୟୋଗ ପାଇଁ ପ୍ରଶିକ୍ଷଣ ନେବା ପରେ ସ୍ୱାବଲମ୍ବୀ ହେବା ପାଇଁ ମନ ବଳାଇଥିଲେ। ତେବେ ସରକାରୀ ଭାବେ କୌଣସି ଋଣ ନଆଣି ନିଜ ପ୍ରଚେଷ୍ଟାରେ କ୍ଷୁଦ୍ର ଉଦ୍ୟୋଗୀ ଭାବେ ଅଣ୍ଟା ଭିଡିଥିଲେ। ଆରୀୟନ ଏଣ୍ଟର ପ୍ରାଇଜେସ ଉଦ୍ୟୋଗକୁ ଚାରି ବର୍ଷ ବିତି ଯାଇଥିଲେ ମଧ୍ୟ ପଛକୁ ଫେରି ନାହାନ୍ତି ସରସ୍ୱତୀ । ଏବେ ସେ ଫିନାଇଲ, ହ୍ୟାଣ୍ଡୱାସ, ବାସନ ମଜା ସାବୁନ ଭଳି ପ୍ରାୟ ୧୦ରୁ ଅଧିକ ସ୍ୱଚ୍ଛତା ଭିତ୍ତିକ ଦ୍ରବ୍ୟ ତିଆରି କରୁଛନ୍ତି। ଏଥିରେ ତାଙ୍କୁ ସାହାଯ୍ୟ କରନ୍ତି ସ୍ୱାମୀ ଉମାକାନ୍ତ ରାଉତ ଓ ପୁଅ, ଝିଅ ।
ଏହାଛଡା କ୍ଷୁଦ୍ର ଉଦ୍ୟୋଗ ପାଇଁ ସେ ଦୁଇଜଣ କର୍ମଚାରୀ ମଧ୍ୟ ନିୟୋଜିତ କରିଛନ୍ତି। ଏସବୁ ଛାଡିଲେ ସରସ୍ୱତୀ କୁକୁଡ଼ା ପାଳନ ସହିତ କୁକୁଡ଼ା ଚିଆଁ ଓ ଦାନା ସୁଲଭ ମୂଲ୍ୟରେ ଉତ୍ସାହୀ ଘରୋଇ ଉଦ୍ୟୋଗୀ ମାନଙ୍କୁ ଯୋଗାଇ ଦେଉଛନ୍ତି । ଏପରିକି ଉତ୍ପାଦିତ ଦ୍ରବ୍ୟକୁ ବିକ୍ରୟ କରି ନିଜ ସଂସ୍ଥାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ମାସକୁ ପ୍ରାୟ ୮ରୁ ୧୦ଲକ୍ଷ ଟଙ୍କାର ବ୍ୟବସାୟ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ପ୍ରଶାସନ ପକ୍ଷରୁ ସାହାଯ୍ୟ ମିଳିଲେ ଅଧିକରୁ ଅଧିକ ନିଯୁକ୍ତି ସୃଷ୍ଟି କରିବା ସହ ବଜାର ଭିତ୍ତିକ ବ୍ୟବସାୟକୁ ବଢାଇବା ପାଇଁ ଲକ୍ଷ୍ୟ ରଖିଥିବା କହିଛନ୍ତି ସରସ୍ୱତୀ।
ତେବେ ସରସ୍ଵତୀକୁ ପ୍ରଶାସନ ପକ୍ଷରୁ ସାହାଯ୍ୟ ମିଳିଲେ ଆଗକୁ ସେ ନିଜ ଲକ୍ଷ୍ୟ ପଥରେ ବଢିଇପାରିବେ।
ସତ୍ୟବ୍ରତ ପ୍ରଧାନଙ୍କ ରିପୋର୍ଟ