ଓଡ଼ିଶା

ହରିଶ୍ଚନ୍ଦ୍ର ଯୋଜନାରେ ମହାଦୁର୍ନୀତି

ଯାଜପୁର: ହରିଶ୍ଚନ୍ଦ୍ର ଯୋଜନାରେ ମହାଦୁର୍ନୀତି । ସାଧାରଣ ଲୋକଙ୍କ ଉନ୍ନତି ପାଇଁ ସରକାରଙ୍କ ଅନେକ ଯୋଜନା ରହିଛି । ହେଲେ ସେସବୁ ଯୋଜନା ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରୁନି ।  ଦୁର୍ନୀତିଗ୍ରସ୍ତ ଅଧିକାରୀ ଏବଂ ପ୍ରଭାବଶାଳୀ ଲୋକେ ଏହି ଯୋଜନାକୁ ହଡପ କରୁଥିବା ଅଭିଯୋଗ ହୋଇଛି । ସେପଟେ ଏ ନେଇ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି  ପ୍ରତିଶ୍ରୁତି ମିଳିଛି।  

ଯାଜପୁର ବିରିପଟା ପଂଚାୟତରେ ହରିଶ୍ଚନ୍ଦ୍ର ଯୋଜନାରେ ବ୍ୟାପକ ହରିଲୁଟ ଅଭିଯୋଗ । ପଂଚାୟତରେ ମୃତ୍ୟୁ ବରଣ କରିଥିବା ହିତାଧିକାରୀଙ୍କ ଟଙ୍କାକୁ ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି । ହିତାଧିକାରୀଙ୍କ ନାଁରେ ଟଙ୍କା ତ ଆସିଛି କିନ୍ତୁ ଲାଭବାନ ହୋଇଛନ୍ତି ଅଜଣା ବ୍ୟକ୍ତି । ଏ ହେଉଛନ୍ତି ବିରିପଟା ପଂଚାୟତ ବରେଇ ଗାଁର ଆରତୀ ବାହାଲ । ତିନି ବର୍ଷ ତଳେ ତାଙ୍କ ସ୍ବାମୀଙ୍କର ମୃତ୍ୟୁ ଘଟିଥିଲା । ମାତ୍ର ଏବେ ସେ ଜାଣିବାକୁ ପାଇଲେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କ ନାଁରେ ଆସିଥିବା ହରିଶ୍ଚନ୍ଦ୍ର ଯୋଜନାର ଅର୍ଥ କିଏ ହଡ଼ପ କରିଛି । ସେହିଭଳି ପଂଚାୟତର ରିନାବାଳା ସାମଲଙ୍କ ସ୍ୱାମୀ ଜଣେ ପଂଚାୟତର ଜନପ୍ରତିନିଧି ଥିଲେ । ମାତ୍ର ତାଙ୍କ ମୃତ୍ୟୁ ପରେ ତାଙ୍କ ନାଁରେ ଆସିଥିବା ଅର୍ଥ ମଧ୍ୟ ହଡ଼ପ ହୋଇଥିବା ସେ ଅଭିଯୋଗ କରିଛନ୍ତି ।

ଏକାଧିକ ବ୍ୟକ୍ତି ଏଭଳି ସମାନ ଅଭିଯୋଗ ଆଣିଛନ୍ତି। ପଂଚାୟତ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ପଂଚାୟତ ଦାୟୀତ୍ୱରେ ଥିବା ସରକାରୀ ବାବୁ ମଧ୍ୟ ଏଥିରେ ସାମିଲ ଥିବାର ଅଭିଯୋଗ ହୋଇଛି । ତେଣୁ ଏହାର ଉପଯୁକ୍ତ ତଦନ୍ତ କରାଯିବା ସହ ଦୁର୍ନୀତିରେ ଲିପ୍ତଥିବା ଜନପ୍ରତିନିଧି ଓ ସରକାରୀ ବାବୁଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ସେପଟେ ଅଭିଯୋଗକୁ ଭିତ୍ତି କରି ଉଚ୍ଚସ୍ତରୀୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।

 ସରକାର କେବଳ ଯୋଜନା ପ୍ରସ୍ତୁତ କରି ଦେଲେ ହେବ ନାହିଁ , ପ୍ରକୃତ ହିତାଧିକାରୀ ଏହି ଯୋଜନାରେ କେତେ ଉପକୃତ ହେଉଛନ୍ତି । ତାହା ଅନୁଧ୍ୟାନ କରିବା ଆବଶ୍ୟକ।

ହିମାଂଶୁ କୁମାର ପାଢ଼ୀଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button